ଅଟକିଲା ବିଏସ୍‌ଏନ୍‌ଏଲ୍‌-ଏମ୍‌ଟିଏନ୍‌ଏଲ୍‌ ମିଶ୍ରଣ, ସଂସଦରେ ସୂଚନା ଦେଲେ ମନ୍ତ୍ରୀ

ନୂଆଦିଲ୍ଲୀ : ଦୁଇ ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌) ଓ ମହାନଗର ଟେଲିକମ୍ ନିଗମ ଲିମିଟେଡ୍‌ (ଏମ୍‌ଟିଏନ୍‌ଏଲ୍‌) ମଧ୍ୟରେ ଆଉ ମିଶ୍ରଣ ହେବ ନାହିଁ। ଏହି ପ୍ରସ୍ତାବିତ ମିଶ୍ରଣକୁ କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ଲୋକସଭାରେ କେନ୍ଦ୍ର ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ସୂଚନା ଦେଇଛନ୍ତି। ଆର୍ଥିକ କାରଣ ଯୋଗୁଁ ବିଏସ୍‌ଏନ୍‌ଏଲ୍‌-ଏମ୍‌ଟିଏନ୍‌ଏଲ୍‌ ମିଶ୍ରଣ ରଦ୍ଦ କରାଯାଇଛି। ତେବେ ଶ୍ରୀ ପ୍ରସାଦ କହିଛନ୍ତି ଯେ ଦୁଇ କଂପାନି ଭିତରେ ସହଯୋଗିତା ଏବଂ ସେବା ସମନ୍ବୟ ଜାରି ରହିବ। ଟେଲିକମ୍ ବଜାରରେ ମୁକେଶ ଅମ୍ବାନିଙ୍କ କଂପାନି ଜିଓ ପ୍ରବେଶ କରିବା ପରେ ପୁରୁଣା ଟେଲିକମ୍ ସଂସ୍ଥାଗୁଡ଼ିକ ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିଲେ। କିଛି ସଂସ୍ଥା ବନ୍ଦ ମଧ୍ୟ ହୋଇଯାଇଛି। ଜିଓ ଜରିଆରେ ଯେଉଁ ଝଡ଼ ଆସିଥିଲା ସେଥିରେ ଦୁଇ ସରକାରୀ ଟେଲିକମ୍ କଂପାନି ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ମଧ୍ୟ ଗୁରୁତର ପ୍ରଭାବିତ ହୋଇଥିଲେ। ଦୁଇ ସଂସ୍ଥା ଘୋର ଆର୍ଥିକ ସଙ୍କଟରେ ପଡ଼ିଯାଇଥିଲେ। ଉଭୟ କଂପାନିକୁ ଉଦ୍ଧାର କରିବା ଲାଗି ସରକାର ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଦୁଇ ସଂସ୍ଥା ମଧ୍ୟରେ ମିଶ୍ରଣ ହେବ ବୋଲି ଘୋଷଣା କରାଯାଇଥିଲା।

୨୦୧୯ ଅକ୍ଟୋବରରେ ସେହି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମଧ୍ୟ ମିଳିଥିଲା। ମିଶ୍ରଣ ପ୍ରକ୍ରିୟାର ଅଂଶସ୍ବରୂପ ଅନେକ କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ମଧ୍ୟ ଦିଆଯାଇଛି। ତେବେ ଏହି ପ୍ରସ୍ତାବିତ ମିଶ୍ରଣରେ ସବୁଠୁ ବଡ଼ ପ୍ରତିବନ୍ଧକ ଭାବେ ଯାହା ଉଭା ହୋଇଥିଲା ତାହା ହେଉଛି ଏମ୍‌ଟିଏନ୍‌ଏଲ୍‌ ଉପରେ ଥିବା ୨୦ ହଜାର କୋଟି ଟଙ୍କାର ଋଣ। କେନ୍ଦ୍ର ସରକାର ଯେଉଁ ମିଶ୍ରଣ ଯୋଜନା ପ୍ରସ୍ତୁତ କରିଥିଲେ ତାହାର ମୂଲ୍ୟ ୬୯ ହଜାର କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସେଥିପାଇଁ ‌ସରକାର ୨୦,୧୪୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବେ ବୋଲି କହିଥିଲେ। ସେହି ଟଙ୍କାକୁ ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆରମ୍ଭ କରିବାରେ ଖର୍ଚ୍ଚ କରିବାର ଥିଲା। ଏହା ବ୍ୟତୀତ ସ୍ପେକ୍ଟ୍ରମ୍ ଉପରେ ଲାଗିବାକୁ ଥିବା ୩୬୭୪ କୋଟି ଟଙ୍କାର ଜିଏସ୍‌ଟି ବ୍ୟୟକୁ ମଧ୍ୟ କେନ୍ଦ୍ର ସରକାର ବହନ କରିବେ ବୋଲି କହିଥିଲେ। ପୁନରୁଦ୍ଧାର ଯୋଜନା ଅନୁସାରେ ଉଭୟ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ୧୫ ହଜାର କୋଟି ଟଙ୍କାର ସୋଭ୍‌ରେନ୍ ବଣ୍ଡ୍ ଜାରି କରିଥାନ୍ତେ। ଏହା ବ୍ୟତୀତ ସେମାନଙ୍କ ପାଖରେ ଯେଉଁ ସମ୍ପତ୍ତି ରହିଛି ସେଗୁଡ଼ିକୁ ବ୍ୟବହାର କରି ଚାରି ବର୍ଷରେ ୩୮ ହଜାର କୋଟି ଟଙ୍କା ହାସଲ କରିବାର ଯୋଜନା ଥିଲା।

ସମ୍ବନ୍ଧିତ ଖବର