ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନି ଲିମିଟେଡ୍‌(ନାଲ୍‌କୋ)ର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଭାବେ ଦୁର୍ଗାପୁର ଷ୍ଟିଲ୍‌ ପ୍ଲାଣ୍ଟର ଡାଇରେକ୍ଟର ଇନ୍‌-ଚାର୍ଜ ବ୍ରିଜେନ୍ଦ୍ର ପ୍ରତାପ ସିଂହଙ୍କୁ ଚୟନ କରାଯାଇଛି। ଏହି ପଦରେ କାର୍ଯ୍ୟ କରୁଥିବା ଶ୍ରୀଧର ପାତ୍ରଙ୍କ ଉତ୍ତରାଧିକାରୀ ଭାବେ ସେ ଦାୟିତ୍ବ ଗ୍ରହଣ କରିବେ। ଶ୍ରୀ ପାତ୍ର କମ୍ପାନିର ସିଏମ୍‌ଡି ପଦରୁ ଚଳିତ ବର୍ଷ ଅକ୍ଟୋବର ୩୧ରେ ଅବସର ଗ୍ରହଣ କରିବେ। ୨୦୧୯ ଡିସେମ୍ବର ୧୭ରେ ତାଙ୍କୁ ନାଲ୍‌କୋ ସିଏମ୍‌ଡି ପଦରେ ନିଯୁକ୍ତି ମିଳିଥିଲା। ନାଲ୍‌କୋ ସିଏମ୍‌ଡି ପଦ ଲାଗି ଛଅ ଜଣଙ୍କ ସାକ୍ଷାତକାର ନିଆଯାଇଥିଲା। ଶ୍ରୀ ସିଂହଙ୍କ ବ୍ୟତୀତ ଏନ୍‌ଏଲ୍‌ସି ଇଣ୍ଡିଆର ନିର୍ଦ୍ଦେଶକ (ଖଣି) ସୁରେଶ ଚନ୍ଦ୍ର ସୁମନ, ରେଲ୍‌ଟେଲ୍‌ କର୍ପୋରେସନ୍ ଇଣ୍ଡିଆର ନିର୍ଦ୍ଦେଶକ (ଫାଇନାନ୍ସ) ଭି ରାମ ମନୋହର ରାଓ, ନାଲ୍‌କୋର ନିର୍ଦ୍ଦେଶକ (ପ୍ରୋଜେକ୍ଟ ଆଣ୍ଡ ଟେକ୍ନିକାଲ୍‌) ଜଗଦୀଶ ଅରୋରା, ସେଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଅଶୋକ କୁମାର ପଣ୍ଡା ଓ ଭାରତୀୟ ରାଜସ୍ବ ସେବା (ଆୟକର)ର ପ୍ରମୁଖ କମିସନର ଆଲୋକ ସିଂହ ନାଲ୍‌କୋ ସିଏମ୍‌ଡି ଦୌଡ଼ରେ ରହିଥିଲେ। ସରକାରୀ ଉଦ୍ୟୋଗ ଚୟନ ବୋର୍ଡ (ପିଇଏସ୍‌ବି) ତରଫରୁ ସେମାନଙ୍କ ସାକ୍ଷାତକାର ନେବା ପରେ ଶ୍ରୀ ସିଂହଙ୍କ ନାମକୁ ନାଲ୍‌କୋ ସିଏମ୍‌ଡି ପଦ ପାଇଁ ସୁପାରିସ କରାଯାଇଛି।

Advertisment

ଧାନବାଦର ଇଣ୍ଡିଆନ ସ୍କୁଲ୍ ଅଫ୍ ମାଇନ୍ସରୁ ମାଇନିଂ ମେସିନାରି ଉପରେ ବି. ଟେକ୍ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ସିଂହ ୧୯୮୯ରେ ସେଲ୍‌ ଅଧୀନ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟ୍‌ର ଲୁହା ପଥର ଖଣିରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ଖଣି, ବ୍ଲାଷ୍ଟ ଫର୍ଣ୍ଣେସ୍‌, ସିଣ୍ଟର ପ୍ଲାଣ୍ଟ ଏବଂ ରକ୍ଷଣାବେକ୍ଷଣ କ୍ଷେତ୍ରରେ ତାଙ୍କର ଦୀର୍ଘ ୩୨ ବର୍ଷର ଅଭିଜ୍ଞତା ରହିଛି। ୨୦୧୯ରେ ସେ ଭିଲାଇ ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅପରେସନ୍) ଭାବେ ପଦୋନ୍ନତି ପାଇଥିଲେ।