୨୦୨୦ ଏପ୍ରିଲ୍‌ରୁ ‘ବିଏସ୍‌-୪ କାର୍‌’ ବିକ୍ରି ବନ୍ଦ

ସୁପ୍ରିମକୋର୍ଟ ଜାରି କଲେ ଚୂଡ଼ାନ୍ତ ଦିଶାନିର୍ଦେଶ

ନୂଆଦିଲ୍ଲୀ: କାର୍‌ ଜରିଆରେ ହେଉଥିବା ବାୟୁ ପ୍ରଦୂଷଣକୁ ଗମ୍ଭୀରତାର ସହିତ ନେଇଛନ୍ତି ସୁପ୍ରିମକୋର୍ଟ। ଆଜି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ ୨୦୨୦ ଏପ୍ରିଲ୍ ୧ଠାରୁ ଦେଶରେ ବିଏସ୍‌-୪ ମାନର କୌଣସି କାର୍‌ ବିକ୍ରି ହୋଇପାରିବ ନାହିଁ। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ଦିଶାନିର୍ଦେଶ ଜାରି କରିଛନ୍ତି। ବିଚାରପତି ମଦନ ବି ଲୋକୁରଙ୍କ ନେତୃତ୍ବ‌େର ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି ଯେ, ୨୦୨୦ ଏପ୍ରିଲ୍‌ ୧ଠାରୁ ଦେଶରେ କେବଳ ବିଏସ୍‌-୬ ମାନର କାର୍‌ ବିକ୍ରି କରାଯିବ। ଦେଶରେ ଏବେ ବିଏସ୍‌-୪ ମାନର ଅଧିକାଂଶ କାର୍‌ ବିକ୍ରି ହେଉଛି। ବିଏସ୍‌-୬ ମାନର କାର୍‌ ନିର୍ମାଣ କରିବାକୁ ହେଲେ ପ୍ରଯୁକ୍ତିରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିବାକୁ ପଡ଼ିବ। ଏଥିପାଇଁ କାର୍‌ କଂପାନିଗୁଡ଼ିକୁ ଏବେଠାରୁ ପ୍ରସ୍ତୁତ ହେବାକୁ ହେବ। ବିଏସ୍‌-୪ କାର୍‌ ତୁଳନାରେ ବିଏସ୍‌-୬ କାର୍‌ଗୁଡ଼ିକ କମ୍ ବାୟୁ ପ୍ରଦୂଷଣ କରିବ। ୨୦୧୭ ଏପ୍ରିଲ୍‌ରେ ସାରା ଦେଶରେ ବିଏସ୍‌-୪ ନିୟମ ଲାଗୁ କରାଯାଇଥିଲା। ଏହା ପରେ ଆଉ ବିଏସ୍‌-୫ ନିୟମ ନଆଣି ସିଧାସଳଖ ବିଏସ୍‌-୬ ମାନଦଣ୍ଡ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ବିଏସ୍‌-୬ ମାନଦଣ୍ଡର ପେଟ୍ରୋଲ୍‌ ଓ ଡିଜେଲ୍ ମଧ୍ୟ ସାରା ଦେଶରେ ଉପଲବ୍ଧ ହେବ। ୨୦୧୬ରୁ ସରକାର ସ୍ପଷ୍ଟ କରିଦେଇଥିଲେ ଯେ ବିଏସ୍‌-୫ ନୁହେଁ ସିଧାସଳଖ ବିଏସ୍‌-୬ ନିୟମ ଲାଗୁ କରାଯିବ। ବିଏସ୍‌-୬ ନିୟମ ଲାଗୁ କରିବାର ଅବଧିକୁ ଆଉ କିଛି ମାସ ଘୁଞ୍ଚାଇବା ପାଇଁ ଦାବି ହେଉଥିଲା। କାର୍‌ କଂପାନିଗୁଡ଼ିକୁ ଏଥିପାଇଁ ଅଧିକ ସମୟ ଦିଆଯିବା ଦରକାର ନା ନାହିଁ ସେ ବିଷୟରେ ଆଜି କୋର୍ଟ ବିଚାର କରିଥିଲେ।

ଏହି ମାମଲାରେ ପୂର୍ବରୁ ଶୁଣାଣି କରିଥିବା ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ଯେ, ୨୦୨୦ ମାର୍ଚ ୩୧ ପର୍ଯ୍ୟନ୍ତ ଯେତେ ସବୁ ବିଏସ୍‌-୪ ମାନର କାର୍‌ ନିର୍ମାଣ କରାଯିବ ତାହାକୁ କଂପାନିଗୁଡ଼ିକ ସେହିବର୍ଷ ଜୁନ୍ ୩୦ ପର୍ଯ୍ୟନ୍ତ ବିକ୍ରି କରିପାରିବେ। ମାତ୍ର କୋର୍ଟଙ୍କ ଏହି ନିର୍ଦେଶକୁ ବାୟୁ ପ୍ରଦୂଷଣ ମାମଲାରେ ଆମିକସ୍‌ କ୍ୟୁରି ଭାବେ ନିଯୁକ୍ତ ହୋଇଥିବା ଆଇନଜୀବୀ ଅପରାଜିତା ସିଂହ ବିରୋଧ କରିଥିଲେ। ବିଏସ୍‌-୪ ମାନର ଭାରି ଯାନଗୁଡ଼ିକୁ ବିକ୍ରି ପାଇଁ ୨୦୨୦ ସେ‌େପ୍ଟମ୍ବର ୩୦ ପର୍ଯ୍ୟନ୍ତ କଂପାନିଗୁଡ଼ିକୁ ସମୟ ଦିଆଯିବା ବିଷୟକୁ ମଧ୍ୟ ସେ ବିରୋଧ କରିଥିଲେ। ବିଏସ୍‌-୪ ମାନର କାର୍‌ ଷ୍ଟକଗୁଡ଼ିକୁ ବିକ୍ରି କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଉ ବୋଲି କାର୍‌ କଂପାନିଗୁଡ଼ିକ ଦାବି କରୁଥିଲେ। ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ ଏ ଏନ୍‌ ଏସ୍‌ ନାଦକର୍ଣ୍ଣି ମଧ୍ୟ କହିଥିଲେ ଯେ, ପୁରୁଣା ଷ୍ଟକ ବିକ୍ରି କରିବା ପାଇଁ କାର୍‌ କଂପାନିଗୁଡ଼ିକ ୨୦୨୦ ଏପ୍ରିଲ୍ ୧ ପରେ ତିନିରୁ ଛଅ ମାସର ଅତିରିକ୍ତ ସମୟ ଦିଆଯିବା ଉଚିତ।

ସମ୍ବନ୍ଧିତ ଖବର