ଲକ୍‌ଡାଉନ୍‌ ପାଇଁ ଗ୍ରାହକଙ୍କ ସେବା ଅବଧି ବଢ଼ାଇଲା ବିଏସ୍‌ଏନ୍‌ଏଲ୍‌, ମିଳିବ ମାଗଣା ସୁବିଧା

ନୂଆଦିଲ୍ଲୀ: ଟେଲିକମ୍‌ ଅପରେଟରମାନଙ୍କୁ ଟେଲିକମ୍‌ ରେଗୁଲେଟାରି କମ୍ପାନି ଟ୍ରାଇ ଲକ୍‌ଡାଉନ୍‌ ସମୟରେ ପ୍ରିପେଡ୍‌ ଗ୍ରାହକମାନଙ୍କ ସେବା ଅବଧି ବଢ଼ାଇବା ପାଇଁ କହିବା ପରେ ଏହାକୁ କାର୍ଯ୍ୟକାରୀ କରିଛି ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)।

ଜାଣିବାକୁ ମିଳିଛି ଯେ ୨୨ ମାର୍ଚ ସୁଦ୍ଧା ଯେଉଁମାନଙ୍କ ସେବା ଅବଧି ଶେଷ ହୋଇଯାଇଛି ଓ ଦେଶବ୍ୟାପି ଲକ୍‌ଡାଉନ୍‌ ପାଇଁ ପୁଣି ଥରେ ରିଚାର୍ଜ କରିବା ସମ୍ଭବ ହୋଇପାରୁନାହିଁ ସେହି ଗ୍ରାହକମାନଙ୍କ ସିମ୍‌ରେ ଆଉ କିଛି ଦିନ ଅଧିକ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି କରିଛି ବିଏସ୍‌ଏନ୍‌ଏଲ୍‌।

‌ଏପ୍ରିଲ୍‌ ୨୦ ତାରିଖ ପର୍ଯ୍ୟନ୍ତ ବିଏସ୍‌ଏନ୍‌ଏଲ୍‌ ଗ୍ରାହକମାନଙ୍କ ସେବାର ଅବଧି ବଢ଼ାଇବାର ନିଷ୍ପତ୍ତି ନେଇଛି। ଏହି ସମୟରେ କମ୍ପାନି ତା’ର ଗ୍ରାହକମାନଙ୍କୁ ସଂପୂର୍ଣ୍ଣ ମାଗଣା ସେବା ଯୋଗାଇ ଦେବ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ଟେଲିକମ୍‌ ରେଗୁଲେଟାରି ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ସୋମବାର ଟେଲିକମ୍‌ ଅପରେଟରମାନଙ୍କୁ ଏହି ଲକ୍‌ଡାଉନ୍‌ ସମୟରେ ପ୍ରିପେଡ୍‌ ଗ୍ରାହକଙ୍କ ସେବା ଅବଧି ବଢ଼‌ାଇବାକୁ କହିଥିଲା। ଏବେ ପରିସ୍ଥିତିରେ ଯୋଗାଯୋଗ ଲୋକଙ୍କ ପାଇଁ ନିହାତି ଆବଶ୍ୟକ ହୋଇ ପଡ଼ିଥିବା ବେଳେ କୌଣସି ବି ପରିସ୍ଥିତିରେ ଯେପରି ସେବା ବାଧାପ୍ରାପ୍ତ ନହୁଏ ତାହାକୁ ଦୃଷ୍ଟି ଦେବାକୁ ମଧ୍ୟ ଟ୍ରାଇ ପକ୍ଷରୁ କୁହାଯାଇଥିଲା।

 

ସମ୍ବନ୍ଧିତ ଖବର