ନଭେମ୍ବରରୁ ବିଏସ୍‌ଏନ୍‌ଏଲ୍‌ର ୪ଜି ସେବା

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କଂପାନି ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌) ଏହାର ୪ଜି ମୋବାଇଲ୍‌ ସେବାକୁ ଆସନ୍ତା ନଭେମ୍ବରରୁ ଆରମ୍ଭ କରିବ। ଏଥି ସହିତ ୫ଜି ସେବା ପାଇଁ ମଧ୍ୟ କଂପାନି ଏହାର କାର୍ଯ୍ୟ ଜାରି ରଖିବ। ଆସନ୍ତା ବର୍ଷ ଅକ୍ଟୋବର ସୁଦ୍ଧା କଂପାନି ୫ଜି ସେବା ମଧ୍ୟ ପ୍ରଦାନ କରିବ। ଅଠର ମାସ ମଧ୍ୟରେ ୧.୨୫ ଲକ୍ଷ ୪ଜି ମୋବାଇଲ୍‌ ସାଇଟ୍‌କୁ କାର୍ଯ୍ୟକ୍ଷମ କରିବାକୁ କଂପାନି ଲକ୍ଷ୍ୟ ରଖିଛି ‌ବୋଲି ବିଏସ୍‌ଏନ୍‌ଏଲ୍‌ର ସିଏମ୍‌ଡି ପି କେ ପୁରୱାର କହିଛନ୍ତି। ୪ଜି ସେବା ଲାଗି ବିଏସ୍‌ଏନ୍‌ଏଲ୍‌ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରିବ। ଏଥିପାଇଁ ଏହା ଘରୋଇ ଆଇଟି କଂପାନି ଟିସିଏସ୍ ଓ ସରକାରୀ ଗବେଷଣା ସଂସ୍ଥା ସି-ଡଟ୍ ସହିତ ଆଲୋଚନା ଜାରି ରଖିଛି।

କଂପାନି ଯେଉଁ ୪ଜି ଉପକରଣ କିଣୁଛି ସେଥିରେ ସଫ୍ଟଓୟାର ଅପ୍‌ଡେଟ୍‌ କଲେ ତାହା ୫ଜି ପାଇଁ ମଧ୍ୟ କାର୍ଯ୍ୟ କରିବ। ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ବିଏସ୍‌ଏନ୍‌ଏଲ୍‌ ୫ଜି ସେବା ପ୍ରଦାନ କରିବ। ସେହି ଲକ୍ଷ୍ୟକୁ ହାସଲ କରିବା ଦିଗରେ କଂପାନି କାମ କରିବ ବୋଲି ଶ୍ରୀ ପୁରୱାର କହିଛନ୍ତି। ଦେଶରେ ୪ଜି ସେବା ପ୍ରଦାନ କ୍ଷେତ୍ରରେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଆଗରେ ରହିଛନ୍ତି। ଏହି ତିନି ସଂସ୍ଥା ୫ଜି ସ୍ପେକ୍ଟ୍ରମ୍ ମଧ୍ୟ ହାସଲ କରିଛନ୍ତି। ଏହା ସହିତ ଆଦାନି ଡାଟା ନେଟ୍‌ୱର୍କସ୍‌ ମଧ୍ୟ ୫ଜି ସ୍ପେକ୍ଟ୍ରମ୍ କିଣିଛି। ଚଳିତ ବର୍ଷ ଦୀପାବଳିରୁ ଜିଓ ଏହାର ୫ଜି ସେବା ଆରମ୍ଭ କରିବ।

ସମ୍ବନ୍ଧିତ ଖବର