ଦରମା ଦେବାକୁ ବିଏସ୍‌ଏନ୍‌ଏଲ୍‌ ପାଖରେ ଟଙ୍କା ନାହିଁ

ନୂଆଦିଲ୍ଲୀ: ସରକାରୀ ଦୂରସଂଚାର କଂପାନି ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ପାଖରେ କଂପାନି ଚଳାଇ ରଖିବାକୁ ଆବଶ୍ୟକ ହେଉଥିବା ପାଣ୍ଠି ନାହିଁ। ନିଜ ସ୍ଥିତି ବିଷୟରେ କଂପାନି ସରକାରଙ୍କୁ ଅବଗତ କରିଛି। ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ପାଖରେ ଟଙ୍କା ନାହିଁ। କର୍ମଚାରୀଙ୍କୁ ଜୁନ ମାସର ଦରମା ଦେବା ପାଇଁ ୮୫୦ କୋଟି ଟଙ୍କା ଦରକାର। ଏତେ ଟଙ୍କା କଂପାନି ପାଖରେ ନାହିଁ। ତେଣୁ ଏହା ଜୁନ୍‌ ମାସର ଦରମା ଦେବା ପାଇଁ ଅକ୍ଷମତା ପ୍ରକାଶ କରିଛି। ଏହା ବ୍ୟତୀତ କଂପାନି ଉପରେ ୧୩ ହଜାର କୋଟି ଟଙ୍କାର ଅନ୍ୟାନ୍ୟ ଦେୟ ମଧ୍ୟ ରହିଛି। ଦୂରସଂଚାର ବିଭାଗର ଯୁଗ୍ମ ସଚିବଙ୍କୁ ବିଏସ୍‌ଏନ୍‌ଏଲ୍‌ର ବରିଷ୍ଠ ମହାପ୍ରବନ୍ଧକ ପୂରନ୍ ଚନ୍ଦ୍ର ଏକ ଚିଠି ଲେଖି କଂପାନିର ସ୍ଥିତି ବିଷୟରେ ଜଣାଇଛନ୍ତି। ଚିଠିରେ ସେ ଲେଖିଛନ୍ତି ଯେ, ପ୍ରତି ମାସରେ ଆୟ ଓ ବ୍ୟୟ ମଧ୍ୟରେ ଅନ୍ତର ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ କଂପାନିକୁ ଚାଲୁ ରଖିବା ଚିନ୍ତାର ବିଷୟ ପାଲଟିଛି। ଏବେ ଆୟ ବ୍ୟୟର ଅନ୍ତର ଏଭଳି ଏକ ସ୍ତରରେ ପହଞ୍ଚିଛି ଯେଉଁଠାରେ ପର୍ଯ୍ୟାପ୍ତ ପାଣ୍ଠି (ଇକ୍ବିଟି) ସହାୟତା ବିନା କଂପାନିକୁ ପରିଚାଳନା କରିବା ଏକ ପ୍ରକାର ଅସମ୍ଭବ ମନେ ହେଉଛି। ବିଏସ୍‌ଏନ୍‌ଏଲ୍‌ର ଦୁର୍ବଳ ଆର୍ଥିକ ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜାଣିଛନ୍ତି। ସର୍ବାଧିକ କ୍ଷତି ସହିଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତାଲିକାରେ ବିଏସ୍‌ଏନ୍‌ଏଲ୍ ଶୀର୍ଷ ସ୍ଥାନରେ ରହିଛି। ୨୦୧୮ ଡିସେମ୍ବର ସୁଦ୍ଧା କଂପାନି ୯୦ ହଜାର କୋଟି ଟଙ୍କାର କ୍ଷତି ସହିଥିଲା। କର୍ମଚାରୀଙ୍କୁ ଦରମା ଓ ପେନ୍‌ସନ୍ ପ୍ରଦାନ କରିବା ବିଏସ୍‌ଏନ୍‌ଏଲ୍‌ ପାଇଁ ସବୁଠୁ ବଡ଼ ବୋଝ ପାଲଟିଛି। ଏହା ପରିଚାଳନା ରାଜସ୍ବର ୬୬% ଅର୍ଥକୁ ଦରମା ଓ ପେନ୍‌ସନ୍ ବାବଦରେ ପ୍ରଦାନ କରୁଛି। ଶେଷ ଥର ପାଇଁ ୨୦୦୮-୦୯ରେ ବିଏସ୍‌ଏନ୍‌ଏଲ୍‌ ୫୭୫ କୋଟି ଟଙ୍କା ଲାଭ କରିଥିଲା। ଏହା ଉପରେ ୧୪ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। କଂପାନି ପାଖରେ ୧୧ ହଜାର ଏକରର ଜମି ରହିଛି ଯାହାର ବଜାର ମୂଲ୍ୟ ହେବ ୬୫ ହଜାର କୋଟି ଟଙ୍କା।

