ବିଏସ୍‌ଏନ୍‌ଏଲ୍‌ର ଅସୀମିତ କଲ୍‌ ଅର୍ଥ ଦିନକୁ ୪ ଘଣ୍ଟା ୧୦ ମିନିଟ୍

ନୂଆଦିଲ୍ଲୀ: ସରକାରୀ ଦୂରସଂଚାର କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ)ର ଅସୀମିତ କଲ୍‌ ପ୍ଲାନ୍‌ରେ କଲ୍‌ ସମ୍ପୂର୍ଣ୍ଣ ମାଗଣା ନୁହେଁ। କଂପାନିର ଯେଉଁ ପ୍ରିପେଡ୍ ଗ୍ରାହକମାନେ ଅସୀମିତ କଲ୍ ପ୍ଲାନ୍ ନେଇଛନ୍ତି ସେମାନେ ଦିନକୁ ୨୫୦ ମିନିଟ୍ ବା ୪ ଘଣ୍ଟା ୧୦ ମିନିଟ୍‌ର ମାଗଣା କଲ୍‌ କରିପାରିବେ। ଏହା ବାଦ କଲ୍‌ କରିବାକୁ ହେଲେ ମେନ୍ ବାଲାନ୍ସରୁ ଟଙ୍କା କଟିବ। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଏସ୍‌ଏନ୍‌ଏଲ୍‌ ଏଭଳି ଏକ ସମୟରେ ଏହି ନିଷ୍ପତ୍ତି ନେଇଛି ଯେତେବେଳେ ଜିଓ ଭଳି ସଂସ୍ଥା ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଭଏସ୍‌ କଲ୍‌ ସୁବିଧା ପ୍ରଦାନ କରୁଛନ୍ତି। ବିଏସ୍‌ଏନ୍‌ଏଲ୍‌ର ଅସୀମିତ ଭଏସ୍‌ କଲ୍‌ ପ୍ଲାନ୍‌ରେ ଗୋଟିଏ ଦିନ ମଧ୍ୟରାତ୍ରୀରୁ ପର ଦିନର ମଧ୍ୟରାତ୍ରୀ ପର୍ଯ୍ୟନ୍ତକୁ ଗୋଟିଏ ଦିନ ଭାବେ ବିଚାର କରାଯିବ। ଯଦିଓ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଅସୀମିତ କଲ୍‌ର ସୀମା ଧାର୍ଯ୍ୟ କରାଯାଇଛି, ତାହା କିନ୍ତୁ ଅଧିକାଂଶ ଗ୍ରାହକଙ୍କୁ ପ୍ରଭାବିତ କରିବ ନାହିଁ। କାରଣ ଗୋଟିଏ ଦିନରେ ଚାରି ଘଣ୍ଟା ମାଗଣା କଲ୍‌ କରିବା ଯେକୌଣସି ସାଧାରଣ ଗ୍ରାହକଙ୍କ ପାଇଁ ଯଥେଷ୍ଟ ବୋଲି କୁହାଯାଇପାରିବ। କଂପାନିର ଏହି ନିଷ୍ପତ୍ତି ସାଧାରଣ ଗ୍ରାହକଙ୍କୁ ବିଶେଷ ପ୍ରଭାବିତ କରିବ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର