କମ୍ ଦାମରେ ଘରେ ପହଞ୍ଚିବ ବ୍ରଡ୍‌ବ୍ୟାଣ୍ଡ୍‌

ନୂଆଦିଲ୍ଲୀ: ଘରେ ଘରେ ସୁଲଭ ମୂଲ୍ୟର ବ୍ରଡ୍‌ବ୍ୟାଣ୍ଡ୍ ସେବା ପହଞ୍ଚାଇବା ଲାଗି ଲାଇସେନ୍ସ ଫି’ ହ୍ରାସ କରିବା ଉପରେ ସରକାର ବିଚାର କରୁଛନ୍ତି। ଯଦି ଏନେଇ କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ନିଆଯିବ ତେବେ ଲୋକମାନେ ସୁଲଭ ମୂଲ୍ୟରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପାଇପାରିବେ। ଲୋକମାନଙ୍କ ଘର ପର୍ଯ୍ୟନ୍ତ ଯେଉଁ ଫିକ୍ସଡ୍‌ ଲାଇନ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ଦିଆଯାଉଛି ତାହାର ଲାଇସେନ୍ସ ଫି’ କମ୍ କରାଯିବ। ଏହି ସେବା ସହ ସମ୍ପର୍କିତ ମନ୍ତ୍ରଣାଳୟଗୁଡ଼ିକ ଠାରୁ ସରକାର ମତାମତ ଲୋଡ଼ିଛନ୍ତି। ଏହା ପରେ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ ହୋଇ କ୍ୟାବିନେଟ୍‌ ବୈଠକରେ ଉପସ୍ଥାପନ କରାଯିବ। ବ୍ରଡବ୍ୟାଣ୍ଡ୍‌ ଲାଇସେନ୍ସ ଫି’ ହ୍ରାସ ପାଇଲେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ‌ଓ ଭୋଡାଫୋନ୍ ଆଇଡିଆ ଭଳି କଂପାନି ଲାଭବାନ ହେବେ। ତେବେ କେବଳ ଘରୋଇ ଗ୍ରାହକଙ୍କ ଲାଗି ଲାଇସେନ୍ସ ଫି’ କମ୍ କରିବା ଉପରେ ସରକାର ବିଚାର କରୁଛନ୍ତି।

ଏହି ସୁବିଧା ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ନାହିଁ। ଲାଇସେନ୍ସ ଫି’ ହ୍ରାସ କଲେ ସରକାର ୫୯୨୭ କୋଟି ଟଙ୍କା ହରାଇବେ। ମାତ୍ର ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟ‌ରନେଟ୍ ସୁଲଭ ମୂଲ୍ୟରେ ଲୋକମାନଙ୍କ ପାଖରେ ପହଞ୍ଚିଲେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେଥିରୁ ଯେଉଁ ରାଜସ୍ବ ମିଳିବ ତାହା ଏହି କ୍ଷତି ତୁଳନାରେ ଯଥେଷ୍ଟ ଅଧିକ ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ଆନ୍ତର୍ଜାତିକ ଟେଲିକମ୍ୟୁନିକେସନ୍ ୟୁନିୟନ ଏହାର ରିପୋର୍ଟରେ ଜଣାଇଥିଲା ଯେ ଯଦି ଫିକ୍ସଡ୍‌ ଲାଇନ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ୧୦% ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ତେବେ ମୁଣ୍ଡପିଛା ଆୟ ୧.୯ ପ୍ରତିଶତ ବୃଦ୍ଧି ହେବ। ସେହି ରିପୋର୍ଟକୁ ଆଧାର କରି ବ୍ରଡ୍‌ବ୍ୟାଣ୍ଡ୍ ଲାଇସେନ୍ସ ଫି’ କମ୍ କରିବା ଉପରେ ସରକାର ବିଚାର କରୁଛନ୍ତି।

ସମ୍ବନ୍ଧିତ ଖବର