ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଘରୋଇ ଟେଲିକମ ଅପରେଟର ବିଭିନ୍ନ ପ୍ରକାରର ଶସ୍ତା ଓ ଆକର୍ଷଣୀୟ ଅଫର ଘୋଷଣା କରି ଗ୍ରାହକମାନଙ୍କୁ ନିଜଆଡକୁ ଆକର୍ଷିତ କରୁଥିବାବେଳେ ରାଷ୍ଟ୍ରାୟତ ଟେଲିକମ ଅପରେଟର ବିଏସଏନଏଲ ଆଶ୍ଚର୍ଯ୍ୟଜନକଭାବେ ନିଜର ଭଲ ଅଫରଗୁଡ଼ିକୁ ପ୍ରତ୍ୟାହାର କରିନେଉଛି ।
କିଛିଦିନ ପୂର୍ବେ ନିଜର ଫ୍ରି ନାଇଟ୍ କଲିଂ ସମୟକୁ କମାଇଦେଇଥିବା ବିଏସଏନଏଲ ଏବେ ନିଜ ଗ୍ରାହକମାନଙ୍କୁ ଆଉ ଏକ ଝଟକା ଦେଇଛି । ନିଜର ଲାଣ୍ଡଲାଇନ, ବ୍ରଡବ୍ୟାଣ୍ଡ, କମ୍ବୋ ଓ ଏଫଟିଟିଏଚ୍ ଗ୍ରାହକମାନଙ୍କୁ ପ୍ରଦାନ କରୁଥିବା ଅନଲିମିଟେଡ୍ ସଣ୍ଡେ ଭଏସ୍ କଲିଂ ସୁବିଧାକୁ ପ୍ରତ୍ୟାହାର କରିନେବା ବିଷୟ ଘୋଷଣା କରିଛି । ଫେବ୍ରୁଆରୀ ୧ ତାରିଖରୁ ଏହା ଲାଗୁ ହେବ ।
ସୂଚନାଯୋଗ୍ୟ ଯେ ଗତ ଜାନୁୟାରୀ ୧ରୁ ବିଏସଏନଏଲ ନିଜର ମାଗଣା ନାଇଟ୍ କଲିଂ ସମୟରେ ପରବର୍ତ୍ତନ ଆଣିବା ବିଷୟରେ ଘୋଷଣା କରିଥିଲା । ଏହା ପୂର୍ବରୁ ଏହି ସମୟ ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଥିଲା । କିନ୍ତୁ ଜାନୁୟାରୀ ୧ରୁ ଏହା ରାତି ୧୦.୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହୋଇଛି । ଅର୍ଥାତ୍ ବିଏସଏନଏଲ ପକ୍ଷରୁ ଏହି ସମୟକୁ ଅଢେଇ ଘଣ୍ଟା ଛୋଟ କରିଦିଆଯାଇଛି । ଏହା ସାରା ଦେଶରେ ବିଏସଏନଏଲ ଲାଣ୍ଡଲାଇନ, ବ୍ରଡବ୍ୟାଣ୍ଡ, କମ୍ବୋ ଓ ଏଫଟିଟିଏଚ୍ ଗ୍ରାହକମାନଙ୍କ ପାଇଁ ଲାଗୁ ହୋଇଇଛି । ବିଏସଏନଏଲର ସାରା ଦେଶରେ ଏବେ ପ୍ରାୟ ୧୨ ନିୟୁତ ଲାଣ୍ଡ୍ ଲାଇନ୍ ଗ୍ରାହକ ଅଛନ୍ତି ।