ରାଜ୍ୟର ସର୍ବବୃହତ ଗଣମାଧ୍ୟମ ପ୍ରତିଷ୍ଠାନ ପକ୍ଷରୁ ଏହା ଏକ ପ୍ରଶଂସନୀୟ ପଦକ୍ଷେପ। ନିଜ ବ୍ରାଣ୍ଡ୍ ଗଠନ କରିବା ଲାଗି ବର୍ଷ ବର୍ଷ ଧରି ଉଦ୍ୟମ କରିଥିବା ରାଜ୍ୟର ଉଦ୍ୟୋଗୀମାନଙ୍କ ଲାଗି ଏହା ଏକ ବଡ଼ ସମ୍ମାନ। ରାଜ୍ୟରେ ଉଦ୍ୟମିତା ସ୍ତର ପରିପକ୍ବ ହେବାରେ ଲାଗିଥିବା ବେଳେ ଏହି ମାନ୍ୟତା ପ୍ରତିଷ୍ଠିତ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ବ୍ୟବସାୟ ସମ୍ପ୍ରସାରଣ କରିବାରେ ସହାୟକ ହେବ ଓ ସେମାନଙ୍କୁ ଆହୁରି ଉତ୍ସାହିତ କରିବ। ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପହଞ୍ଚିବାକୁ ଚାହୁଥିବା ଉଦ୍ୟୋଗୀମାନଙ୍କୁ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଦେଶ ବାହାରେ ପହଞ୍ଚିବା ଲାଗି ବ୍ରାଣ୍ଡ୍ ଏକମାତ୍ର ବିକଳ୍ପ। ବ୍ୟବସାୟକୁ ବ୍ୟାପକ କରିବାରେ ବ୍ରାଣ୍ଡ୍ର ପ୍ରଭାବ କ’ଣ ତାହା ଆମେରିକାର ଆପଲ୍ ଓ ମାଇକ୍ରୋସଫ୍ଟ ଭଳି କଂପାନିର ସଫଳତାରୁ ସ୍ପଷ୍ଟ ପ୍ରମାଣିତ।
-ପ୍ରିୟଦର୍ଶୀ ନାନୁ ପାଣି, ସଚିବ, ସିଆଇଟିଇ-ଓଡ଼ିଶା
ଏମ୍ଏସ୍ଏମ୍ଇଙ୍କୁ ଉତ୍ସାହିତ କରିବ
ଏହା ଏକ ବଡ଼ ପ୍ଲାଟଫର୍ମ। ଏହା ଏମ୍ଏସ୍ଏମ୍ଇ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବ। ଏହି ପୁରସ୍କାର ଜରିଆରେ ବହୁ ଉଦ୍ୟୋଗୀ ଲୋକଲୋଚନକୁ ଆସିପାରୁଛନ୍ତି। ରାଜ୍ୟରେ ଏଭଳି ବହୁ ସଂସ୍ଥା ରହିଛନ୍ତି ଯେଉଁମାନେ ଜାତୀୟ ସ୍ତରରେ ବେଶ ପ୍ରତିଷ୍ଠିତ। ସେମାନଙ୍କ ବିଷୟରେ ବହୁ ଲୋକ ଜାଣିପାରୁନଥିଲେ। ସମ୍ବାଦର ଏହି ପ୍ରୟାସ ଜରିଆରେ ତାଙ୍କର ପ୍ରଚାର ହୋଇପାରୁଛନ୍ତି। ପୂର୍ବରୁ ଉଦ୍ୟୋଗୀଙ୍କୁ ଲୋକମାନେ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ। ରାଜ୍ୟର ଅର୍ଥନୀତି ଓ ସମାଜ ପାଇଁ ସେମାନଙ୍କ ଯେଉଁ ଯୋଗଦାନ ରହିଛି ତାହାକୁ କେହି ଜାଣିପାରୁନଥିଲେ। ଉତ୍ପାଦନ କରିବା ଲାଗି ରାଜ୍ୟରେ ଅନେକ ଆହ୍ବାନ ଥିବା ସତ୍ତ୍ବେ ବହୁ ସଫଳ ଉଦ୍ୟୋଗୀ ସୃଷ୍ଟି ହୋଇପାରିଛନ୍ତି। ସମ୍ବାଦର ଏହି ପୁରସ୍କାର ଲାଗି ରାଜ୍ୟର ଉଦ୍ୟୋଗୀମାନଙ୍କ ମଧ୍ୟରେ ଉତ୍ସାହ ରହିଛି।
-ତପନ କୁମାର ସ୍ବାଇଁ, ସଭାପତି ଲଘୁ ଉଦ୍ୟୋଗ ଭାରତୀ-ଓଡ଼ିଶା