୩୦୦୦ କୋଟି ବକେୟା ଅସୁଲ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସରକାରୀ ଦୂରସଂଚାର କଂପାନି ବିଏସ୍‌ଏନ୍‌ଏଲ୍‌ ନିଜ ସ୍ଥିତି ଦୃଢ଼ କରିବାକୁ ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରିଛି। ବିଭିନ୍ନ ସଂସ୍ଥା ଉପରେ ବାକି ପଡ଼ିଥିବା ୩୦୦୦ କୋଟି ଟଙ୍କା ଆଦାୟ କରିବାକୁ କଂପାନି ନିଷ୍ପତ୍ତି ନେଇଛି। ଆସନ୍ତା ଦୁଇ ତିନି ମାସ ଭିତରେ ଏହି ଟଙ୍କା ଆଦାୟ କରାଯିବ ବୋଲି କଂପାନିର ସିଏମ୍‌ଡି ପି କେ ପୁରୱାର କହିଛନ୍ତି। ପ୍ରତିଦିନ କେତେ ବକେୟା ଅସୁଲ ହେଲା ତାହା ଉପରେ କଂପାନି ନଜର ରଖିବ। ବିଭିନ୍ନ ଉପାୟରେ କଂପାନି ନିଜର ଆୟ ବଢ଼ାଇବାକୁ ଯୋଜନା ପ୍ରସ୍ତୁତ କରିଛି। ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଥିବା ସମ୍ପତ୍ତିକୁ ଭଡ଼ା ଦେଇ ୧୦୦୦ କୋଟି ଟଙ୍କା ଆୟ କରିବାକୁ କଂପାନି ଚାହୁଛି। ଏହା ବ୍ୟତୀତ ବ୍ୟବହାର ନହୋଇ ପଡ଼ିରହିଥିବା ଜମିଗୁଡ଼ିକୁ ମଧ୍ୟ ବିକ୍ରି କରିବାକୁ କଂପାନି ଉଦ୍ୟମ କରୁଛି। ବର୍ଷକୁ ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବା ଲାଗି କଂପାନି ଏହାର କେତେକ କାମକୁ ଆଉଟ୍‌ସୋର୍ସ କରିବ।

ସମ୍ବନ୍ଧିତ ଖବର