ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍)ର ପୁନରୁଦ୍ଧାର ପାଇଁ ପ୍ରସ୍ତୁତ କରାଯାଇଥିବା ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ପୁନରୁଦ୍ଧାର ଯୋଜନା କାର୍ଯ୍ୟକାରୀ ହେଲେ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ବିଏସଏନଏଲରେ ପରିବର୍ତ୍ତନ ଆସିବ ଏବଂ ଏହି ସଂସ୍ଥା ଲାଭ କରିବାକୁ ସକ୍ଷମ ହୋଇପାରିବ ବୋଲି ଆଶା କରାଯାଉଛି। ଭାରତ ବ୍ରଡ୍ବ୍ୟାଣ୍ଡ୍ ନିଗମ ଲିମିଟେଡ୍ (ବିବିଏନ୍ଏଲ୍) ସହିତ ବିଏସ୍ଏନ୍ଏଲ୍ ମିଶ୍ରଣକୁ ମଧ୍ୟ ମଞ୍ଜୁରି ପ୍ରଦାନ କରାଯାଇଛି। ଭାରତ ନେଟ ଅଧୀନରେ ନିର୍ମାଣ କରାଯାଇଥିବା ଭିତ୍ତିଭୂମିକୁ ଜାତୀୟ ସମ୍ପତ୍ତି ଭାବେ ବିବେଚନା କରାଯିବା।
ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ କଂପାନି ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ୟାକେଜ୍ରେ ୪୪ ହଜାର କୋଟି ଟଙ୍କା ନଗଦ ପାଣ୍ଠି ହୋଇଥିବା ବେଳେ ବଳକା ୧.୨୦ ଲକ୍ଷ କୋଟି ଟଙ୍କା ହେଉଛି ଅଣ-ପାଣ୍ଠିର ସୁବିଧା ସୁଯୋଗ। ସେବାରେ ଉନ୍ନତି, ୪ଜି ସେବା ଆରମ୍ଭ କରିବା ୯୦୦/୧୦୦ ମେଗାହର୍ଚ ସ୍ପେକ୍ଟ୍ରମ୍ ଆବଣ୍ଟନ ପାଇଁ କଂପାନିକୁ ୪୪,୯୯୩ କୋଟି ଟଙ୍କାର ଇକ୍ବିଟି ପାଣ୍ଠି ଦିଆଯିବ। ଆତ୍ମନିର୍ଭର ୪ଜି ନେଟ୍ୱର୍କ ବିକଶିତ କରିବା ଲାଗି କଂପାନିକୁ ୪ ବର୍ଷରେ ୨୨,୪୭୧ କୋଟି ଟଙ୍କା ଦିଆଯିବ। ଆବଶ୍ୟକ ବାଣିଜ୍ୟିକ ସାଧନର ଅଭାବ ସତ୍ତ୍ବେ ସରକାରଙ୍କ ସାମାଜିକ ଲକ୍ଷ୍ୟ ପୂରଣ କରିବା ଲାଗି ବିଏସ୍ଏନ୍ଏଲ୍ ପକ୍ଷରୁ ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ ଲ୍ୟାଣ୍ଡ୍ଲାଇନ୍ ସେବା ପ୍ରଦାନ କରାଯାଉଛି। ୨୦୧୪-୧୫ରୁ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କଂପାନି ପ୍ରଦାନ କରିଥିବା ଲ୍ୟାଣ୍ଡ୍ଲାଇନ୍ ସେବାରେ ଯେଉଁ ପାଣ୍ଠିର ଅଭାବ ଦେଖାଦେଇଥିଲା ସେ ବାବଦରେ ସରକାର କଂପାନିକୁ ୧୩,୭୮୯ କୋଟି ଟଙ୍କା ଦେବେ। ଆଡ୍ଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ (ଏଜିଆର) ବକେୟା, ପୁଞ୍ଜି ବ୍ୟୟ ବ୍ୟବସ୍ଥା ଏବଂ ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ବିଏସ୍ଏନ୍ଏଲ୍ର ପୁଞ୍ଜିକୁ ୪୦,୦୦୦ କୋଟି ଟଙ୍କାରୁ ବଢ଼ାଇ ୧,୫୦,୦୦୦ କୋଟି ଟଙ୍କା କରାଯିବ। ବିଏସ୍ଏନ୍ଏଲ୍କୁ ଆର୍ଥିକ ସ୍ତରରେ ଦୃଢ଼ କରିବା ଲାଗି ସରକାର ସୋଭରେନ୍ ଗ୍ୟାରେଣ୍ଟି ପ୍ରଦାନ କରିବେ। କଂପାନି ୪୦,୩୯୯ କୋଟି ଟଙ୍କାର ଦୀର୍ଘ ମିଆଦୀ ବଣ୍ଡ୍ ହାସଲ କରିପାରିବ। କଂପାନିର ୩୩,୪୦୪ କୋଟି ଟଙ୍କାର ଏଜିଆର ବକେୟାକୁ ସରକାର ପରିଶୋଧ କରିବେ। ବିଏସଏନଏଲ ପକ୍ଷରୁ ସରକାରଙ୍କୁ ୭,୫୦୦ କୋଟି ଟଙ୍କାର ଅଂଶଧନ ପୁନଃ ଜାରି କରାଯିବ।