ଭୁବନେଶ୍ୱର: ଦିଲ୍ଲୀରେ ବିଏସ୍‌-୬ ମାନର ଇନ୍ଧନ ବିକ୍ରି ଆଜି ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ କନ୍‌ଷ୍ଟିଚ୍ୟୁସନ୍‌ କ୍ଲବ୍‌ରେ ଏକ କାର୍ଯ୍ୟକ୍ରମରେ ଇନ୍ଧନ ପ୍ରଚଳନ ଆରମ୍ଭ ହେବା ଘୋଷଣା କରି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ବିଏସ୍‌-୬ ମାନର ଇନ୍ଧନ ପ୍ରଚଳନ ହେବା ଦିଲ୍ଲୀବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। କାର୍ବନ ନିର୍ଗମନର ବିଶ୍ୱମାନ ହାସଲ କରିବା ପାଇଁ ଦିଲ୍ଲୀରେ ବିଏସ୍‌-୫ ବଦଳରେ ବିଏସ୍‌-୬ ଇନ୍ଧନକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ୟୁରୋ-୬ ନିର୍ଗମନ ମାନକୁ ଲାଗୁ କରିଥିବା କିଛି କିଛି ଦେଶମାନଙ୍କ ସମୂହରେ ଭାରତ ବର୍ତ୍ତମାନ ପ୍ରବେଶ କରିଛି। ଏହା ଦ୍ୱାରା ଯାନବାହନରୁ ପ୍ରଦୂଷଣକୁ କମ୍‌ କରାଯାଇପାରିବ। ଦିଲ୍ଲୀରେ ପ୍ରଦୂଷଣ ଚିନ୍ତାଜନକ ଥିଲା ବେଳେ ଏହାକୁ କମ୍‌ କରିବାରେ ସ୍ୱଚ୍ଛ ବିଏସ୍‌-୬ ଇନ୍ଧନ ଖୁବ୍‌ ସହାୟକ ହେବ। ସେଣ୍ଟର୍‌ ଫର୍‌ ସାଇନ୍‌ସ୍‌ ଆଣ୍ଡ୍‌ ଏନଭର୍ନମେଣ୍ଟ୍‌ର ମହାନିର୍ଦ୍ଦେଶକ ସୁନିତା ନାରାୟଣ ଏଥିପାଇଁ ସରକାରଙ୍କ ପ୍ରଶଂସା କରିଥିଲେ।