‘ବନ୍ଦ ହେବନି ବିଏସ୍‌ଏନ୍‌ଏଲ୍‌’ ପୁନରୁଦ୍ଧାର ପ୍ୟାକେଜ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ

ଭୁବନେଶ୍ବର: ଆର୍ଥିକ ସଙ୍କଟ ଯୋଗୁଁ ସରକାରୀ ଟେଲିକମ୍ ସଂସ୍ଥା ବିଏସ୍‌ଏନ୍‌ଏଲ୍ ବନ୍ଦ ହୋଇଯିବ ବୋଲି କେତେକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଖବରକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ଶାଖାର ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର ଉଦୟ ଶଙ୍କର ପଣ୍ଡା କହିଛନ୍ତି, ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା ଓ ନିରାଧାର। ଭାରତ ସରକାରଙ୍କ ଏଭଳି କିଛି ଯୋଜନା କିମ୍ବା ପ୍ରସ୍ତାବ ନାହିଁ। ଏହା କେତେକ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏବଂ ଅନ୍ୟ କେତେକ ପ୍ରତିଦ୍ବନ୍ଦ୍ବୀ ସଂସ୍ଥାଙ୍କ ତରଫରୁ ବିଏସ୍‌ଏନ୍‌ଏଲ୍‌ର ଗ୍ରାହକଙ୍କୁ ହାତେଇବାର ଏକ ଷଡ଼ଯନ୍ତ୍ର ମାତ୍ର। ଏଭଳି ଅପପ୍ରଚାର ପ୍ରତି ଧ୍ୟାନ ନଦେବାକୁ ସେ ବିଏସ୍‌ଏନ୍‌ଏଲ୍‌ର ଗ୍ରାହକମାନଙ୍କୁ ଅନୁରୋଧ କରିଛନ୍ତି। କଂପାନି ଏହାର ଗ୍ରାହକଙ୍କୁ ସୁଲଭ ଦରରେ ସବୁ ପ୍ରକାର ସେବା ଯୋଗାଇ ଦେବାକୁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

