ଚିନି ସବ୍‌ସିଡି, ଭାରତକୁ ଘେରିଲେ ବ୍ରାଜିଲ୍, ଅଷ୍ଟ୍ରେଲିଆ

ବିଶ୍ବ ବାଣିଜ୍ୟ ସଂଗଠନରେ ଅଭିଯୋଗ ଦାଖଲ

ନୂଆଦିଲ୍ଲୀ: ଚିନି ଉପରେ ଭାରତ ଯେଉଁ ସବ୍‌ସିଡି ପ୍ରଦାନ କରୁଛି ତାହାକୁ ନେଇ ବ୍ରାଜିଲ୍ ଓ ଅଷ୍ଟ୍ରେଲିଆ ଆପତ୍ତି ଉଠାଇଛନ୍ତି। ଭାରତ ବିରୋଧରେ ସେମାନେ ବିଶ୍ବ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ଅଭିଯୋଗ କରିଛନ୍ତି। ଏହା ସତ୍ତ୍ବେ ଚିନି ଉପରେ ଦିଆଯାଉଥିବା ସବ୍‌ସିଡି ଭାରତ ବନ୍ଦ କରିବ ନାହିଁ ବୋଲି ଜଣାପଡ଼ିଛି। ବିଶ୍ବର ଦ୍ବିତୀୟ ସର୍ବାଧିକ ଚିନି ଭାରତରେ ଉତ୍ପାଦନ କରାଯାଉଛି। ଘରୋଇ ଆବଶ୍ୟକତା ପୂରଣ କରିବା ପରେ ବଳକା ଚିନିକୁ ରପ୍ତାନି କରାଯାଉଛି। ମାତ୍ର, ଆନ୍ତର୍ଜାତିକ ବଜାରରେ ଚିନିର ଦାମ୍‌ ସର୍ବନିମ୍ନ ସ୍ତରକୁ ଖସିଯାଇଥିବାରୁ ରପ୍ତାନି ବଜାରରେ ଆକର୍ଷଣୀୟ ହୋଇ ରହିବା ପାଇଁ ଚିନି ଉପରେ ସରକାର ସବ୍‌ସିଡି ପ୍ରଦାନ କରୁଛନ୍ତି। ଏହା ଦ୍ବାରା ଅନ୍ୟ ଦେଶର ଚିନି ତୁଳନାରେ ଭାରତୀୟ ଚିନି ଅଧିକ ଶସ୍ତା ରହୁଛି। ଭାରତର ଏହି ପଦକ୍ଷେପ ଆନ୍ତର୍ଜାତିକ ବାଣିଜ୍ୟ ନିୟମ ବିରୋଧୀ ବୋଲି ବ୍ରାଜିଲ୍ ଓ ଅଷ୍ଟ୍ରେଲିଆ ଅଭିଯୋଗ କରିଛନ୍ତି। ଏହି ଦୁଇ ଦେଶରେ ମଧ୍ୟ ବିପୁଳ ପରିମାଣର ଚିନି ଉତ୍ପାଦନ ହେଉଛି। ବଜାରକୁ ଭାରତ ଶସ୍ତା ଚିନି ଛାଡ଼ୁଥିବାରୁ ସେମାନଙ୍କ ଚିନିର ଚାହିଦା କମିଯାଇଛି। ଭାରତ ସରକାର ଚିନି ଉପରେ ଦେଉଥିବା ପ୍ରୋତ୍ସାହନକୁ ଭିନ୍ନ ଢଙ୍ଗରେ ଜାରି ରଖିବାକୁ ବିଚାର କରୁଛନ୍ତି। ସିଧାସଳଖ ସବ୍‌ସିଡି ପ୍ରଦାନ ନକରି ଅନ୍ୟ ଉପାୟରେ ସେହି ସୁବିଧା ରପ୍ତାନିକାରୀଙ୍କୁ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏଥିପାଇଁ ବିଶ୍ବ ବାଣିଜ୍ୟ ସଂଗଠନର ବିଶେଷଜ୍ଞଙ୍କ ମତାମତ ନେବା ଉପରେ ମଧ୍ୟ ବିଚାର କରାଯାଉଛି।