ଜଣେ ବିଦ୍ରୋହୀ
ବିଦେଶ ବିଶ୍ବବିଦ୍ୟାଳୟର ଡିଗ୍ରି ସହିତ ରକ୍ଷଣଶୀଳ ଓ ବିଦ୍ରୋହ ମନୋଭାବ ଥିବା ବିରଳ ଆଚାର୍ଯ୍ୟଙ୍କୁ ଗରିବ ଲୋକଙ୍କ ରଘୁରାମ ରାଜନ ବା ସାନ ରାଜନ କୁହାଯାଉଥିଲା। ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ଏହି ଅର୍ଥନୀତି ପ୍ରଫେସର କମ୍ ବୟସରେ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ କାମ କରିବାର ସୁଯୋଗ ପାଇଥିଲେ। ଏଭଳି ଏକ ବଡ଼ ପଦବିରେ ଯୋଗ ଦେବା ପରେ ସେ ବିଳାସପୂର୍ଣ୍ଣ ବଙ୍ଗଳାରେ ନରହି ଭିଲେ ପାର୍ଲେରେ ରହୁଥିବା ନିଜ ପରିବାର ଲୋକଙ୍କ ପାଖରେ ରହିବାକୁ ଅଧିକ ପସନ୍ଦ କରିଥିଲେ। ଟ୍ରାଫିକ ଭିଡ଼କୁ ସାମ୍ନା କରି ପ୍ରତିଦିନ ସେ ରିଜର୍ଭ ବ୍ୟାଙ୍କରେ କାମ କରିବାକୁ ପହଞ୍ଚୁଥିଲେ। ଅଫିସ ଯିବା ପୂର୍ବରୁ ସକାଳେ ଟେନିସ୍ ଖେଳିବା ଓ ଅଫିସରୁ ଫେରିବା ପରେ ପୁରୁଣା ହିନ୍ଦୀ ଗୀତ ଶୁଣିବାକୁ ସେ ଭଲ ପାଉଥିଲେ। ମୁଦ୍ରାନୀତି ହେଉ ଅଥବା ଆର୍ଥିକ ବଜାରକୁ ନେଇ ନିଷ୍ପତ୍ତି ସବୁ ଥିରେ ସେ ରକ୍ଷଣଶୀଳ ମନୋଭାବ ପୋଷଣ କରୁଥିଲେ। ଯେତେବେଳେ ରିଜର୍ଭ ବ୍ୟାଙ୍କ ଭଣ୍ଡାର ଉପରେ ସରକାର ନଜର ପକାଇଲେ ସେତେବେଳେ ସେ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ଖୋଲାଖୋଲି ଭାବେ ରିଜର୍ଭ ବ୍ୟାଙ୍କର ସ୍ବାଧୀନତା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟଙ୍କୁ ଅବହେଳା କରାଯିବା ପରେ ଆର୍ଜେଣ୍ଟିନା‌ ଓ ତୁର୍କୀର ଅବସ୍ଥା ଯାହା ହୋଇଛି ତାହା ସେ ଭାରତ ସରକାରଙ୍କୁ ମନେ ପକାଇ ଦେଇଥିଲେ।

ସମ୍ବନ୍ଧିତ ଖବର