ସେହିଭଳି କର୍ମଚାରୀ ସଂଘ ମଧ୍ୟ ବନ୍ଦ ଖବରକୁ ନେଇ ତୀବ୍ର ପ୍ରତିିକ୍ରିୟା ପ୍ରକାଶ କରିଛନ୍ତି। ବିଏସ୍‌ଏନ୍‌ଏଲ୍‌କୁ ବଦନାମ କରିବା ଉଦ୍ଦେଶ୍ୟରେ କେତେକ ସଂସ୍ଥା ଏଭଳି ମିଥ୍ୟା ପ୍ରଚାର ଚଳାଇଥିବାରୁ ସେମାନେ ଏହାର ନିନ୍ଦା କରିଛନ୍ତି। ଅଲ୍‌ ୟୁନିଅନ୍‌ସ ଆଣ୍ଡ୍‌ ଆସୋସିଏସନ୍‌ସ ଅଫ୍ ବିଏସ୍‌ଏନ୍‌ଏଲ୍‌ ତରଫରୁ ଆଜି ଏସଂପର୍କରେ ଏକ ପ୍ରେସ୍ ବିବୃତି ଜାରି କରାଯାଇଛି। ଏସ୍‌ଏନ୍‌ଇଏ ଓଡ଼ିଶା ସର୍କଲ୍‌ର ସର୍କଲ୍ ସେକ୍ରେଟାରି ବାବାଜୀ ଚରଣ ବିଶ୍ବାଳ କହିଛନ୍ତି, ଏହା ଏକ ଗୁଜବ। ବିଏସ୍‌ଏନ୍‌ଏଲ୍‌ର ବୃହତ ନେଟ୍‌ୱର୍କକୁ ପରିଚାଳନା କରିବା ଲାଗି ଦିନରାତି କାର୍ଯ୍ୟ କରୁଥିବା କଂପାନିର କର୍ମଚାରୀଙ୍କୁ ଏହି ଖବର ନିରୁତ୍ସାହିତ କରିବ। ଜାତୀୟ ନିରାପତ୍ତା ଠାରୁ ଆରମ୍ଭ କରି କଂପାନି ପାଖରେ ଥିବା ବିପୁଳ ସମ୍ପତ୍ତି ଆଦିକୁ ବିଚାରକୁ ନେଲେ ବିଏସ୍‌ଏନ୍‌ଏଲ୍‌କୁ ବନ୍ଦ କରିବା ପ୍ରାୟ ଅସମ୍ଭବ ବୋଲି ସେ କହିଛନ୍ତି। ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ ବିଭିନ୍ନ ସଂଘ ଯଥା ଏଆଇବିଏସ୍‌ଏନ୍‌ଏଲ୍‌ଇଏର ସର୍କଲ୍‌ ସେକ୍ରେଟାରି ବେଣୁଧର ମିଶ୍ର, ଏଆଇଜିଇଟିଓଏର ସର୍କଲ୍ ସେକ୍ରେଟାରି ଧୀରେନ କୁମାର ପରିଡ଼ା, ଏସ୍‌ଇଡବ୍ଳୁଏର ସର୍କଲ୍‌ ସେକ୍ରେଟାରି ପୁରୁଷୋତ୍ତମ ମାଝି, ବିଏସ୍‌ଏନ୍‌ଏଲ୍‌ ଇୟୁର ସର୍କଲ୍‌ ସେକ୍ରେଟାରି ସରୋଜ କୁମାର ଦାସ, ଏନ୍‌ଏଫ୍‌ଟିଇର ସର୍କଲ୍ ସେକ୍ରେଟାରି କୁଳମଣି ତ୍ରିପାଠୀ ମଧ୍ୟ ବିଏସ୍‌ଏନ୍‌ଏଲ୍‌ ବନ୍ଦ ହେବା ଖବରକୁ ଖଣ୍ଡନ କରିଛନ୍ତି। ଏଭଳି ସଙ୍କଟମୟ ସମୟରେ ୨୭୫୧ ଭଳି କମ୍ ସଂଖ୍ୟକ କର୍ମଚାରୀ ଥିବା ସତ୍ତ୍ବେ ବିଏସ୍‌ଏନ୍‌ଏଲ୍‌ ରାଜ୍ୟରେ ଥିବା ୫୪.୭୯ ଲକ୍ଷରୁ ଅଧିକ ମୋବାଇଲ ଫୋନ ଗ୍ରାହକ ଏବଂ ୨.୨୮ ଲକ୍ଷ ଲ୍ୟାଣ୍ଡଲାଇନ୍ ଗ୍ରାହକଙ୍କୁ ନିରବଚ୍ଛିନ୍ନ ଗୁଣାତ୍ମକ ସେବା ଯୋଗାଇ ଆସୁଛି।

ବନ୍ଦ ଗୁଜବକୁ ନେଇ ତୀବ୍ର ପ୍ରତିକ୍ରିୟା, ଏହା ଏକ ଷଡ଼ଯନ୍ତ୍ର: କର୍ମଚାରୀ ସଂଘ

ପୁନରୁଦ୍ଧାର ପ୍ୟାକେଜ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ
ନୂଆଦିଲ୍ଲୀ: ବିଏସ୍‌ଏନ୍‌ଏଲ୍‌କୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ଲାଗି ଶୀଘ୍ର ପୁନରୁଦ୍ଧାର ପ୍ୟାକେଜ୍‌କୁ ଅନୁମୋଦନ କରିବାକୁ କଂପାନିର କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ପୁନରୁଦ୍ଧାର ପ୍ୟାକେଜ ମିଳିଲେ କଂପାନିର ସ୍ଥିତି ୩-୪ ବର୍ଷ ଭିତରେ ସୁଧୁରିଯିବ ବୋଲି କର୍ମଚାରୀଙ୍କ ପକ୍ଷରୁ କୁହାଯାଇଛି। ଏସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରାଯାଇଛି ବୋଲି ସଂଚାର ନିଗମ ଏକ୍‌ଜିକ୍ୟୁଟିଭ୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ କେ ସେବାଷ୍ଟିଆନ ଏକ ଇଂରାଜି ସମ୍ବାଦପତ୍ରକୁ କହିଥିବା ଜଣାପଡ଼ିଛି। ଅନ୍ୟ ଏକ ଘଟଣାକ୍ରମରେ ବେତନ ପ୍ରଦାନରେ ‌ହେଉଥିବା ବିଳମ୍ବକୁ ବିରୋଧ କରି ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର କର୍ମଚାରୀ ସଂଘ ଧର୍ମଘଟ କରିବାକୁ ଯୋଜନା କରୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର