ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଚଳିତ ବର୍ଷ ଏପ୍ରିଲ୍ରୁ ପାଲଟା ଶୁଳ୍କ ଲଗାଇବା ଧମକ ଦେବା ପରେ ଭାରତ ସରକାର ଅଧା ବାଟରେ ଅଟକି ଥିବା ମୁକ୍ତ ବାଣିଜ୍ୟ ରାଜିନାମାଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ମର୍ମରେ ବ୍ରିଟେନ୍ ସରକାରଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି। ୧୦ ବର୍ଷ ମଧ୍ୟରେ ଦ୍ବିପାକ୍ଷିକ କାରବାରକୁ ଦ୍ବିଗୁଣିତ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି। ଆସନ୍ତାକାଲିଠାରୁ ୟୁରୋପୀୟ ସଂଘ (ଇୟୁ) ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାକୁ ଯାଉଛି। ୟୁରୋପର କାର୍ ଓ ମଦ ଉପରୁ ଭାରତ ଟିକସ କମ୍ କରୁ ବୋଲି ଇୟୁ ଚାହୁଛି।
ଗୁରୁବାରଠାରୁ ୟୁରୋପୀୟ କମିସନର ସଭାପତି ଉର୍ସୁଲା ଭନ୍ ଡେ ଲିୟେନ୍ ଦୁଇଦିନିଆ ଭାରତ ଗସ୍ତରେ ଆସିବେ। ତାଙ୍କ ସହିତ ସଂଘର ବିଭିନ୍ନ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ମଧ୍ୟ ଆସିବେ। ଉଭୟ ପକ୍ଷ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କିଭଳି ସହଯୋଗିତାକୁ ଆହୁରି ମଜଭୁତ କରାଯାଇପାରିବ, ତାହା ଉପରେ ଆଲୋଚନା କରିବେ। ଲିୟେନ୍ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ମଧ୍ୟ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଭାରତରେ ଆଲୋଚନା ସରିବା ପରେ ମାର୍ଚ୍ଚ ୧୦-୧୪ ପର୍ଯ୍ୟନ୍ତ ବ୍ରସେଲ୍ସରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ହେବ।
ଭାରତ ବିପୁଳ ପରିମାଣର ସାମଗ୍ରୀ ୟୁରୋପରୁ ମଗାଉଛି। ୨୦୨୪ରେ ଏହା ୧୨୬୦୦ କୋଟି ଡଲାରର ଜିନିଷ ମଗାଇଥିଲା। ଭାରତ ସହିତ ସହଯୋଗିତା ବଢ଼ାଇ ୟୁରୋପୀୟ ସଂଘ ଚୀନ୍ ଉପରେ ଥିବା ନିର୍ଭରଶୀଳତା କମ୍ କରିବାକୁ ଚାହୁଛି। ସାଇବର ନିରାପତ୍ତା ଓ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖିବା ଲାଗି ମଧ୍ୟ ଉଭୟ ପକ୍ଷ ସହଯୋଗିତା କରିବା ଉପରେ ବିଚାର କରୁଛନ୍ତି। ପ୍ରତିରକ୍ଷା ଉପକରଣ କାରବାର ମଧ୍ୟ ଆଲୋଚନାର ଏକ ଅଂଶ ଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/02/27/Gxf1sDDTz4oA2WmVLuIo.jpg)