ଗତବର୍ଷ ଭାରତ ରେକର୍ଡ ୩.୩ ନିୟୁତ ଟନ୍ ଚିନି ରପ୍ତାନି କରିଥିଲା। ଏହାର ଗୋଟିଏ ବର୍ଷ ପୂର୍ବରୁ ରପ୍ତାନି ପରିମାଣ ମାତ୍ର ୬ ଲକ୍ଷ ଟନ୍ ଥିଲା। ବର୍ଷକ ଭିତରେ ରପ୍ତାନିରେ ଏଭଳି ଦ୍ରୁତ ବୃଦ୍ଧି ହେବା ପରେ ବ୍ରାଜିଲ୍ ଓ ଅଷ୍ଟ୍ରେଲିଆର ସନ୍ଦେହ ହୋଇଥିଲା। ଏହା ପରେ ସେମାନେ ଡବ୍ଳୁଟିଓର ଦ୍ବାରସ୍ଥ ହୋଇଥିଲେ। ଗୁଏଟ୍‌ମାଲା ତରଫରୁ ମଧ୍ୟ ଭାରତ ବିରୋଧରେ ଡବ୍ଳୁଟିଓରେ ଅଭିଯୋଗ କରାଯାଇଛି। ଭାରତର ଚିନି ସବ୍‌ସିଡିକୁ ନେଇ ଏକ କମିଟି ଗଠନ କରିବାକୁ ବ୍ରାଜିଲ୍ ସରକାର ଦାବି କରିଛନ୍ତି।

ସବ୍‌ସିଡି ଦେବା ପଛର କାରଣ
ରେକର୍ଡ ପରିମାଣର ଆଖୁ ଉତ୍ପାଦନ ହେବା ପରେ ଚିନି କଳଗୁଡ଼ିକରେ ମଧ୍ୟ ବିପୁଳ ପରିମାଣର ଚିନି ଉତ୍ପାଦନ ହେଉଛି। ଫଳରେ ସ୍ଥାନୀୟ ବଜାରରେ ଚିନି ଦର ନିମ୍ନ ସ୍ତରକୁ ଖସିଯାଇଛି। ସେଥିପାଇଁ ଚିନି କଳଗୁଡ଼ିକ ଉତ୍ପାଦିତ ଚିନିର ଉଚିତ ମୂଲ୍ୟ ପାଉନାହାନ୍ତି। ସେମା‌ନେ ଆଖୁ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇପାରୁନାହାନ୍ତି। ଚିନି କଳ ଓ ଆଖୁ ଚାଷୀଙ୍କ ଉପରେ ରହିଥିବା ଋଣ ବୋଝକୁ ହାଲୁକା କରିବା ଏବଂ ଚିନି କଳରେ ପଡ଼ିରହିଥିବା ବଳକା ଚିନିକୁ ବିକ୍ରି କରିବାରେ ସହାୟତା ପ୍ରଦାନ କରିବା ପାଇଁ ସରକାର ଚିନିର ରପ୍ତାନି ଉପରେ ସବ୍‌ସିଡି ଦେଉଛନ୍ତି। ଉତ୍ପାଦିତ ହେଉଥିବା ଚିନି ଆନ୍ତର୍ଜାତିକ ବଜାରରେ ବିକ୍ରି ହୋଇଗଲେ ଋଣ ବୋଝ ହାଲୁକା ହୋଇପାରିବ ଏବଂ ଚାଷୀମାନେ ଠିକ୍ ସମୟରେ ନିଜ ପ୍ରାପ୍ୟ ପାଇପାରିବେ ବୋଲି ସରକାର ଭାବୁଛନ୍ତି। ସରକାର ଆଖୁ ଚାଷୀମାନଙ୍କୁ ଟନ୍ ପିଛା ସିଧାସଳଖ ୧୩୮ ଟଙ୍କାର ସହାୟତା ରାଶି ପ୍ରଦାନ କରୁଥିବା ବେଳେ ଚିନି କଳଗୁଡ଼ିକୁ ବନ୍ଦର ଠାରୁ କାରଖାନାର ଦୂରତା ବିଚାରକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ସବ୍‌ସିଡି ପ୍ରଦାନ କରୁଛନ୍ତି।

ସମ୍ବନ୍ଧିତ ଖବର