ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

ରାଜ୍ୟରେ ପର୍ଯ୍ୟଟନ, କୃଷିରେ ବିପୁଳ ସୁଯୋଗ ରହିଛି

ପ୍ରଶ୍ନ: ଏହି ପୁରସ୍କାର ବିଷୟରେ ଆପଣଙ୍କ ମତ କ’ଣ?
ଉତ୍ତର: ରାଜ୍ୟର ଉଦୀୟମାନ ଉଦ୍ୟୋଗୀଙ୍କୁ ସ୍ବୀକୃତି ପ୍ରଦାନ କରିବା ପାଇଁ ସମ୍ବାଦର ଏହା ଏକ ଉତ୍ତମ ପଦକ୍ଷେପ। ଏହା ଦ୍ବାରା ମ୍ୟାନେଜମେଣ୍ଟ୍ ଛାତ୍ରଛାତ୍ରୀମାନେ ନିଯୁକ୍ତି ସନ୍ଧାନ କରିବା ବଦଳରେ ଷ୍ଟାର୍ଟଅପ୍ ସଂସ୍ଥା ଖୋଲିବାକୁ ଅଧିକ ଆଗ୍ରହ ପ୍ରକାଶ କରିବେ।
ପ୍ରଶ୍ନ: ଅଧିକ ସଫଳତା ହାସଲ କରିବା ପାଇଁ ଏହି ପୁରସ୍କାର ଉଦ୍ୟୋଗୀଙ୍କୁ ଅନୁପ୍ରାଣିତ କରିବ କି?
ଉତ୍ତର: ନିଜର ପରିସୀମା ବଢ଼ାଇବା ପାଇଁ ପୁରୁଣା ଉଦ୍ୟୋଗୀଙ୍କୁ ଏହି ପୁରସ୍କାର ଅନୁପ୍ରାଣିତ କରିବ। ଭାରତରେ ରପ୍ତାନି ଭିତ୍ତିକ କାରବାରର ବହୁତ ଆବଶ୍ୟକତା ରହିଛି ଓ ଏହା ଜରିଆରେ ଅନେକ ବିଦେଶୀ ମୁଦ୍ରା ସଞ୍ଚୟ କରାଯାଇପାରିବ। ଏ ଦିଗରେ ସାମାନ୍ୟ ସରକାରୀ ସହଯୋଗ ବ୍ୟବସାୟ ବଢ଼ାଇବାରେ ବିଶେଷ ସହାୟକ ହେବ।
ପ୍ରଶ୍ନ: ଓଡ଼ିଶାର କେଉଁ କ୍ଷେତ୍ରରେ ଅଭିବୃଦ୍ଧିର ବିପୁଳ ସୁଯୋଗ ରହିଛି?
ଉତ୍ତର: ମୋ ମତରେ ପର୍ଯ୍ୟଟନ ଓ କୃଷିରେ ଏବେବି ବହୁତ ସୁଯୋଗ ରହିଛି। ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିକୁ ନେଇ ଓଡ଼ିଶା ଏକ ଅତି ସୁନ୍ଦର ରାଜ୍ୟ। ଏଠାରେ ଏପର୍ଯ୍ୟନ୍ତ ପର୍ଯ୍ୟଟନର ପୂର୍ଣ୍ଣ ମାତ୍ରାକୁ ଉପଯୋଗ କରାଯାଇପାରିନାହିଁ। କୃଷି କ୍ଷେତ୍ରରେ ମଧ୍ୟ ନୂତନ ଓ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ ହେବା ଦରକାର।
ପ୍ରଶ୍ନ: କେଉଁ ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ତୁରନ୍ତ ସରକାରୀ ସହାୟତା ଆବଶ୍ୟକ?
ଉତ୍ତର: ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ର। ଶିକ୍ଷା କ୍ଷେତ୍ରରେ ଆନ୍ତର୍ଜାତିକ ମାନର ଶିକ୍ଷା ପଦ୍ଧତି ପ୍ରଣୟନ କରାଯିବା ଦରକାର। ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆନ୍ତର୍ଜାତିକ ମାନର ଶିକ୍ଷା ପ୍ରଦାନ କରୁଥିବା ସ୍କୁଲ ରହିବା ଦରକାର।
ପ୍ରଶ୍ନ: ନୂଆ ଉଦ୍ୟୋଗୀଙ୍କୁ ଆପଣ କ’ଣ ବାର୍ତା ‌ଦେବେ‌?
ଉତ୍ତର: ଉଦ୍ୟୋଗୀମାନେ ସ୍ଥାନୀୟ ସମ୍ବଳ ଉପଯୋଗ କରିବା ଉପରେ ଗୁରୁତ୍ବାରୋପ କରିବା ଦରକାର। ଯେକୌଣସି କାରବାରର କେନ୍ଦ୍ରରେ ରହିଛି ଗୁଣାତ୍ମକ ମାନ। ଗୁଣାତ୍ମକ ମାନକୁ ନେଇ ରହିଥିବା ନିୟମ ପାଳନ କରିବାକୁ ହେବ ଓ ଖର୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ।

ସମ୍ବନ୍ଧିତ ଖବର