ରାଜଧାନୀରେ ବ୍ରାଣ୍ଡେ୍ଡ ପେଟ୍ରୋଲ ଦର ୧୦୦ ଉପରେ: ଜୁନରେ ପେଟ୍ରୋଲ ୨ ଟଙ୍କା ୨୦ ଓ ଡିଜେଲ ୨ ଟଙ୍କା ୨୨ ମହଙ୍ଗା

ଭୁବନେଶ୍ବର ଦର: ଏକ୍ସଟ୍ରା ପ୍ରିମିୟମ ପେଟ୍ରୋଲ ୧୦୧.୩୧, ଏକ୍ସଟ୍ରା ମାଇଲ୍‌ ଡିଜେଲ 9୯୮.୮୧

ଭୁବନେଶ୍ବର: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଗୁଡ଼ିକ ବିକ୍ରି କରୁଥିବା ବ୍ରାଣ୍ଡେଡ୍‌ ପେଟ୍ରୋଲ ଦର ଭୁବନେଶ୍ବରରେ ୧୦୦ ଟଙ୍କା ଟପିଯାଇଛି। ଚଳିତମାସ ୬ ତାରିଖରେ ଏହା ପ୍ରଥମ ଥର ପାଇଁ ୧୦୦ ଟଙ୍କା ଅତିକ୍ରମ କରିଛି। ଭାରତୀୟ ତୈଳ ନିଗମ ପକ୍ଷରୁ ବିକ୍ରି କରାଯାଉଥିବା ଏକ୍ସଟ୍ରା ପ୍ରିମିୟମ ପେଟ୍ରୋଲ ଦର ଗତ ୫ ତାରିଖରେ ୯୯ ଟଙ୍କା ୫୬ ପଇସା ଥିଲା। କିନ୍ତୁ ୬ ତାରିଖରେ ଲିଟର ପିଛା ଦରରେ ୪୪ ପଇସା ବୃଦ୍ଧି ଘଟି ୧୦୦ ଟଙ୍କା ୧୧ ପଇସା ଛୁଇଁଥିଲା। ତାହା ପରଠାରୁ ଏହା ବଢ଼ି ବଢ଼ି ଗତ ୧୪ ତାରିଖରେ ରେକର୍ଡ ୧୦୧ ଟଙ୍କା ୫୧ ପଇସା ଛୁଇଁଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା ସାଧାରଣ ପେଟ୍ରୋଲ ଏବଂ ଡିଜେଲ ସମେତ ବ୍ରାଣ୍ଡେଡ୍‌ ଡିଜେଲ ଦର ବୃଦ୍ଧି ପାଇଥିଲେ ମଧ୍ୟ ବ୍ରାଣ୍ଡେ୍ଡ ପେଟ୍ରୋଲ ଦର ବୁଧବାର ଲିଟର ପିଛା ୨୦ ପଇସା ହ୍ରାସ ଘଟିଛି। ଭୁବନେଶ୍ବରରେ ଆଜି ଏହା ୧୦୧ ଟଙ୍କା ୩୧ ପଇସା ରହିଛି।

ଚଳିତମାସରେ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୮ ଥର ବଢ଼ିଲାଣି। ତେବେ ବ୍ରାଣ୍ଡେଡ ‌ଡିଜେଲ ଦର ଆଜି ଭୁବନେଶ୍ବରରେ ଲିଟର ପିଛା ୧୪ ପଇସା ବୃଦ୍ଧି ଘଟି ୯୮ ଟଙ୍କା ୮୧ ପଇସା ଛୁଇଁଛି। ଏହି ବୃଦ୍ଧି ଧାରା ଜାରି ରହିଲେ ଆସନ୍ତା କିଛିଦିନ ମଧ୍ୟରେ ଭୁ‌ବନେଶ୍ବରରେ ବ୍ରାଣ୍ଡେଡ ଡିଜେଲ ଦର ମଧ୍ୟ ୧୦୦ ଟଙ୍କା ଟପିଯିବ। ଉଲ୍ଲେଖଯୋଗ୍ୟ ବ୍ରାଣ୍ଡେଡ ପେଟ୍ରୋଲ ଏବଂ ଡିଜେଲକୁ କମ୍ପାନି ଗୁଡ଼ିକ ଭିନ୍ନ ଭିନ୍ନ ନାମରେ ବିକ୍ରି କରିଥାନ୍ତି। ଭାରତୀୟ ତୈଳ ନିଗମ ଏହାର ବ୍ରାଣ୍ଡେଡ ପେଟ୍ରୋଲକୁ ଏକ୍ସଟ୍ରା ପ୍ରିମିୟମ ପେଟ୍ରୋଲ ଭାବେ ବିକ୍ରି କରୁଥିବାବେଳେ ବ୍ରାଣ୍ଡେଡ ଡିଜେଲକୁ ଏକ୍ସଟ୍ରା ମାଇଲ ଡିଜେଲ ନାମରେ ବିକ୍ରି କରିଆସୁଛି। ଏହି ତେଲ ପକାଇଲେ ପ୍ରଦୂଷଣ କମ୍ ହେବା ସହିତ ଗାଡ଼ିର ଇଞ୍ଜିନ ଭଲ ରହିଥାଏ ବୋଲି ସାଧାରଣରେ ଗ୍ରାହକମାନଙ୍କୁ ବୁଝାଇ ଦିଆାଯାଇଥାଏ। ଏଥିପାଇଁ କମ୍ପାନି ଗୁଡ଼ିକ ଗ୍ରାହକଙ୍କ ଠାରୁ ଏହା ଉପରେ ଅଧିକ ଦର ଭିଡ଼ିଥାନ୍ତି।

ତେବେ ‌ପୂର୍ବରୁ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ପ୍ରଥମେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଛି। ଭୁବନେଶ୍ବରରେ ଏବେ ଏହା ୧୦୦ ଟଙ୍କା ମୁହାଁ ହେବାରେ ଲାଗିଛି। ପେଟ୍ରୋଲ ଦର ଲିଟର ପିଛା ଆଜି ଭୁବନେଶ୍ବରରେ ଭାରତୀୟ ତୈଳ ନିଗମର ଏକ ଟାଙ୍କିରେ ୯୭ ଟଙ୍କା ୪୨ ପଇସା ରହିଛି। ସେହିଭଳି ଡିଜେଲ ଦର ୯୫ ଟଙ୍କା ୨୫ ପଇସା ରହିଛି। ଚଳିତମାସ ପହିଲାରେ ଭୁବନେଶ୍ବରରେ ପେଟ୍ରୋଲ ଦର ୯୫ ଟଙ୍କା ୨୨ ପଇସା ରହିଥିଲା। କିନ୍ତୁ ଇତିମଧ୍ୟରେ ଏଥିରେ ୨ ଟଙ୍କା ୨୦ ପଇସାର ବୃଦ୍ଧି ଘଟିଛି। ସେହିଭଳି ଡିଜେଲ ଦର ଚଳିତମାସ ପହିଲାରେ ୯୩ ଟଙ୍କା ୩ ପଇସା ଥିଲା। ଫଳରେ ଗତ ୧୬ ଦିନ ମଧ୍ୟରେ ଏହି ଦର ୨ ଟଙ୍କା ୨୨ ପଇସା ବୃଦ୍ଧି ଘଟିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ପାଖାପାଖି ୭୪ ଡଲାର ରହିଛି। ତେଣୁ ଆସନ୍ତା କିଛିଦିନ ପର୍ଯ୍ୟନ୍ତ ମଧ୍ୟ କମ୍ପାନି ଗୁଡ଼ିକ ପେଟ୍ରୋଲ, ଡିଜେଲ ଦର ବଢ଼ାଇବା ଆଶଙ୍କା ରହିଛି। ସେମାନଙ୍କ ଆକଳନ ଅନୁଯାୟୀ ବର୍ତ୍ତମାନ ସ୍ତରରେ ଯଦି ଅଶୋଧିତ ତେଲ ଦର ରହେ ତା’ହେଲେ ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ୩ ଟଙ୍କା ପାଖାପାଖି ବଢ଼ିବ। କେବଳ ବ୍ରାଣ୍ଡେଡ ପେଟ୍ରୋଲ ଏବଂ ଡିଜେଲ ନୁହେଁ, ସାଧାରଣ ପେଟ୍ରୋଲ ଏବଂ ଡିଜେଲ ଦର ମଧ୍ୟ ରାଜଧାନୀରେ ୧୦୦ ଟଙ୍କା ଟପିଯିବ। ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ବିପୁଳ ପରିମାଣର ଟିକସ ଆଦାୟ କରୁଥବାରୁ ଏହି ଇନ୍ଧନ ଦର ଉଚ୍ଚସ୍ତରରେ ରହୁଛି। କେନ୍ଦ୍ର ସରକାର ‌ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ଏବଂ ସେସ ଆଦି ଆଦାୟ କରୁଥିବା ବେଳେ ରାଜ୍ୟ ସରକାରଗୁଡ଼ିକ ଭାଟ୍ ଆଦାୟ କରୁଛନ୍ତି।

ସମ୍ବନ୍ଧିତ ଖବର