ବ୍ରିଟେନ୍‌ର ଧନୀ ତାଲିକା ଶୀର୍ଷରୁ ଖସିଲେ ହିନ୍ଦୁଜା ଭ୍ରାତା

ଲଣ୍ଡନ: ବ୍ରିଟେନ୍‌ରେ ବାସ କରୁଥିବା ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଭାରତୀୟ ବଂଶୋଦ୍ଭବ ହିନ୍ଦୁଜା ଭ୍ରାତା ଦୀର୍ଘ ବର୍ଷ ହେଲା ଶୀର୍ଷରେ ରହି ଆସୁଥିବାବେଳେ ଚଳିତଥର ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି। ତାଲିକାର ଶୀର୍ଷସ୍ଥାନରେ କେମିକାଲ କମ୍ପାନି ଇନିଅସ୍‌ର ସିଇଓ ଜିମ୍‌ ରେଟ୍‌କ୍ଲିଫ୍‌ ରହିଛନ୍ତି। ରେଟ୍‌କ୍ଲିଫ୍‌ଙ୍କ ସମ୍ପତ୍ତି ପରିମାଣ ୨୧.୦୧ ବିଲିଅନ ପାଉଣ୍ଡ ବୋଲି ହିସାବ କରାଯାଇଛି। ସଣ୍ଡେ ଟାଇମ୍ସର ବାର୍ଷିକ ଧନୀ ତାଲିକାରେ କୁହାଯାଇଛି ହିନ୍ଦୁଜା ଭ୍ରାତା (ଶ୍ରୀଚାନ୍ଦ ଏବଂ ଗୋପୀଚାନ୍ଦ)ଙ୍କ ସମ୍ପତ୍ତି ୨୦.୬୪ ବିଲିଅନ୍‌ ପାଉଣ୍ଡ ରହିଛି। ତେବେ ୨୦୧୭ ତୁଳନାରେ ହିନ୍ଦୁଜା ଭ୍ରାତାଙ୍କ ସମ୍ପତ୍ତି ଚଳିତବର୍ଷ ୪.୪୪ ବିଲିଅନ ପାଉଣ୍ଡ ବୃଦ୍ଧି ଘଟିଛି। ଷ୍ଟିଲ ମ୍ୟାଗନେଟ୍‌ ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପରିବାର ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଗୋଟିଏ ସ୍ଥାନ ତଳକୁ ଖସି ଧନୀ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ୧୯୮୯ ମସିହାରୁ ଏହି ତାଲିକା ପ୍ରକାଶ ପାଇ ଆସୁଛି। ତେଣୁ ଚଳିତଥର ପ୍ରକାଶ ପାଇଥିବା ୩୦ତମ ସଂସ୍କରଣରେ ୧୦୦୦ ଜଣ ଧନୀ ବ୍ୟକ୍ତି ଓ ପରିବାରର ତାଲିକା ରହିଛି। ସେମାନଙ୍କ ମୋଟ ସମ୍ପତ୍ତି ୨୦୧୭ରେ ୬୫୮ ବିଲିଅନ ପାଉଣ୍ଡ ଥିବାବେଳେ ଚଳିତ ବର୍ଷ ଏଥିରେ ୧୦ ପ୍ରତିଶତ ବୃଦ୍ଧି ଘଟି ଏହା ୭୨୪ ବିଲିଅନ ପାଉଣ୍ଡରେ ପହଞ୍ଚିଛି। ସେହିଭଳି ଗତବର୍ଷ ତୁଳନାରେ ୧୧ଜଣ ନୂଆ ବିଲିୟନେୟାର ତାଲିକାରେ ସାମିଲ ହୋଇଛନ୍ତି। ଫଳରେ ଏହି ତାଲିକାରେ ମୋଟ ବିଲିୟନେୟାରଙ୍କ ସଂଖ୍ୟା ୧୪୫ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର