ବିଏସ୍‌ଏନ୍‌ଏଲ୍‌କୁ ମିଳିବ ୫ଜି ସ୍ପେକ୍ଟ୍ରମ୍, ଏମ୍‌ଟିଏନ୍‌ଏଲ୍‌ର ଘରୋଇକରଣ ହେବନି

ନୂଆଦିଲ୍ଲୀ : ପରବର୍ତ୍ତୀ ପିଢ଼ିର ମୋବାଇଲ୍ ସେବା ୫ଜିକୁ ନେଇ ଦେଶରେ ବଡ଼ ଧରଣର ଉତ୍ସାହ ଜାରି ରହିଛି। ଚଳିତ ମାସ ୨୭ରୁ ଏଥିପାଇଁ ସ୍ପେକ୍ଟ୍ରମ୍ ନିଲାମ ଆରମ୍ଭ ହେବ। ସେଥିପାଇଁ ଚାରି ଘରୋଇ ସଂସ୍ଥା ଜିଓ, ଏୟାରଟେଲ୍‌, ଆଦାନି ଓ ଭୋଡାଫୋନ୍ ଆଇଡିଆ ପ୍ରସ୍ତୁତ ରହିଛନ୍ତି। ଏହି ପ୍ରକ୍ରିୟାରେ ସରକାରୀ ଟେଲିକମ୍ କଂପାନି ବିଏସ୍‌ଏନ୍‌ଏଲ୍‌ ପଛରେ ରହିବ ନାହିଁ। କେନ୍ଦ୍ର ସରକାର ବିଏସ୍‌ଏନ୍‌ଏଲ୍‌ ପାଇଁ ୫ଜି ସ୍ପେକ୍ଟ୍ରମ୍ ସଂରକ୍ଷିତ ରଖିଛନ୍ତି। ଚଳିତ ବର୍ଷ ଜୁନ୍ ୧୪ରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଆଜି ଟେଲିକମ୍ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହ୍ବାନ ରାଜ୍ୟସଭାକୁ ଏହା ଅବଗତ କରିଛନ୍ତି। ୪ଜି ସେବାରେ ପଛରେ ରହିଯାଇଥିବା ବିଏସ୍‌ଏନ୍‌ଏଲ୍‌ କିନ୍ତୁ ୫ଜିରେ ପଛରେ ରହିବ ନାହିଁ। ତେବେ ବିଏସ୍‌ଏନ୍‌ଏଲ୍‌ର ୪ଜି ବ୍ୟବସ୍ଥାକୁ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର ଜରିଆରେ ପରୀକ୍ଷଣ କରାଯାଉଛି। ପରୀକ୍ଷଣ ଶେଷ ହେବା ପରେ ଉପକରଣଗୁଡ଼ିକୁ ମଗାଇ ମୂତୟନ କରାଯିବ ଓ ସେଗୁଡ଼ିକୁ କାର୍ଯ୍ୟକ୍ଷମ କରି ଗ୍ରାହକମାନଙ୍କୁ ୪ଜି ସେବା ଯୋଗାଇ ଦିଆଯିବ। ଏଥି ସହିତ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏମ୍‌ଟିଏନ୍‌ଏଲ୍‌କୁ ଘରୋଇକରଣ କରିବା ଲାଗି ସରକାରଙ୍କ କୌଣସି ଯୋଜନା ନାହିଁ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୧୮-୧୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସମୟ ପାଇଁ ଟେଲିକମ୍ କଂପାନିଗୁଡ଼ିକ ଉପରେ ଲାଇସେନ୍ସ ଫି’ ଓ ସ୍ପେକ୍ଟ୍ରମ୍ ବ୍ୟବହାର ଶୁଳ୍କ ବାବଦରେ ୧,୬୨,୬୫୪ କୋଟି ଟଙ୍କା ବକେୟା ରହିଛି। ଭାରତୀ ଏୟାରଟେଲ୍‌ର ୨୯,୮୫୬ କୋଟି ଟଙ୍କା ଓ ଭୋଡାଫୋନ୍ ଆଇଡିଆର ବକେୟା ୫୯,୨୩୬ କୋଟି ଟଙ୍କା ରହିଛି। ରିଲାଏନ୍ସ ଜିଓର ବକେୟା ଥିଲା ୪୦୬.୪ କୋଟି ଟଙ୍କା।

ସମ୍ବନ୍ଧିତ ଖବର