ସୋସିଆଲ ମିଡିଆରେ #ହ୍ୟାଣ୍ଡସଅଫ୍ ପରଟା ଟ୍ରେଣ୍ଡ୍ : ରୁଟି ଉପରେ ୫% ଥିବା ବେଳେ ପରଟା ଉପରେ ୧୮% ଜିଏସଟି କାହିଁକି

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଏବେ ରୁଟି ଓ ପରଟା ଉପରେ ଆଦାୟ କରାଯାଉଥିବା ଭିନ୍ନ ଭିନ୍ନ ହାରର ଜିଏସଟି ଚର୍ଚ୍ଚାର ବିଷୟ ପାଲଟିଛି। ଗହମ ଅର୍ଥାତ୍ ଅଟାରୁ ଉଭୟ ସାମଗ୍ରୀ ପ୍ରସ୍ତୁତ ହେଉଛି। କିନ୍ତୁ ରୁଟି ଉପରେ ୫ ପ୍ରତିଶତ ଜିଏସ୍‌ଟି ହୋଟେଲ ଗୁଡ଼ିକ ଆଦାୟ କରୁଥିବା‌ବେଳେ ପରଟାରୁ ୧୮ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ କରୁଛନ୍ତି। ବେଙ୍ଗାଲୁରୁର କମ୍ପାନି ଆଇଡି ଫ୍ରେସ୍ ଫୁଡ୍‌ସକୁ ଏକ ସ୍ବତନ୍ତ୍ର ଅଦାଲତ କହିଛନ୍ତି ଉଭୟ ଅଟା ପରଟା ଓ ମାଲବାର ପରଟା ୩ରୁ ୫ ଦିନ ପର୍ଯ୍ୟନ୍ତ ରଖି ଖିଆଯାଇ ପାରିଥାଏ। ‌ତେଣୁ ଏହା ରେଡି-ଟୁ-ଇଟ୍‌ ଖାଦ୍ୟ ବର୍ଗର ନୁହେଁ। ଏହାକୁ ଖାଇବା ପୂର୍ବରୁ ଗରମ କରିବାକୁ ପଡ଼ିଥାଏ। ତେଣୁ ଏହା ଉପରେ ୧୮ ପ୍ରତିଶତ ହାରରେ ଟିକସ ଆଦାୟ ଜାରି ରହିବ ବୋଲି ଅଦାଲତ କହିଛନ୍ତି। କିନ୍ତୁ ଖାକ୍ରା, ସାଧା ରୁଟି ରେଡି-ଟୁ-ଇଟ୍‌ ଖାଦ୍ୟ ବର୍ଗରେ ଆସୁଛି। ତେଣୁ ଏହା ଉପରେ ୫ ପ୍ରତିଶତ ହାରରେ ଜିଏସଟି ଆଦାୟ କରାଯାଉଛି ବୋଲି ଅଥରିଟି ଅଫ୍ ଆଡ୍‌ଭାନ୍ସ ରୁଲିଂସ୍‌ ପକ୍ଷରୁ କୁହାଯାଇଛି। ଅଥରିଟି ଅଫ୍ ଆଡଭାନ୍ସ ରୁଲିଂସ୍‌ ପକ୍ଷରୁ ଏହା କୁହାଯିବା ପରେ ସୋସିଆଲ ମିଡିଆରେ ଏହା ଉପରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।

ଏପରିକି ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ରୁଟି ଓ ପରଟାକୁ ଭିନ୍ନ ଟିକସ ବର୍ଗରେ ରଖାଯିବାକୁ କେତେକ ବ୍ୟକ୍ତି ଟ୍ବିଟରରେ ଏହାକୁ ସାଂସ୍କୃତିକ ବୈଷମ୍ୟବାଦ ବୋଲି କହିଛନ୍ତି। ରୁଟି ସାଧାରଣତଃ ଉତ୍ତର ଭାରତରେ ଲୋକମାନେ ଅଧିକ ମାତ୍ରାରେ ଖାଇଥାନ୍ତି। ଅନ୍ୟପକ୍ଷରେ ପରଟାକୁ ଦକ୍ଷିଣ ଭାରତରେ ଅଧିକ ଖିଆଯାଇଥାଏ। ତେବେ ଅନେକ ବ୍ୟକ୍ତି ଏହାକୁ ହାଲକା ଭାବେ ନେଇଛନ୍ତି। ଏହା କେବଳ ଉତ୍ପାଦକୁ ଟିକସ ବର୍ଗରେ ରଖାଯିବା ବିଷୟ। ଏସବୁ ଅଭିଯୋଗ ଅଣାଯିବା ଉଚିତ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି।

ଏହି ଟିକସ ପାର୍ଥକ୍ୟ ସଂପର୍କିତ ଖବର ଜଣାପଡ଼ିବା ପରେ ସୋସିଆଲ ମିଡିଆରେ #ହ୍ୟାଣ୍ଡସଅଫ୍ ପରଟା ଟ୍ରେଣ୍ଡ୍ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର