ନୂଆଦିଲ୍ଲୀ: କରୋନା ମହମାରୀ ମୁକାବିଲା ଲାଗି ଦେଶରେ ଗତ ମାର୍ଚ୍ଚ ୨୫ରୁ ଲକ୍ଡାଉନ୍ ଲାଗୁ କରାଯାଇଥିଲା। ଏହା ପୂର୍ବରୁ ଦେଶରେ ବିକ୍ରି ହୋଇଥିବା ବିଏସ୍-୪ ଗାଡ଼ିଗୁଡ଼ିକର ପଞ୍ଜୀକରଣ ଲାଗି ସୁପ୍ରିମକୋର୍ଟ ଆଜି ଅନୁମତି ଦେଇଛନ୍ତି। ସରକାରଙ୍କ ବାହନ ପୋର୍ଟାଲରେ ଯେଉଁ ଗାଡ଼ିଗୁଡ଼ିକର ବିବରଣୀ ଅପ୍ଲୋଡ୍ କରାଯାଇଛି ସେହି ଗାଡ଼ିଗୁଡ଼ିକର ପଞ୍ଜୀକରଣ ହେବ। ଲକ୍ଡାଉନ୍ ସମୟରେ ବିକ୍ରି ହୋଇଥିବା ଗାଡ଼ିର ପଞ୍ଜୀକରଣ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଯେଉଁ ଗାଡ଼ିଗୁଡ଼ିକର ବିବରଣୀ ବାହନ ପୋର୍ଟାଲ୍ରେ ନାହିଁ ତାହା ପଞ୍ଜୀକରଣ ହେବ ନାହିଁ। ଦେଶରେ ଲକ୍ଡାଉନ୍ ଲାଗୁ କରାଯିବା ପରେ ୩୯ ହଜାର ବିଏସ୍-୪ ଗାଡ଼ି ବିକ୍ରି ହୋଇଥିଲା।
ବିନା ବ୍ୟାଟେରିର ଇଲେକ୍ଟ୍ରିକ ଯାନ ବିକ୍ରି ଲାଗି ଅନୁମତି
ନୂଆଦିଲ୍ଲୀ: ବିନା ବ୍ୟାଟେରିର ଦୁଇ ଚକିଆ ଓ ତିନି ଚକିଆ ଇଲେକ୍ଟ୍ରିକ୍ ଯାନଗୁଡ଼ିକର ବିକ୍ରି ଓ ପଞ୍ଜୀକରଣ ଲାଗି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁମତି ଦେଇଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବ୍ୟାଟେରିର ଦାମ୍ ଇଲେକ୍ଟ୍ରିକ ଯାନ ମୂଲ୍ୟର ୩୦-୪୦ ପ୍ରତିଶତ ସହ ସମାନ। ତେଣୁ ବ୍ୟାଟେରି ନଥିବା ଗାଡ଼ି କମ୍ ଦାମ୍ରେ ଉପଲବ୍ଧ ହେବ। ଫଳରେ ଏଭଳି ଗାଡ଼ିର ଗ୍ରହଣୀୟତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ହିରୋ ଇଲେକ୍ଟ୍ରିକ୍ର ଏମ୍ଡି ନବୀନ ମୁଞ୍ଜାଲ ସ୍ବାଗତ କରିଛନ୍ତି। ପ୍ରତିଟି ଲୋକଙ୍କ ପାଖରେ ଇଲେକ୍ଟ୍ରିକ୍ ଯାନ ପହଞ୍ଚାଇବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି।