ମୁମ୍ବାଇ: ସବୁକିଛି ଠିକ୍ ଥିଲା। ବୁଥ୍‌ବାହୁଡ଼ା ମତ ବିଜେପି ସପକ୍ଷରେ ଥିଲା ଏବଂ ଦେଶର ଜିଡିପି ୮.୨ ପ୍ରତିଶତ ଭଳି ଉଚ୍ଚ ହାରରେ ଆଗକୁ ବଢ଼ିବା ଯୋଗୁ ନିବେଶକମାନଙ୍କ ମନୋବଳ ମଧ୍ୟ ବେଶ୍‌ ଦୃଢ଼ ଥିଲା। ସେଥିପାଇଁ ସେମାନେ ସୋମବାର ବିପୁଳ ପରିମାଣର ସେୟାର କିଣିଥିଲେ, ଯାହାର ପ୍ରଭାବରେ ବମ୍ବେ ଷ୍ଟକ୍ ବଜାରର ସେନ୍‌ସେକ୍ସରେ ୨୫୦୭ ପଏଣ୍ଟର ବୃଦ୍ଧି ଘଟିଥିଲା। ମାତ୍ର ଭୋଟ୍‌ ଗଣତି ଆରମ୍ଭ ହେବା ବେଳକୁ ସବୁ କିଛି ଓଲଟ ପାଲଟ ହୋଇଗଲା। ବିଜେପିକୁ ସ୍ପଷ୍ଟ ବହୁମତ ନମିଳିବାର ଚିତ୍ର ଯେତିକି ସ୍ପଷ୍ଟ ହେଉଥିଲା, ଷ୍ଟକ୍ ବଜାରରେ ନିବେଶକମ‌ାନେ ସେତିକି ଅଧିକ ଷ୍ଟକ୍ ବିକ୍ରି କରୁଥିଲେ। ବଜାର ଖୋଲିବା ବେଳକୁ ସେନ୍‌ସେକ୍ସ ୨୦୦୦ ପଏଣ୍ଟରୁ ଅଧିକ ଖସିଯାଇଥିଲା। ଦିନତମାମ ସେନ୍‌ସେକ୍ସରେ ସେଭଳି ହ୍ରାସ ଜାରି ରହିଥିଲା। ଏକ ସମୟରେ ସେନ୍‌ସେକ୍ସ ୬୫୦୦ ପଏଣ୍ଟରୁ ଅଧିକ ତଳକୁ ଖସିଯାଇଥିଲା। ମାତ୍ର କାରବାର ଶେଷ ଆଡ଼କୁ ସେଥିରେ ସୁଧାର ଘଟିଥିଲା।

Advertisment

ଏକ୍‌ଜିଟ୍ ପୋଲ୍‌ରେ ବିଜେପି ଭଲ କରିବ ବୋଲି ପୂର୍ବାନୁମାନ ଆସିବା ପରେ ଷ୍ଟକ ମାର୍କେଟରେ ଗତକାଲି ବଡ଼ ଧରଣର ବୃଦ୍ଧି ଦେଖାଦେଇଥିଲା। କିନ୍ତୁ ଆଜି ନିର୍ବାଚନ ଫଳ ଆଶାନୁରୂପ ନହେବା କାରଣରୁ ଷ୍ଟକ୍‌ ବଜାର ଫିକା ପଡ଼ିଛି। କାରବାର ମଝିରେ ଉଭୟ ସେନସେକ୍ସ ଓ ନିଫ୍ଟିରେ ବୃହତ୍ ହ୍ରାସ ପରିଲକ୍ଷିତ ହୋଇଥିଲା। ପରେ ଅବଶ୍ୟ ଏଥିରେ କିଛିଟା ସୁଧାର ଆସିଥିଲା। କାରବାର ଶେଷବେଳକୁ ସେନସେକ୍ସ ୪୩୮୯ ପଏଣ୍ଟ ବା ୫.୭୪% ହ୍ରାସ ଘଟି ୭୨,୦୭୯ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୧୩୭୯ ପଏଣ୍ଟ ବା ୫.୯୩% ହ୍ରାସ ଘଟି ୨୧,୮୮୪ ପଏଣ୍ଟରେ ବନ୍ଦ ହୋଇଛି। ଷ୍ଟକ୍‌ ବଜାରରେ ବୃହତ୍ ହ୍ରାସ ଫଳରେ ନିବେଶକମାନଙ୍କର ପାଖାପାଖି ୩୧ ଲକ୍ଷ ଟଙ୍କାର ସଂପତ୍ତି ଧୋଇଯାଇଛି। ଗତକାଲି ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ପାଖାପାଖି ୪୨୬ ଲକ୍ଷ କୋଟି ଟଙ୍କା ଥିବାବେଳେ ଆଜି ଏହା ପାଖାପାଖି ୩୯୫ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି।

ଆଜି ଷ୍ଟକ୍ ବଜାରରେ କାରବାର ବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଆଦାନି ଗ୍ରୁପ୍‌ର ଷ୍ଟକ୍‌ଗୁଡ଼ିକ ଅଧିକ ପ୍ରଭାବିତ ହୋଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସେୟାର ମୂଲ୍ୟ ହ୍ରାସ ପାଇଛି। କେବଳ ଏଫ୍‌ଏମ୍‌ସିଜି କମ୍ପାନିଗୁଡ଼ିକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ରର ସଂସ୍ଥାଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ‌ଏନ୍‌ଡିଏ ସରକାର ଗଠନ କରିବାକୁ ଯାଉଥିଲେ ମଧ୍ୟ ବିଜେପି ଦଳ ଆଶାନୁରୂପ ପ୍ରଦର୍ଶନ କରି ନଥିବାରୁ ନିବେଶକମାନେ ଭାଙ୍ଗିପଡ଼ିଛନ୍ତି। ଏଥର ୪୦୦ରୁ ଅଧିିକ ସିଟ୍‌ ପାଇବାକୁ ଦାବି କରୁଥିବା ଏନ୍‌ଡିଏ ବହୁ ପଛରେ ରହିଯାଇଥିବାରୁ ପୂର୍ବ ଦୁଇ ପାଳି ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଆଉ ଆଖିଦୃଶିଆ ସଂସ୍କାର ସମ୍ଭବ ହେବ ନାହିଁ ବୋଲି ନିବେଶକମାନେ ଭାବୁଛନ୍ତି। ବୁଥ୍‌ବାହୁଡ଼ା ମତ ଉପରେ ଭରସା କରିଥିବା ନିବେଶକମାନଙ୍କ ମନ ଭାଙ୍ଗିଯାଇଛି। ବଜାରରେ କିଛିଦିନ ଅସ୍ଥିରତା ଲାଗି ରହିବା ଆଶା କରାଯାଉଛିି।