ବିଏସ୍‌ ୬ ପ୍ରଭାବ: ଗାଡ଼ି ଦାମ୍ ୧୦% ବଢ଼ିଯିବ

ନୂଆଦିଲ୍ଲୀ: ଦେଶରେ ଆସନ୍ତା ଏପ୍ରିଲ ପହିଲାରୁ ଭାରତ ଷ୍ଟେଜ୍ ବା ବିଏସ୍ ୬ ମାନଦଣ୍ଡ କାର୍ଯ୍ୟକାରୀ ହେବ। ଏହି ନୂଆ ମାନଦଣ୍ଡ କାର୍ଯ୍ୟକାରୀ ହେଲେ ଦେଶରେ ଗାଡ଼ି ଦାମ୍ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ। ଭାରତୀୟ ‌ଅଟୋମୋବାଇଲ ନିର୍ମାତା ସଂଘ ବା ସିଆମ୍ ପକ୍ଷରୁ ଏଭଳି ଆକଳନ କରାଯାଇଛି। ଗତକାଲି ୨୦୧୯ ବର୍ଷର ଗାଡ଼ି ବିକ୍ରି ସଂଖ୍ୟା ଉପସ୍ଥାପନ କରିବା ସମୟରେ ସିଆମ୍ ସଭାପତି ରାଜନ ୱାଧେରା ଏହା କହିଛନ୍ତି। ବିଏସ୍ ୬ ମାନଦଣ୍ଡ ଉପରେ ମତ ରଖି ଶ୍ରୀ ୱାଧେରା କହିଛନ୍ତି, ଏଥିଯୋଗୁଁ ପରିସ୍ଥିତି ଜଟିଳ ହେବ। ବାଣିଜ୍ୟିକ ଯାନର ମୂଲ୍ୟ ୮ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ ବୋଲି ଆମେ ଅନୁମାନ କରୁଛୁ। ଏଥିଯୋଗୁ ଚାହିଦା ପ୍ରଭାବିତ ହେବ। ଯଦି ଅର୍ଥନୈତିକ ଅଭିବୃଦ୍ଧି ଭଲ ରହେ ତା’ହେଲେ ପରିସ୍ଥିତି ସେତେଟା ଖରାପ ରହିବ ନାହିଁ ବୋଲି ଶ୍ରୀ ୱାଧେରା କହିଛନ୍ତି। ସେହିଭଳି ଯାତ୍ରୀବାହୀ ଯାନ ମୂଲ୍ୟ ୩ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ। ଏହାର ପ୍ରଭାବ ମଧ୍ୟ ବିକ୍ରି ଉପରେ ପଡ଼ିବ। ତେଣୁ ଏହି କ୍ଷେତ୍ରର ଗାଡ଼ି ବିକ୍ରି ସ୍ଥିର ରହିପାରେ। ସେହିଭଳି ଦୁଇ ଚକିଆ ଯାନର ଚାହିଦା ଗ୍ରାମାଞ୍ଚଳରେ କମ୍ ରହିଛି। ଆଗାମୀ ଦିନରେ ମଧ୍ୟ ଏହି ସମସ୍ୟା ଲାଗି ରହିପାରେ ବୋଲି ସେ କହିଛନ୍ତି।

ତେବେ ଅର୍ଥନୀତି ଯଦି ୬ରୁ ୭ ପ୍ରତିଶତ ହାରରେ ବଢ଼େ ତା’ହେଲେ ଅଟୋମୋବାଇଲ ଶିଳ୍ପରେ ଅଭିବୃଦ୍ଧି ଗତ ବର୍ଷକ ପୂର୍ବେ ଯାହା ଥିଲା ସେହି ସ୍ତରକୁ ଫେରିପାରେ। ଉଲ୍ଲେଖଯୋଗ୍ୟ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅଟୋମୋବାଇଲ ଶିଳ୍ପରେ ଚଳିତବର୍ଷ ଏପ୍ରିଲରୁ ବିଏସ୍‌ ୬ ମାନଦଣ୍ଡ କାର୍ଯ୍ୟକାରୀ ହେବ। ନୂଆ ମାନଦଣ୍ଡ ଅନୁଯାୟୀ ଉଭୟ ଗାଡ଼ି ନିର୍ମାତା ଏବଂ ପେଟ୍ରୋଲ ଏବଂ ଡିଜେଲ ବିକ୍ରେତାମାନେ ସେମାନଙ୍କ ଉତ୍ପାଦରେ ଉନ୍ନତି ଆଣିବେ। ବିଏସ-୪ ମାନଦଣ୍ଡର ଇନ୍ଧନରେ ବିଏସ-୬ ମାନଦଣ୍ଡର ଗାଡ଼ି ଚଳାଇଲେ ଗାଡ଼ି ଇଞ୍ଜିନ ଖରାପ ହେବା ଆଶଙ୍କା ରହିଛି। ବିଏସ୍ ୬ ଏବଂ ବିଏସ୍ ୪ ମାନଦଣ୍ଡ ମଧ୍ୟରେ ଗୋଟିଏ ବଡ଼ ପାର୍ଥକ୍ୟ ହେଲା ବିଏସ୍ ୬ ଇନ୍ଧନରେ ୫ ଗୁଣ କମ୍ ସଲଫର ରହିଥାଏ। ଏତଦବ୍ୟତୀତ ପେଟ୍ରୋଲ ଏବଂ ଡିଜେଲର ଦହନ ଇଞ୍ଜିନରେ ହେଲେ ପ୍ରଦୂଷଣ ମଧ୍ୟ କମ୍ ରହିବ। ଆଗାମୀ ଦିନରେ ନୂଆ ମାନଦଣ୍ଡର ଗାଡ଼ି ବାଧ୍ୟତାମୂଳକ ହେବାକୁ ଥିବାରୁ ମାରୁତି ସୁଜୁକି, ହୁଣ୍ଡାଇ, ଟୟୋଟା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏବଂ କିଆ ମୋଟର୍ସ ଭଳି ପ୍ରମୁଖ କମ୍ପାନି ଏହି ମାନଦଣ୍ଡର କେତେକ ମଡେଲ ବଜାରକୁ ଆଣିଲେଣି।

ସମ୍ବନ୍ଧିତ ଖବର