ପୁନରୁଦ୍ଧାର ଯୋଜନାର ଦମ୍ କେତେ? ସରକାରଙ୍କୁ ଜଣାଇବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ: ଦୁର୍ବଳ ହୋଇପଡ଼ିଥିବା ସରକାରୀ ଦୂରସଂଚାର କଂପାନି ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ତରଫରୁ ସରକାରଙ୍କୁ ଏକ ପୁନରୁଦ୍ଧାର ଯୋଜନା ପ୍ରଦାନ କରାଯାଇଛି। ସେହି ଯୋଜନାରେ କେତେ ଦମ୍ ରହିଛି ଏବଂ କଂପାନି ପୁନରୁଦ୍ଧାର ହେବାର କ’ଣ ସମ୍ଭାବନା ରହିଛି ତାହା ଭଲ ଭାବେ ବୁଝାଇବା ପାଇଁ ଟେଲିକମ୍ ବିଭାଗ ପକ୍ଷରୁ କଂପାନିକୁ କୁହାଯାଇଛି। କେବଳ ବିଏସ୍‌ଏନ୍‌ଏଲ୍‌ ନୁ‌ହେଁ ଅନ୍ୟତମ ସରକାରୀ କଂପାନି ଏମ୍‌ଟିଏନ୍‌ଏଲ୍‌କୁ ମଧ୍ୟ ସେହି ନିର୍ଦେଶ ଦିଆଯାଇଛି। ଏହି ଦୁଇ କଂପାନିର ପୁନରୁଦ୍ଧାର କରିବା ପାଇଁ ସରକାର ୮୦୦୦ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଦିଗରେ ଆଗକୁ ବଢ଼ିବା ପୂର୍ବରୁ ଦୁଇ କଂପାନି ପ୍ରସ୍ତୁତ କରିଥିବା ଯୋଜନାରେ କେତେ ଦମ୍ ରହିଛି ତାହା ସରକାର ପ୍ରଥମେ ଜାଣିବାକୁ ଚାହୁଁଛନ୍ତି।ବିଏସ୍‌ଏନ୍‌ଏଲ୍‌ ମୁଣ୍ଡରେ ୧୪ ହଜାର କୋଟି ଟଙ୍କାର ଋଣ ରହିଛି। ନିଜ ପାଖରେ ଥିବା ୩ଜି ସ୍ପେକ୍ଟ୍ରମ୍‌କୁ ଫେରାଇ ଦେବାକୁ କଂପାନି ଆଗ୍ରହ ପ୍ରକାଶ କରିଛି ଏବଂ ସର୍ବଭାରତୀୟ ସ୍ତରରେ ୪ଜି ସ୍ପେକ୍ଟ୍ରମ୍ ପାଇବାକୁ ଦାବି କରିଛି। ଏହା ବ୍ୟତୀତ ନୂତନ ଇକ୍ବିଟି ପାଣ୍ଠି ଆକାରରେ ୭୦୦୦ କୋଟି ଟଙ୍କା ମାଗିଛି। ଉଭୟ ବିଏସନ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ ସରକାରଙ୍କୁ ଜଣାଇ ଦେଇଛନ୍ତି ଯେ ଯଦି ସେମାନଙ୍କ ପୁନରୁଦ୍ଧାର ଯୋଜନା ବିଫଳ ହେ‌ବ ତେବେ ସରକାର କଂପାନିକୁ ବନ୍ଦ କିମ୍ବା ଅଧିଗ୍ରହଣ କରିପାରିବେ। କିନ୍ତୁ ସେଭଳି ପଦକ୍ଷେପ ନେବା ପୂର୍ବରୁ ସବୁ କର୍ମଚାରୀଙ୍କୁ ଟେଲିକମ୍ ବିଭାଗରେ ଭର୍ତି କରିବାକୁ ପଡ଼ିବ। ଟେଲିକମ୍‌ ବିଭାଗ ଅଧୀନରେ ଥିବା ଡିଜିଟାଲ୍ କମ୍ୟୁନିକେସନ୍ କମିସନ (ଡିସିସି) ପକ୍ଷରୁ କିଛି ଦିନ ତଳେ ବିଏସ୍‌ଏନ୍‌ଏଲ୍ ଓ ଏମ୍‌ଟିଏନ୍‌ଏଲ୍‌ର ପୁନରୁଦ୍ଧାର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ସେହି ବୈଠକରେ କମିସନ ଉଭୟ କଂପାନିକୁ କିଛି ପ୍ରଶ୍ନ କରିଥିଲେ। ତାହା ହେଉଛି: ପୁନରୁଦ୍ଧାର ଯୋଜନାରେ କେତେ ଦମ୍ ଅଛି? ଦୁଇ କଂପାନିର ମିଶ୍ରଣ ହେଲେ ଏକ ସୁସ୍ଥକର କଂପାନି ଗଠନ ହୋଇପାରିବ କି? ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର ଦୁଇଟି ପ୍ରମୁଖ ସମସ୍ୟା ହେଉଛି କର୍ମଚାରୀ ସଂଖ୍ୟା ଓ ଋଣ। ବିଏସ୍‌ଏନ୍‌ଏଲ୍‌ର ୧,୭୬,୦୦୦ ଓ ଏମ୍‌ଟିଏନ୍‌ଏଲ୍‌ର ୨୨ ହଜାର କର୍ମଚାରୀ ରହିଛନ୍ତି।

ସମ୍ବନ୍ଧିତ ଖବର