ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୨: ଉଦ୍ୟୋଗୀଙ୍କୁ ସମ୍ମାନିତ କରିବା ଲାଗି ଭାବିବା ବଡ଼ କଥା

ନୂଆ ଉଦ୍ୟୋଗ ସ୍ଥାପନ କରିବାକୁ ଆଗ୍ରହ ସୃଷ୍ଟି ହେବ

ଉଦ୍ୟୋଗୀଙ୍କୁ ସମ୍ମାନିତ କରିବା ଲାଗି ଭାବିବା ବଡ଼ କଥା
ଅର୍ଥନୀତି ଓ ଆର୍ଥିକ ବ୍ୟବସ୍ଥାର ମେରୁଦଣ୍ଡ ହେଉଛନ୍ତି ଉଦ୍ୟୋଗୀ ଓ ବ୍ୟବସାୟ ଜଗତ। କେନ୍ଦ୍ର ଓ ରାଜ୍ୟର ବିକାଶ ପ୍ରତି ସେମାନଙ୍କ ଅବଦାନ ରହିଛି। ସେମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ସମ୍ବାଦ ଯେଉଁ ପଦକ୍ଷେପ ଗ୍ରହଣ କରିଛି ତାହା ବେଶ ପ୍ରଶଂସନୀୟ। ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିବା ଲାଗି ଭାବିବା ହେଉଛି ବହୁତ ବଡ଼ କଥା। ଯେଉଁମାନେ ସମ୍ବାଦ ଠାରୁ ଏହି ପୁରସ୍କାର ହାସଲ କରିବେ ସେମାନେ ନିଶ୍ଚିତ ରୂପେ ଅନୁପ୍ରାଣିତ ହେବେ। ଆହୁରି ଆଗକୁ ବଢ଼ିବା ଲାଗି ନିଜ ଉଦ୍ୟମକୁ ତ୍ବରାନ୍ବିତ କରିବେ। ସେମାନଙ୍କୁ ଦେଖି ତାଙ୍କ ପ୍ରତିଦ୍ବନ୍ଦ୍ବୀମାନେ ମଧ୍ୟ ଆଗକୁ ବଢ଼ିବାକୁ ଉଦ୍ୟମ କରିବେ। ଶିଳ୍ପୋନ୍ନତ ରାଜ୍ୟ ଭାବେ ମହାରାଷ୍ଟ୍ର, ଗୁଜରାଟ ଯେଉଁ ଭଳି ବ୍ରାଣ୍ଡ୍‌ ତିଆରି କରିଛନ୍ତି ଓଡ଼ିଶା ମଧ୍ୟ ‌ସେଭଳି ବ୍ରାଣ୍ଡ୍‌ରେ ପରିଣତ ହୋଇପାରିବ। ରାଜ୍ୟ ସରକାରଙ୍କ ନୀତି ଏଥିପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ରାଜ୍ୟର ଶିଳ୍ପ ସଂସ୍ଥାଗୁଡ଼ିକ ଏବେ ଯେଉଁ କିଛି ହାତଗଣତି ସମସ୍ୟା ସାମ୍ନା କରୁଛନ୍ତି ତାହାର ସମାଧାନ ହେଲେ ଓଡ଼ିଶା ଦେଶର ଅନ୍ୟ ‌ଯେକୌଣସି ରାଜ୍ୟକୁ ପଛରେ ଛାଡ଼ିଦେବ।
ପ୍ରବୀଣ ଗର୍ଗ,
ସଭାପତି, ରାଉରକେଲା ଚ୍ୟାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍

ନୂଆ ଉଦ୍ୟୋଗ ସ୍ଥାପନ କରିବାକୁ ଆଗ୍ରହ ସୃଷ୍ଟି ହେବ
ଏହି ଅଭିଯାନ ଆରମ୍ଭ କରିଥିବାରୁ ମୁଁ ପ୍ରଥମେ ସମ୍ବାଦକୁ ଧନ୍ୟବାଦ ଦେଉଛି। ରାଜ୍ୟରେ ମାନୁଫାକ୍‌ଚରିଂ କାରଖାନା ସ୍ଥାପନ କରିଥିବା ଉଦ୍ୟୋଗୀମାନେ ଟିକସ ଦେଇ ରାଜ୍ୟର ଅଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। କିନ୍ତୁ ସେହି ଅବଦାନ ଲାଗି ସେମାନଙ୍କୁ ଯେତିକି ସମ୍ମାନ ମିଳିବା କଥା ତାହା ମିଳୁନାହିଁ। ଏହି ପୁରସ୍କାର ସେମାନଙ୍କୁ ଏକ ମାନ୍ୟତା ପ୍ରଦାନ କରୁଛି। ଏହା ଦ୍ବାରା ନୂତନ ଉଦ୍ୟୋଗ ସ୍ଥାପନ କରିବା ଲାଗି ଲୋକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବ। ଯୁବପିଢ଼ିମାନେ ଏହି କ୍ଷେତ୍ର ପ୍ରତି ଆକୃଷ୍ଟ ହେବେ। ଯେଉଁମାନେ ପୁରସ୍କୃତ ହେବେ ସେମାନେ ଆହୁରି ଭଲ କାମ କରିବା ଲାଗି ଅନୁପ୍ରାଣିତ ହେବେ। ବ୍ରାଣ୍ଡ୍‌ ପରିଚିତ ହେଲେ ସେହି ସଂସ୍ଥାର ବ୍ୟବସାୟ ବହୁ ଗୁଣା ବଢ଼ିଯିବ। ଓଡ଼ିଶାରେ ଏଭଳି ବହୁତ ବ୍ରାଣ୍ଡ୍‌ ରହିଛି ଯେଉଁମାନେ ଭଲ କାମ କରୁଛନ୍ତି କିନ୍ତୁ ଲୋକଲୋଚନକୁ ଆସିପାରୁନାହାନ୍ତି। ସେଭଳି ସଂସ୍ଥାଙ୍କୁ ପରିଚିତ କରାଇବାରେ ଏହି ପୁରସ୍କାର ବଡ଼ ଭୂମିକା ଗ୍ରହଣ କରୁଛି। ଏହି ପୁରସ୍କାର ଲାଗି ସବୁ ବର୍ଗର କଂପାନି ଆବେଦନ କରିବା ଦରକାର।
ଦିଲ୍ଲୀପ ସାୱଡ଼ିଆ
ସଭାପତି, ବରଗଡ଼ ଚ୍ୟାମ୍ବର ଅଫ୍‌ କମର୍ସ

ସମ୍ବନ୍ଧିତ ଖବର