ବିଏସ୍‌ଏନ୍‌ଏଲ୍‌ ବିକ୍ରି ହେବନି

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ରୁ ପୁଞ୍ଜି ପ୍ରତ୍ୟାହାର କରିବାର କୌଣସି ଯୋଜନା ନାହିଁ। ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ଦେବୁସିଂହ ଚୌହ୍ବାନ ଆଜି ଲୋକସଭାରେ ଏହା କହିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୨୦୨୦ର ସ୍ବେଚ୍ଛାକୃତ ଅବସର ଯୋଜନା (ଭିଆର୍‌ଏସ୍‌) ପାଇଁ ବିଏସ୍‌ଏନ୍‌ଏଲ୍‌ ପ୍ରଦାନ କରୁଥିବା ସେବାରେ କୌଣସି ବିଳମ୍ବ କିମ୍ବା ଅବନତି ହୋଇନାହିଁ। କିଛି ଦିନ ତଳେ ସରକାର ସ୍ପଷ୍ଟ କରିଥିଲେ ଯେ ଭାରତୀୟ ରେଳର ଘରୋଇକରଣ କରିବାର କୌଣସି ଯୋଜନା ନାହିଁ।

ଶ୍ରୀ ଚୌହ୍ବାନ ସଂସଦକୁ ଜଣାଇଛନ୍ତି ଯେ ବିଏସ୍‌ଏନ୍‌ଏଲ୍‌ର ପରିଚାଳନା ପାଇଁ ଏବେ କଂପାନିରେ ଯଥେଷ୍ଟ ସଂଖ୍ୟକ କର୍ମଚାରୀ ରହିଛନ୍ତି। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା କଂପାନି ଖାତାରେ ୮୯,୮୭୮ କୋଟି ଟଙ୍କା ମୂଲ୍ୟର ଜମି, କୋଠା, ଟାୱାର, ଟେଲିକମ୍ ଓ ଅଣ-ଟେଲିକମ୍ ଉପକରଣ ଭଳି ସମ୍ପତ୍ତି ରହିଥିଲା। ଦେଶର ୯.୯୦% ମୋବାଇଲ୍ ଗ୍ରାହକ ବିଏସ୍‌ଏନ୍‌ଏଲ୍‌ ପାଖରେ ଥିବା ବେଳେ ୧୫.୪୦ ପ୍ରତିଶତ ବ୍ରଡ୍‌ବ୍ୟାଣ୍ଡ୍‌ ଗ୍ରାହକ ରହିଛନ୍ତି। ଆଜି ଏୟାର ଇଣ୍ଡିଆ ବିକ୍ରି ସମ୍ପର୍କିତ ଆଲୋଚନାରେ ଭାଗ ନେଇ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପୂର୍ବ ସରକାରଙ୍କ ଭୁଲ ଯୋଗୁଁ ଏୟାର ଇଣ୍ଡିଆ କ୍ଷତି ସହୁଥିଲା।

ଟିକସଦାତାଙ୍କ ଟଙ୍କା ବଞ୍ଚାଇବା ଲଗାଇ କଂପାନିର ଘରୋଇକରଣ କରାଯାଇଛି। ଏୟାର ଇଣ୍ଡିଆ ଓ ଇଣ୍ଡିଆନ ଏୟାରଲାଇନ୍ସ ମଧ୍ୟରେ ମିଶ୍ରଣ, ୧୧୧ଟି ନୂଆ ବିମାନ କିଣିବା ଲାଗି ବରାଦ ଦେବା ଏବଂ ଦ୍ବିପାକ୍ଷିକ ରାଜିନାମାରେ ଉଦାରୀକରଣ ଭଳି କିଛି ନିଷ୍ପତ୍ତି ଯୋଗୁଁ ଏୟାର ଇଣ୍ଡିଆ ସ୍ଥିତି ଖରାପ ହୋଇଥିଲା ବୋଲି ସେ କହିଛନ୍ତି। ୨୦୦୫ ପୂର୍ବରୁ ଏୟାର ଇଣ୍ଡିଆର ବାର୍ଷିକ ଲାଭ ୧୫ କୋଟି ଟଙ୍କା ଥିଲା ଓ ଇଣ୍ଡିଆନ ଏୟାରଲାଇନ୍ସ ୫୦ କୋଟି ଟଙ୍କା ଲାଭ କରୁଥିଲା। ଏହି ଦୁଇ କଂପାନି ଲାଗି ୫୦-୫୫ ହଜାର କୋଟି ଟଙ୍କା ବ୍ୟୟରେ ୧୧୧ଟି ବିମାନ କିଣିବା ଲାଗି ବରାଦ ଦିଆଯାଇଥିଲା। ସେଥିପାଇଁ ସେମାନେ ବିପୁଳ ଋଣ କରିବାକୁ ବାଧ୍ୟ ହେଲେ। ଋଣ ବୋଝ ତଳେ ଦବି ଯାଇ ସେମାନେ ଆଉ ଉପରକୁ ଉଠିପାରିନଥିଲେ। ଏକ ସମୟରେ ଏୟାର ଇଣ୍ଡିଆ ଦୈନିକ ୨୦ କୋଟି ଟଙ୍କାର କ୍ଷତି ସହୁଥିଲା। ୧୪ ବର୍ଷ ଭିତରେ କଂପାନି ୮୫ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି। ଏହି କ୍ଷତି ଉପରେ ରୋକ ଲଗାଇବା ଲାଗି ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର