‘‘ ଏକ ଅତ୍ୟନ୍ତ ଚମତ୍କାର ପଦକ୍ଷେପ’’
ରଶ୍ମୀ ସାହୁ, ନିର୍ଦେଶିକା, ଓମ୍ ଅଏଲ୍ସ ଆଣ୍ଡ୍ ଫ୍ଲୋର ମିଲ୍ସ ଲିମିଟେଡ୍
‘ସମ୍ବାଦ’ର ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍ ଏକ ଅତ୍ୟନ୍ତ ଚମତ୍କାର ପଦକ୍ଷେପ। ଏହା ଏକ ପ୍ରତିଷ୍ଠିତ ଓ ଜଣାଶୁଣା ପୁରସ୍କାରରେ ପରିଣତ ହୋଇସାରିଛି। ଯେଉଁ ଉତ୍ସବରେ ଏହି ପୁରସ୍କାର ଦିଆଯାଉଛି ତାହା ଏକ ବଡ଼ ମଞ୍ଚ ଯାହା ଲୋକମାନଙ୍କୁ ଅନୁପ୍ରାଣିତ କରିବ। ଏଭଳି ବହୁତ ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ବିନା ବ୍ରାଣ୍ଡ୍ରେ ଉତ୍ପାଦନ କରୁଛନ୍ତି। ଏବେ କିନ୍ତୁ ଅଧିକାଂଶ ଉଦ୍ୟୋଗୀ ନିଜର ବ୍ରାଣ୍ଡ୍ ତିଆରି କରୁଛନ୍ତି। ଗୁଣାତ୍ମକ ମାନ ବଜାୟ ରଖିବା, ନୈତିକ ମୂଲ୍ୟବୋଧ ଭିତ୍ତିରେ କାର୍ଯ୍ୟ କରିବା ଓ କିଛି ମାନକକୁ ପାଳନ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ଅଭିଯାନ ଯୋଗୁଁ ଏହି ସଚେତନତା ସୃଷ୍ଟି ହୋଇପାରିଛି। ରାଜ୍ୟ ପ୍ରତି ଏହି ପୁରସ୍କାର ଏଭଳି ଗୁରୁତ୍ବପୂର୍ଣ୍ଣ ଅବଦାନ ପ୍ରଦାନ କରୁଛି। ଏହି ପୁରସ୍କାର ଲାଗି ଆବେଦନ କରିବା ଲାଗି ମୁଁ ସବୁ ଉଦ୍ୟୋଗୀମାନଙ୍କୁ ଆହ୍ବାନ ଦେଉଛି। ତେବେ ପୁରସ୍କାର ପାଇଁ ଆବେଦନ କରିବା ପୂର୍ବରୁ ନିଜକୁ ପ୍ରତିଷ୍ଠିତ କରିବା ଲାଗି ବର୍ଷତମାମ କଠିନ ପରିଶ୍ରମ କରିବା ପାଇଁ ମୁଁ ସେମାନଙ୍କୁ ପରାମର୍ଶ ଦେଉଛି। ଯେଉଁମାନେ ବହୁତ ଭଲ କାମ କରିଛନ୍ତି ସେମାନେ ନିଶ୍ଚିତ ରୂପେ ଓଡ଼ିଶାର ବ୍ରାଣ୍ଡ୍ ଭାବେ ଉଭା ହେବେ। ତେଣୁ କର୍ମ ହିଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଁ କହିବି। କର୍ମ କଲେ ଏହି ମଞ୍ଚ ସୁବିଧାରେ ମିଳିଯିବ ବୋଲି ସେ କହିଛନ୍ତି।
ମୁଁ ପାଠପଢ଼ା ଶେଷ କରିବା ପରେ ସେ ରୁଚିର ଗବେଷଣା ଓ ବିକାଶ କାର୍ଯ୍ୟରେ ନିଜକୁ ଜଡ଼ିତ କରିଥିଲେ। ସେହି ସମୟରେ ମହିଳାମାନଙ୍କ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଗଠନ କରି କାର୍ଯ୍ୟ କରିଥିଲେ। ଏହାର କିଛି ବର୍ଷ ପରେ ଫ୍ରୋଜେନ୍ ଖାଦ୍ୟକୁ ନେଇ ଏକ ସଂସ୍ଥା ଗଠନ କରିବାକୁ ମନ ସ୍ଥିର କରିଥିଲି। ସେଥିପାଇଁ ମୋ ବାପା ତଥା ରୁଚିର ପ୍ରତିଷ୍ଠାତା ଶରତ ଚନ୍ଦ୍ର ସାହୁଙ୍କ ସହ ମିଶି ଜର୍ମାନି ଓ ସ୍ବିଜରଲ୍ୟାଣ୍ଡ୍ ଯାତ୍ରା କରି ପ୍ରଯୁକ୍ତି ଓ ଯନ୍ତ୍ରାଂଶ ଦେଖିଥିଲେ। ସେସବୁ ମଗାଇ ଫ୍ରୋଜେନ୍ ସାମଗ୍ରୀ ଉତ୍ପାଦନ ଆରମ୍ଭ କରିବା ସହ ଫ୍ରୋଜିଟ୍ ବ୍ରାଣ୍ଡ୍ ପ୍ରତିଷ୍ଠା କରିଥିଲି। ଫ୍ରୋଜିଟ୍ ଅଧୀନରେ ଉତ୍ପାଦର ବ୍ୟାପକ ବର୍ଗମାଳା ରହିଛି। ପାନୀୟ, ବେକରି ଉତ୍ପାଦ, ଫ୍ରୋଜେନ୍ ବିରିୟାନି ଓ ମଟନ୍ ତରକାରୀ ଆଦି ରହିଛି। ଆଗାମୀ ଦିନରେ କଂପାନି ଶସ୍ୟକୁ ନେଇ ‘ଫାର୍ମ ବି’ ନାମରେ ଏକ ଉତ୍ପାଦ ବଜାରକୁ ଆଣିବ। କଂପାନି ପ୍ରିମିୟମ୍ ପୁଷ୍ଟିଯୁକ୍ତ ଉତ୍ପାଦ ମଧ୍ୟ ବିକ୍ରି କରୁଛି। ନିଜସ୍ବ ଷ୍ଟୋର୍, ଫ୍ରାଞ୍ଚାଇଜି ଷ୍ଟୋର ଓ ଆମାଜନ୍, ଫ୍ଲିପ୍କାର୍ଟ ଭଳି ଇ-କମର୍ସ ପ୍ଲାଟଫର୍ମ ଜରିଆରେ କଂପାନି ନିଜର ସାମଗ୍ରୀ ଗ୍ରାହକଙ୍କ ନିକଟରେ ପହଞ୍ଚାଉଛି। ଆଗାମୀ ଦିନରେ ଫ୍ରାଞ୍ଚାଇଜି ମଡେଲ୍ରେ ବିତରଣ ନେଟୱର୍କକୁ ବିସ୍ତାର କରିବାର ଆମର ଯୋଜନା ରହିଛି।
‘‘ଯେତେ ସ୍ବୀକୃତି ମିଳିବ ସେମାନେ ସେତେ ଆଗକୁ ବଢ଼ିବା ସହଜ ହେବ’’
ପାର୍ଥଜିତ ପଟ୍ଟନାୟକ, ନିର୍ଦ୍ଦେଶକ, ଫାଲକନ୍ ଗ୍ରୁପ୍
ଓଡ଼ିଶାରେ ନୂଆ ନୂଆ ଉଦ୍ୟୋଗୀ ସୃଷ୍ଟି ହେଉଛନ୍ତି। ସେମାନଙ୍କୁ ଯେତେ ସ୍ବୀକୃତି ମିଳିବ ସେମାନେ ସେତେ ଆଗକୁ ବଢ଼ିବା ସହଜ ହେବ। ସମ୍ବାଦର ଏହି ପୁରସ୍କାର ମାଧ୍ୟମରେ ଉଦ୍ୟୋଗର ଉପସ୍ଥିତି ଓ କାର୍ଯ୍ୟ ସମ୍ପର୍କରେ ଅନ୍ୟମାନେ ଜାଣିବା ସୁଯୋଗ ପାଇବେ। ତେଣୁ ସମ୍ବାଦର ଏହା ଏକ ଅତି ଭଲ ପଦକ୍ଷେପ। ଗୋଟିଏ ସ୍ତରକୁ ଆସିଲେ ଆମର ଏଠାକାର ଉଦ୍ୟୋଗୀମାନେ ଭାବିଦେଉଛନ୍ତି ଯେ ଆମେ ବହୁତ କିଛି ସଫଳତା ହାସଲ କରିସାରିଲୁଣି। ସେଥିପାଇଁ ଗୋଟିଏ ସ୍ତରରେ ପହଞ୍ଚିଲା ପରେ ସେମାନେ ଆଉ ଆଗକୁ ବଢ଼ିପାରନ୍ତି ନାହିଁ। କିନ୍ତୁ ସଫଳତାର କେବେ ଅନ୍ତ ହୁଏନି। ମନରେ ଏଭଳି ଭାବନା ରଖି ଉଦ୍ୟୋଗୀମାନେ ନିରନ୍ତରଭାବେ ଆଗକୁ ବଢ଼ିବା ଆବଶ୍ୟକ। ଏହା ହେଲେ ଆମ ରାଜ୍ୟର ଉଦ୍ୟୋଗୀମାନେ ଆଗକୁ ଯାଇପାରିବେ। ନୂଆ ପିଢ଼ିର ଯୁବ ଉଦ୍ୟୋଗୀମାନେ କେବେ ବି ବିଚଳିତ ହୋଇ ଯାଆନ୍ତୁ ନାହିଁ ଯେ ସେ ସେୟା କଲା,ଏୟା କଲା। ନିଜେ ନିଜର ବ୍ୟବସାୟରେ ଫୋକସ୍ କରନ୍ତୁ। ଏହାହେଲେ ସଫଳତା ମିଳିବ।
