ମୁମ୍ବାଇ: ମେ' ୨୧ ମଙ୍ଗଳବାର ଦିନ ଭାରତୀୟ ଷ୍ଟକ ବଜାର ଏକ ନୂଆ ରେକର୍ଡ ସ୍ଥାପନ କରିଛି। ଏହି ସମୟ ମଧ୍ୟରେ ପ୍ରଥମ ଥର ପାଇଁ ବିଏସଇରେ ତାଲିକାଭୁକ୍ତ ସେୟାରଗୁଡ଼ିକର ମୋଟ ବଜାର ପୁଞ୍ଜି ବା ମାର୍କେଟ କ୍ୟାପିଟାଲାଇଜେସନ ୫ ଟ୍ରିଲିୟନ ଡଲାର ଅତିକ୍ରମ କରିଛି । ପରବର୍ତ୍ତୀ ସମୟରେ ବଜାର ବନ୍ଦ ହେବା ବେଳକୁ ବିଏସଇରେ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ମାର୍କେଟ୍ କ୍ୟାପ୍ ୪୧୪.୬୨ ଲକ୍ଷ କୋଟି ଟଙ୍କା ଥିଲା।

Advertisment

ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ବଜାର ମୂଲ୍ୟ ଗତ ୬ ମାସ ମଧ୍ୟରେ ୧ ଟ୍ରିଲିୟନ ଡଲାର ବୃଦ୍ଧି ପାଇଛି । ଏହା ପୂର୍ବରୁ ୨୦୨୩ ନଭେମ୍ବର ୨୯ରେ ପ୍ରଥମ ଥର ପାଇଁ ଭାରତୀୟ ଷ୍ଟକ ବଜାରର ମୋଟ ବଜାର ମୂଲ୍ୟ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଥିଲା। ସେବେଠାରୁ ୬ ମାସ ମଧ୍ୟରେ ଷ୍ଟକ ବଜାରର ମୋଟ ବଜାର ମୂଲ୍ୟ ଏକ ଟ୍ରିଲିୟନ ଡଲାର ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଷ୍ଟକ ବଜାର। କେବଳ ହଂକଂ, ଜାପାନ, ଚାଇନା ଓ ଆମେରିକା ଭାରତଠାରୁ ଆଗରେ ଅଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ସାକ୍ଷାତକାରରେ କହିଥିଲେ ଯେ ଜୁନ୍ ୪ରେ ଲୋକସଭା ନିର୍ବାଚନର ଫଳାଫଳ ପରେ ଷ୍ଟକ ବଜାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିବ।