ଭୁବନେଶ୍ବର: ରାଜ୍ୟର ୧ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ୨୦୨୨ ମସିହା ପାଇଁ ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ଘୋଷଣା କରାଯାଇଛି। ଏଥିପାଇଁ ଲୋଗୋ ଉନ୍ମୋଚନ ହେବା ସହିତ ଆବେଦନ ମଧ୍ୟ ଚାଲିଛି। ପଞ୍ଚମ ଥର ପାଇଁ ସମ୍ବାଦ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ରାଜ୍ୟର ସଫଳ ଉଦ୍ୟୋଗୀଙ୍କୁ ୫ଟି ବର୍ଗରେ ପ୍ରଦାନ କରାଯିବ। ସେହି ବର୍ଗ ଗୁଡ଼ିକ ହେଲା କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍ଆର୍), ଲାର୍ଜ (ବୃହତ୍), ମିଡିୟମ (ମଧ୍ୟମ), ସ୍କଲ୍ (କ୍ଷୁଦ୍ର) ଏବଂ ଇମର୍ଜିଂ/ଷ୍ଟାର୍ଟଅପ୍। ତେବେ ସିଏସ୍ଆର୍ ବର୍ଗରେ ପୁରସ୍କାର ପାଇଁ ସବୁ ବର୍ଗର କମ୍ପାନି ଆବେଦନ କରିପାରିବେ। ଅର୍ଥାତ୍ ବୃହତ୍, ମଧ୍ୟମ, କ୍ଷୁଦ୍ର ଏବଂ ଇମର୍ଜି/ଷ୍ଟାର୍ଟଅପ୍ କମ୍ପାନି ଗୁଡ଼ିକ ନିଜ ନିଜ ବର୍ଗରେ ପୁରସ୍କାର ପାଇଁ ଆବେଦନ କରିଥିଲେ ମଧ୍ୟ ସିଏସଆର୍ ପାଇଁ ପୃଥକ୍ ଭାବେ ଆବେଦନ କରିପାରିବେ। ଯେଉଁ କମ୍ପାନି ସିଏସ୍ଆର୍ ପାଇଁ ଆବେଦନ କରିବେ ସେମାନେ ଏହି କାର୍ଯ୍ୟ ସଂପର୍କିତ ବିସ୍ତୃତ ବିବରଣୀ ପ୍ରଦାନ କରିବେ।
ଅର୍ଥାତ୍ ସେମାନେ କି ପ୍ରକାରର ସିଏସ୍ଆର୍ କାର୍ଯ୍ୟ କରିଛନ୍ତି, କେତେ ଅର୍ଥ ଖର୍ଚ୍ଚ କରିଛନ୍ତି, ପୂର୍ବରୁ କ’ଣ ସବୁ ପୁରସ୍କାର ପାଇଛନ୍ତି ତାହାର ସୂଚନା ଦେବେ। ସେସବୁର ସାର୍ଟିଫିକେଟ ଓ ଫଟୋ ପୁରସ୍କାର ପାଇଁ ସୃଷ୍ଟି କରାଯାଇଥିବା www.sambadawards.com ୱେବସାଇଟ୍ରେ ଅପଲୋଡ୍ କରିବାକୁ ହେବ। ସାର୍ଟିଫିକେଟ ଓ ଫାଇଲ୍ ଗୁଡ଼ିକୁ ଆବେଦନକାରୀ ଜିପ୍ ଫାଇଲ୍ରେ ଅପଲୋଡ୍ କରିବେ। ଆସନ୍ତା ଜାନୁଆରି ୧୦ ତାରିଖ ଏଥିପାଇଁ ଶେଷଦିବସ ରହିଛି। ଏହି ତାରିଖ ମଧ୍ୟରେ ଆବେଦନ କରିଲେ ବିଜ୍ଞ ବିଚାରକମଣ୍ଡଳୀ ଯୋଗ୍ୟ କମ୍ପାନିଙ୍କୁ ପୁରସ୍କାର ପାଇଁ ଚୟନ କରିବେ। ଏହାପରେ ଜାନୁଆରି ୨୧ ତାରିଖରେ ଅତିଥିମାନଙ୍କ ହାତରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।