ସାମୁଦ୍ରିକ ଖାଦ୍ୟ ଠାରୁ ଆରମ୍ଭ କରି ରିଅଲ ଇଷ୍ଟେଟ୍ ଏବଂ ଇସ୍ପାତ ଆଦି କ୍ଷେତ୍ରରେ ରାଜ୍ୟର ଏକ ପ୍ରମୁଖ ଉଦ୍ୟୋଗ ଭାବେ ଜଣାଶୁଣା ଫାଲକନ ଗ୍ରୁପ୍ ଆଗାମୀ ଦିନରେ ଆନ୍ଧ୍ର ପ୍ରଦେଶରେ ଏବଂ ଓଡ଼ିଶାରେ ଦୁଇଟି ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରିବ। ଏଥିସହିତ ଟାଙ୍ଗିସ୍ଥିତ ଫିଡିଂ କାରଖାନାର ମଧ୍ୟ ସଂପ୍ରସାରଣ କରିବ। ଚଳିତ ଆର୍ଥିକବର୍ଷ ପାଇଁ ଫାଲକନ ମେରାଇନ ୨୪୦୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖିଛି। ସମୁଦାୟ ଗ୍ରୁପକୁ ଦେଖିଲେ ୩୦୦୦ କୋଟି ଟଙ୍କାର କାରବାର ଲକ୍ଷ୍ୟ ରହିଛି। ଫାଲକନ ମେରାଇନର ବ୍ୟବସାୟକୁ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ୩୫୦୦ କୋଟି ଟଙ୍କାରେ ପହଞ୍ଚାଇବା ଆଶା ରଖାଯାଇଛି। କମ୍ପାନି ଦ୍ବାରା ୭ରୁ ୮ ହଜାର କୃଷକ ଉପକୃତ ହେଉଛନ୍ତି। ଏଥିସହିତ କମ୍ପାନିରେ ପ୍ରାୟ ୭ ହଜାର କର୍ମଚାରୀଙ୍କୁ କର୍ମସଂସ୍ଥାନ ମିଳିପାରିଛି। ବର୍ତ୍ତମାନ ଫାଲକନ ମେରାଇନର ୫ଟି ପ୍ରକ୍ରିୟାକରଣ କାରଖାନା ଏବଂ ଗୋଟିଏ ଫିଡ୍ କାରଖାନା ରହିଛି। ଆଗାମୀ ଦିନରେ ଆଉ ଦୁଇଟି କାରଖାନା ପାଇଁ କମ୍ପାନି ପାଖାପାଖି ୨୫୦ କୋଟି ଟଙ୍କା ନିବେଶ କରିବ। ଏଥିସହିତ ଗ୍ରୁପର କମ୍ପାନି ପଟ୍ଟନାୟକ ଷ୍ଟିଲ୍ସ ଆଣ୍ଡ୍ ଆଲଏଜ୍ ଲିମିଟେଡ ବର୍ତ୍ତମାନ ୧ ଲକ୍ଷ ଟନ ଷ୍ଟିଲ, ୧୫ ମେଗାୱାଟ ଶକ୍ତି ଏବଂ ୩୫୦ ଟିପିଡି ସ୍ପଞ୍ଜ ଆଇରନ ଉତ୍ପାଦନ କରୁଛି। କମ୍ପାନି ଏହି କ୍ଷମତାକୁ ବଢ଼ାଇବ। ଏଥିରେ ଅତିରିକ୍ତ ୫୦୦ ଟିପିଡିର ସ୍ପଞ୍ଜ ଆଇରନ, ୨୦ ମେଗାୱାଟର ଶକ୍ତି, ୧ ଲକ୍ଷ ଟନର ବିଲେଟ ଏବଂ ୧ ନିୟୁତ ଟନର ପେଲେଟ ଉତ୍ପାଦନ କ୍ଷମତା ଯୋଡ଼ିବ। ସାମୁଦ୍ରିକ ଖାଦ୍ୟ ଉତ୍ପାଦ, ଇସ୍ପାତ କ୍ଷେତ୍ରରେ କମ୍ପାନି ପ୍ରାୟ ୭୫୦ କୋଟି ଟଙ୍କାର ନିବେଶ କରିବାକୁ ଯୋଜନା ରଖିଛି।