ନୂଆଦିଲ୍ଲୀ: ଘରୋଇ ଟେଲିକମ କମ୍ପାନିମାନେ ଗ୍ରାହକଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ ଅଫର ଘୋଷଣା କରୁଥିବାବେଳେ ସରକାରଙ୍କ ନିୟନ୍ତ୍ରଣରେ ଥିବା ଟେଲିକମ ଅପରେଟର ବିଏସଏନଏଲ ନିଜର ସୁବିଧା ସୁଯୋଗମାନେ ଗୋଟିକ ପରେ ଗୋଟିଏ କମାଇବାରେ ଲାଗିଛି । ବିଏସଏନଏଲ ନିଜର ପୋଷ୍ଟପେଡ୍ ସିଡିଏମଏ ଫିକ୍ସଡ୍ ଓ ମୋବାଇଲ କନେକ୍ସନ ପାଇଁ ଫ୍ରି ନାଇଟ୍ କଲିଂ ସମୟସୀମାକୁ କମାଇ ଦେଇଛି । ପୂର୍ବରୁ ଏହି ଫ୍ରି କଲିଂ ସମୟସୀମା ରାତି ୯ଟାରୁ ସକାଳ ୭ଟା ଥିବାବେଳେ ତାହାକୁ ରାତି ୧୦ଟା ୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ କରାଯାଇଛି । ଏହି ନୂଆ ସମୟସୀମା ଫେବ୍ରୁଆରୀ ୧ରୁ ଲାଗୁ ହେବ ।
କିଛିଦିନ ତଳେ ବିଏସଏନଏଲ ନିଜର ଲାଣ୍ଡଲାଇନ, ବ୍ରଡବ୍ୟାଣ୍ଡ, କମ୍ବୋ ଓ ଏଫଟିଟିଏଚ୍ ଗ୍ରାହକମାନଙ୍କୁ ପ୍ରଦାନ କରୁଥିବା ଅନଲିମିଟେଡ୍ ସଣ୍ଡେ ଭଏସ୍ କଲିଂ ସୁବିଧାକୁ ପ୍ରତ୍ୟାହାର କରିନେବା ବିଷୟ ଘୋଷଣା କରଥିଲା । ଏହା ମଧ୍ୟ ଫେବ୍ରୁଆରୀ ୧ ତାରିଖରୁ ଲାଗୁ ହେବ । ଗତ ଜାନୁୟାରୀ ୧ରୁ ବିଏସଏନଏଲ ନିଜର ମାଗଣା ନାଇଟ୍ ଭଏସ କଲିଂ ସମୟ ସୀମାକୁ କମାଇଥିଲା । ଏବେ ରାତି ୧୦ଟା ୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଏହି ମାଗଣା ସେବାମିଳୁଛି ।