ଲଣ୍ଡନ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନିରବ ମୋଦୀଙ୍କ ଉପରେ ବ୍ରିଟେନ ହାଇକୋର୍ଟଙ୍କ ଭରସା ନାହିଁ। ତାଙ୍କ ଉପରେ କୋର୍ଟ ବିଶ୍ବାସ ପ୍ରକଟ କରିପାରୁନାହାନ୍ତି। ସେଥିପାଇଁ ଚତୁର୍ଥ ଥର ନିମନ୍ତେ ନିରବଙ୍କ ଜାମିନକୁ ଖାରଜ କରିଦେଇଛନ୍ତି। କାହିଁକି ନିରବଙ୍କ ଜାମିନ ଆବେଦନ ଖାରଜ କରାଗଲା ତାହାର କାରଣ ମଧ୍ୟ କୋର୍ଟ ଜଣାଇଛନ୍ତି। କୋର୍ଟ କହିଛନ୍ତି ଯେ, ଆମେ ଆଶଙ୍କା କରୁଛୁ ଯଦି ନିରବଙ୍କୁ ଜାମିନ ପ୍ରଦାନ କରାଯିବ ତେବେ ସେ ଫେରାର ହୋଇଯିବେ। ସେ ଆଉ ଆତ୍ମସମର୍ପଣ କରିବେ ନାହିଁ। ନିରବ ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିଛନ୍ତି। ସେ ପ୍ରମାଣ ନଷ୍ଟ କରିବା ଉଦ୍ୟମ କରିଛନ୍ତି। ତଳ କୋର୍ଟ ଯେଉଁ ସବୁ ଆଶଙ୍କା ବ୍ୟକ୍ତ କରିଥିଲେ ବ୍ରିଟେନ ହାଇକୋର୍ଟର ବିଚାରପତି ଇନ୍ଗ୍ରିଡ୍ ସିମ୍ଲର୍ ତାହାକୁ ଦୋହରାଇଛନ୍ତି। ଆଜିର ଜାମିନ ଶୁଣାଣି ବେଳେ ନିରବଙ୍କୁ କୋର୍ଟରେ ହାଜର କରାଯାଇନଥିଲା। ଏବେ ସେ ଦକ୍ଷିଣ ଲଣ୍ଡନରେ ଥିବା ୱାଣ୍ଡସ୍ୱର୍ଥ ଜେଲ୍ରେ ଅଛନ୍ତି। ଆସନ୍ତା ଜୁନ୍ ୨୭ରେ ଭିଡିଓ ଲିଙ୍କ୍ ଜରିଆରେ ତାଙ୍କ ରିମାଣ୍ଡର ପରବର୍ତି ଶୁଣାଣି ହେବ। ନିରବଙ୍କୁ ଜାମିନ ପ୍ରଦାନ କରିବାକୁ ତାଙ୍କ ଆଇନଜୀବୀ ଯେତେ ପ୍ରକାର ଅନୁରୋଧ କରିଥିଲେ ଓ ଯୁକ୍ତି ଉପସ୍ଥାପନ କରିଥିଲେ ମଧ୍ୟ ତାହା ବିଚାରପତି ସିମ୍ଲର୍ଙ୍କୁ ସନ୍ତୁଷ୍ଟ କରିପାରିନଥିଲା। ଲଣ୍ଡନରୁ ଅନ୍ୟତ୍ର ପଳାୟନ କରିବାର କୌଣସି ଅଭିପ୍ରାୟ ନିରବଙ୍କର ନାହିଁ ବୋଲି ତାଙ୍କ ଆଇନଜୀବୀ କୋର୍ଟଙ୍କୁ ଜଣାଇଥିଲେ। ସେହି ଯୁକ୍ତିକୁ ସହଜରେ ଗ୍ରହଣ କରିହେଉନାହିଁ ବୋଲି କୋର୍ଟ କହିଥିଲେ। ନିରବ ଲଣ୍ଡନରେ ଅଳ୍ପ ସମୟ ରହିଛନ୍ତି। ଯଦି ତାଙ୍କୁ ଜାମିନରେ ମୁକ୍ତ କରାଯିବ ତେବେ ଭାରତ ସହ ପ୍ରତ୍ୟର୍ପଣ ଚୁକ୍ତି ସ୍ବାକ୍ଷର ହୋଇନଥିବା ଅନ୍ୟ କୌଣସି ଦେଶକୁ ସେ ଚାଲିଯିବେ। ଭାରତ ଫେରିବା ଭୟରେ ସେ ଆତ୍ମସମର୍ପଣ କରିବାକୁ ଚାହିବେ ନାହିଁ। ସେଠାରୁ ତାଙ୍କୁ ଭାରତ ସରକାର ସହଜରେ ଆଣି ମଧ୍ୟ ପାରିବେ ନାହିଁ ବୋଲି ବିଚାରପତି କହିଛନ୍ତି।
ଜେଲ୍ରେ ରହୁଥିବା ନିରବଙ୍କ ମାନସିକ ସ୍ଥିତି ଭଲ ନଥିବା ଜଣାପଡ଼ିଛି। ଅବଶ୍ୟ ଏ ସଂକ୍ରାନ୍ତରେ ତାଙ୍କ ଆଇନଜୀବୀ ଯେଉଁ ଦଲିଲ ଉପସ୍ଥାପନ କରିଥିଲେ ତାହାକୁ ଗୋପନ ରଖାଯାଇଛି। ଏହା ପୂର୍ବରୁ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ନିରବ ତିନି ଥର ଜାମିନ ଆବେଦନ କରି ନିରାଶ ହୋଇଥିଲେ। ଏହା ପରେ ଜାମିନ ପାଇଁ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ମାମଲାର ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖାଯାଇଥିଲା। ଆଜି ସେହି ରାୟ ପ୍ରକାଶ ପାଇଛି। ଗତ ମାର୍ଚରେ ନିରବଙ୍କୁ ଲଣ୍ଡନର ଏକ ବ୍ୟାଙ୍କ ଶାଖାରୁ ଗିରଫ କରାଯାଇଥିଲା। ସେହିଦିନ ଠାରୁ ସେ ଜେଲ୍ରେ ରହୁଛନ୍ତି। ବ୍ୟାଙ୍କକୁ ଖାତା ଖୋଲିବାକୁ ଆସିଥିବା ବେଳେ ସେ ଧରାପଡ଼ିଥିଲେ। ନିରବଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଖୁବ୍ଶୀଘ୍ର ଆରମ୍ଭ ହେବ। ଭାରତ ଫେରିଲେ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ ରହିବେ। ଜେଲ୍ରେ ତାଙ୍କ ପାଇଁ କ’ଣ ବ୍ୟବସ୍ଥା ରହିଛି ତାହା ବ୍ରିଟେନ୍ର କୋର୍ଟ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଖୁବ୍ଶୀଘ୍ର ଭାରତ ସରକାର ଜେଲ୍ର ଭିଡିଓ ପ୍ରମାଣ ଦାଖଲ କରିବେ। ଭାରତରେ ଫେରିଲେ ନିରବ ଓ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଗୋଟିଏ ସେଲ୍ରେ ରହିବେ ବୋଲି କୁହାଯାଉଛି।
ବ୍ରିଟେନ୍ ହାଇକୋର୍ଟଙ୍କ ଆଶଙ୍କା:ଜାମିନ ମିଳିଲେ ନିରବ ଫେରାର ହୋଇଯିବେ
ଚତୁର୍ଥ ଥର ଜାମିନ ଆବେଦନ ଖାରଜ
/sambad/media/post_attachments/wp-content/uploads/2019/06/nirav_Modi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)