ଅଧା କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଦେବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌) ଏହାର ଅଧା କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର (ଭିଆର୍‌ଏସ୍‌) ପ୍ରଦାନ କରିବା ଉପରେ ବିଚାର କରୁଛି। ଯଦି ଏହି ଯୋଜନାକୁ କଂପାନି ଲାଗୁ କରିବ ତେବେ କଂପାନିରେ କାମ କରୁଥିବା ୭୦-୮୦ ହଜାର କର୍ମଚାରୀ ଅବସର ନେବେ।

ଅଧା କର୍ମଚାରୀଙ୍କୁ ଅବସର ଦେବା ଲାଗି ବିଏସ୍‌ଏନ୍‌ଏଲ୍‌ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛି। ଯଦି ସେହି ପ୍ରସ୍ତାବକୁ ମଞ୍ଜୁରି ମିଳିବ ତେବେ ଆବଶ୍ୟକ ପ୍ୟାକେଜ୍ ଦେଇ କର୍ମଚାରୀମାନଙ୍କୁ ଅବସର ପ୍ରଦାନ କରାଯିବ। ଏକ ଇଂରାଜି ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ବିଏସ୍‌ଏନ୍‌ଏଲ୍‌ର ଅଧ୍ୟକ୍ଷ ପ୍ରବୀଣ କୁମାର ଏହି ସୂଚନା ଦେଇଛନ୍ତି। ସେ କହିଲେ, ଆମେ ୭୦ରୁ ୮୦ ହଜାର କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଦେବାକୁ ଚାହୁଛୁ। ସେମାନଙ୍କ ପାଇଁ ଆକର୍ଷଣୀୟ ପ୍ୟାକେଜ୍ ପ୍ରସ୍ତୁତ କରାଯାଉଛି ଯାହା ସେମାନଙ୍କୁ ପସନ୍ଦ ଆସିବ। ବିଏସଏନଏଲରେ ଦେଢ଼ ଲକ୍ଷରୁ ଅଧିକ କର୍ମଚାରୀ ଅଛନ୍ତି। ସତୁରିରୁ ଅଶି ହଜାର କର୍ମଚାରୀଙ୍କୁ ଅବସର ଦେବା ପରେ ମଧ୍ୟ କଂପାନି ପାଖରେ ଏକ ଲକ୍ଷ ପାଖାପାଖି କର୍ମଚାରୀ ରହିବେ। ଯେକୌଣସି ଦୂରସଂଚାର କଂପାନି ଚଲାଇବାକୁ ଏହି କର୍ମଚାରୀ ସଂଖ୍ୟା ଯଥେଷ୍ଟ ବୋଲି କୁହାଯାଇପାରେ। ବିଏସ୍‌ଏନ୍‌ଏଲ୍‌ ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ଲାଗି ବିଭିନ୍ନ ଯୋଜନା ଉପରେ କାମ କରୁଛି। ଏହା ନିଜର ରାଜସ୍ବ ବଢ଼ାଇବା ଉପରେ ଜୋର ଦେଉଥିବା ବେଳେ ଖାଲି ପଡ଼ିଥିବା ଜମିଗୁଡ଼ିକୁ ବିକ୍ରି କରି ପାଣ୍ଠି ସଂଗ୍ରହ କରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର