ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଦୂରସଂଚାର କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍) ଏହାର କର୍ମଚାରୀଙ୍କୁ ବେତନ ଦେବା ଲାଗି ଗତ କିଛିମାସ ହେଲା ସଂଘର୍ଷ କରୁଛି। କର୍ମଚାରୀମାନଙ୍କ ଅଗଷ୍ଟ ମାସର ବେତନ ଆଜି (୩୦ ତାରିଖ)ଦେବାରେ ଅସମର୍ଥ ହୋଇଛି। କର୍ମଚାରୀଙ୍କ ବେତନ ଆଜି ଦିଆଯାଇ ନଥିବା ବିଷୟକୁ ବିଏସ୍ଏନ୍ଏଲ୍ର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ସ୍ବୀକାର କରିଛନ୍ତି। ତେବେ କର୍ମଚାରୀଙ୍କ ଅଗଷ୍ଟ ମାସର ଦରମା କେବେ ସୁଦ୍ଧା ପ୍ରଦାନ କରାଯିବ ସେ ନେଇ ଅଧିକାରୀଜଣକ କିଛି ସ୍ପଷ୍ଟ କରିନାହାନ୍ତି। ବିଏସ୍ଏନ୍ଏଲ୍ ସିଏମ୍ଡି ପି କେ ପୁରୱାରଙ୍କୁ ଏ ନେଇ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନାହାନ୍ତି। ପୂର୍ବରୁ ବିଏସ୍ଏନ୍ଏଲ୍ ଏହାର କର୍ମଚାରୀଙ୍କୁ ଗତ ଫେବ୍ରୁଆରି ମାସର ବେତନ ଦେବାକୁ ବିଳମ୍ବ କରିଥିଲା। ମାର୍ଚ୍ଚ ମଧ୍ୟଭାଗ ପର୍ଯ୍ୟନ୍ତ ଏହା ବିଳମ୍ବ ହୋଇଥିଲା। ସେହିଭଳି ଗତ ଜୁଲାଇରେ ମଧ୍ୟ ବିଏସ୍ଏନ୍ଏଲ୍ କର୍ମଚାରୀଙ୍କ ବେତନ ମିଳିବା ପ୍ରାୟ ସପ୍ତାହେ ବିଳମ୍ବ ହୋଇଥିଲା। ଜୁଲାଇ ମାସର ବେତନ ଅଗଷ୍ଟ ୫ ତାରିଖରେ କର୍ମଚାରୀମାନଙ୍କୁ ମିଳିଥିଲା ବୋଲି ଜଣାଯାଇଛି। ବିଏସ୍ଏନ୍ଏଲ୍ରେ ଏବେ ମୋଟ କର୍ମଚାରୀଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୧୭୯ ରହିଛି। ସେମାନଙ୍କୁ ବେତନ ବାବଦରେ କମ୍ପାନି ଏହାର ବାର୍ଷିକ ରାଜସ୍ବର ପ୍ରାୟ ୭୫ ପ୍ରତିଶତ ଅର୍ଥ ବ୍ୟୟ କରୁଛି। କିନ୍ତୁ ଘରୋଇ ଦୂରସଂଚାର କମ୍ପାନିଙ୍କ କ୍ଷେତ୍ରରେ ଏହି ଅନୁପାତ ଖୁବ୍ କମ୍ ରହିଛି। ତେବେ ଏୟୁଏବିର ଆବାହକ ପି ଅଭିମନ୍ୟୁ କହିଛନ୍ତି, ସରକାରଙ୍କ ଉପରେ ବିଏସ୍ଏନ୍ଏଲ୍ର ବିପୁଳ ରାଶି ବାକି ପଡ଼ିଛି। ଏଥିସହିତ ପେନ୍ସନ୍ ଯୋଗଦାନ ଆକାରରେ ସରକାର ୨୦୦୭ ମସିହାରୁ ବିଏସ୍ଏନ୍ଏଲ୍ଠାରୁ ବାର୍ଷିକ ଅତିରିକ୍ତ ପ୍ରାୟ ୪୦୦ କୋଟି ଟଙ୍କା ଲେଖାଏଁ ଆଦାୟ କରି ଆସୁଛନ୍ତି। ସରକାରଙ୍କ ଉପରେ ବାକି ରହିଥିବା ଅର୍ଥକୁ ଆଦାୟ କରିବା ପାଇଁ ସଂଘ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନ ହେବ ବୋଲି ଅଭିମନ୍ୟୁ କହିଛନ୍ତି। ଟେଲିକମ୍ ବିଭାଗ ବିଏସ୍ଏନ୍ଏଲ୍ର ବାକିଆ ଅର୍ଥ ପଇଠ କରିଲେ ଭେଣ୍ଡରଙ୍କ ପ୍ରାପ୍ୟ ଏବଂ କର୍ମଚାରୀଙ୍କ ବେତନ ଠିକ୍ ସମୟରେ ପ୍ରଦାନ କରାଯାଇ ପାରିବ ବୋଲି ସେ କହିଛନ୍ତି।
ବେତନ ଦେବାକୁ ସଂଘର୍ଷ କରୁଛି ବିଏସ୍ଏନ୍ଏଲ୍
/sambad/media/post_attachments/wp-content/uploads/2019/08/BSNL-Struggle-to-Pay-Salary_Thumbnail-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)