ନୂଆଦିଲ୍ଲୀ: ଜୁଲାଇ ମାସରେ ଦେଶରେ ପ୍ରମୁଖ ଘରୋଇ ଟେଲିଫୋନ କମ୍ପାନି ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆର ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ହ୍ରାସ ପାଇଛି। କେବଳ ରାଷ୍ଟ୍ରାୟତ୍ତ କମ୍ପାନି ବିଏସ୍ଏନ୍ଏଲ୍ର ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ଘଟିଛି। ଘରୋଇ କମ୍ପାନିଗୁଡ଼ିକ ଗତମାସରେ ଟେଲିକମ୍ ଶୁଳ୍କ ବୃଦ୍ଧି କରିବା ଫଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଜୁଲାଇ ମାସରେ ଘରୋଇ କମ୍ପାନିଗୁଡ଼ିକ ମୋବାଇଲ ଫୋନ ଶୁଳ୍କରେ ପ୍ରାୟ ୧୧ରୁ ୨୫ ପ୍ରତିଶତ ବୃଦ୍ଧି କରିଥିଲେ। କିନ୍ତୁ ବିଏସ୍ଏନ୍ଏଲ୍ ଶୁଳ୍କ ବୃଦ୍ଧି ନକରିବା ସମେତ ଦେଶରେ ୪ ଜି ସେବାର ସଂପ୍ରସାରଣ କରିବାରୁ ଏହାର ଗ୍ରାହକଙ୍କ ସଂଖ୍ୟା ବଢ଼ିଛି। ଟ୍ରାଇ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଜୁଲାଇରେ ଏୟାରଟେଲ ୧୬ ଲକ୍ଷ ୯୦ ହଜାର, ଭୋଡାଫୋନ ଆଇଡିଆ ୧୪ ଲକ୍ଷ ୧୦ ହଜାର ଏବଂ ଜିଓ ୭ ଲକ୍ଷ ୫୦ ହଜାର ଗ୍ରାହକ ହରାଇଛନ୍ତି। ଅନ୍ୟପକ୍ଷରେ ବିଏସ୍ଏନ୍ଏଲ୍ର ଗ୍ରାହକଙ୍କ ସଂଖ୍ୟାରେ ୨୯ ଲକ୍ଷ ୩୦ ହଜାର ବୃଦ୍ଧି ହୋଇଛି। ଜୁଲାଇରେ ଦେଶରେ ମୋବାଇଲ ଫୋନ୍ ଗ୍ରାହକଙ୍କ ସଂଖ୍ୟା ୯ ଲକ୍ଷ ୨୨ ହଜାର ହ୍ରାସ ପାଇଛି। ଜୁନରେ ଦେଶର ମୋବାଇଲ ଗ୍ରାହକଙ୍କ ସଂଖ୍ୟା ୧୧୭ କୋଟି ୫ ଲକ୍ଷ ୨୮ ହଜାର ଥିବାବେଳେ ଜୁଲାଇରେ ୧୧୬ କୋଟି ୯୬ ଲକ୍ଷ ୫୯୩୨କୁ ଖସିଆସିଛି।
ଓଡ଼ିଶାରେ ବିଏସ୍ଏନ୍ଏଲ୍, ଜିଓ ଯୋଡ଼ିଲେ
ଭୁବନେଶ୍ବର: ଦେଶର ମୋଟ ୨୨ଟି ଟେଲିକମ୍ ସର୍କଲ ମଧ୍ୟରୁ ୧୨ଟାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟା କମିଥିବାବେଳେ ୧୦ଟି ସର୍କଲରେ ଗ୍ରାହକଙ୍କ ସଂଖ୍ୟା ବଢ଼ିଛନ୍ତି। ଓଡ଼ିଶା ଟେଲିକମ୍ ସର୍କଲରେ ସର୍ବାଧିକ ୨ ଲକ୍ଷ ୫ ହଜାର ୯୩୬ ଜଣ ମୋବାଇଲ ଗ୍ରାହକ ବଢ଼ିଛନ୍ତି। ଫଳରେ ଓଡ଼ିଶାରେ ଜୁଲାଇ ମାସରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୪୩ ଲକ୍ଷ ୭୭ ହଜାର ୫୫୧ରେ ପହଞ୍ଚିଛି ବୋଲି ଟ୍ରାଇ ରିପୋର୍ଟରୁ ଜଣାଯାଇଛି। ଜୁନ୍ ମାସରେ ଓଡ଼ିଶାରେ ମୋଟ ମୋବାଇଲ ଫୋନ ଗ୍ରାହକଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷ ୭୧ ହଜାର ୬୧୫ ରହିଥିଲା।
ଓଡ଼ିଶାରେ ଜିଓ ଓ ବିଏସ୍ଏନ୍ଏଲ୍ ଗ୍ରାହକ ଯୋଡ଼ିଥିବାବେଳେ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଗ୍ରାହକ ହରାଇଛନ୍ତି। ଜିଓ ଓଡ଼ିଶାରେ ୧ ଲକ୍ଷ ୮୪ ହଜାର ୬୫୩ ଜଣ ଗ୍ରାହକଙ୍କୁ ଯୋଡ଼ିଛି। ଜୁନରେ ଏହାର ଗ୍ରାହକଙ୍କ ସଂଖ୍ୟା ୧ କୋଟି ୫୭ ଲକ୍ଷ ୬୫ ହଜାର ୬୦୩ ଥିବାବେଳେ ଜୁଲାଇରେ ଏହା ୧ କୋଟି ୫୯ ଲକ୍ଷ ୫୦ ହଜାର ୨୫୬ରେ ପହଞ୍ଚିଛି। ସେହିଭଳି ବିଏସ୍ଏନ୍ଏଲ୍ ଓଡ଼ିଶାରେ ଜୁଲାଇରେ ୬୬ ହଜାର ୯୫ ଜଣ ନୂଆ ଗ୍ରାହକ ଯୋଡ଼ିଛି। ଜୁନ୍ରେ ବିଏସ୍ଏନ୍ଏଲ୍ର ଗ୍ରାହକଙ୍କ ସଂଖ୍ୟା ୫୩ ଲକ୍ଷ ୨୬ ହଜାର ୩୮୭ ଥିବା ସମୟରେ ଜୁଲାଇରେ ତାହା ୫୩ ଲକ୍ଷ ୯୨ ହଜାର ୪୮୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ଏୟାରଟେଲ ୪୩ ହଜାର ୭୩୪ ଜଣ ଗ୍ରାହକ ହରାଇଛି। ଜୁଲାଇରେ ଏହାର ଗ୍ରାହକଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୩୭ ହଜାର ୬୩୬ ରହିଛି। ଭୋଡାଫୋନ ଆଇଡିଆ ୧୦୭୮ ଜଣ ଗ୍ରାହକ ହରାଇବା ଦ୍ବାରା ଏହାର ମୋଟ ଗ୍ରାହକଙ୍କ ସଂଖ୍ୟା ଓଡ଼ିଶାରେ ୧୩ ଲକ୍ଷ ୯୭ ହଜାର ୧୭୭କୁ ହ୍ରାସ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2021/06/bsnl.jpg)