ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ବଡ଼ ବଡ଼ ଟେକ କମ୍ପାନୀ(ଟ୍ୱିଟର, ଆମାଜନ,ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା, ମାଇକ୍ରୋସଫ୍ଟ ) କର୍ମଚାରୀ ଛଟେଇ କରୁଛନ୍ତି | ଏହାରି ଭିତରେ ଆଉ ଏକ ବଡ ଟେଲିକମ କମ୍ପାନୀ ଛଟେଇ କରିବାକୁ ଯାଉଛି । ୟୁକେର ଟେଲିକମ୍ କମ୍ପାନୀ ବିଟି ଗ୍ରୁପ୍ ଏବେ ୫୫,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ବିଟି ଗ୍ରୁପ୍ ଗୁରୁବାର ଦିନ କହିଛି ଯେ କମ୍ପାନୀର ପୁନଃନିର୍ମାଣ ଏବଂ ଖର୍ଚ୍ଚ ହ୍ରାସକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଦଶନ୍ଧିରେ ବିଟି ଗ୍ରୁପ୍ ୫୫,୦୦୦ ଲୋକଙ୍କୁ ଛଟେଇ କରିବ। କମ୍ପାନୀର ସମୁଦାୟ ୧,୩୦,୦୦୦ କର୍ମଚାରୀ ଅଛନ୍ତି |
ବିଟି ଗ୍ରୁପ୍ ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ ୨୦୩୦ ସୁଦ୍ଧା କମ୍ପାନୀ ଏହାର କର୍ମଚାରୀଙ୍କ ସଂଖ୍ୟା ୭୫୦୦୦ ରୁ ୯୦୦୦୦ ମଧ୍ୟରେ ସୀମିତ ରଖିବାକୁ ହ୍ରାସ ହେଉଛି। କମ୍ପାନୀର ସିଇଓ ଫିଲିପ୍ ଜାନସନ୍ କହିଛନ୍ତି ଯେ ଦଶନ୍ଧି ଶେଷ ସୁଦ୍ଧା କମ୍ପାନୀ କମ କର୍ମଚାରୀ ରଖିବ ଯାହା ଦ୍ୱାରା ଖର୍ଚ୍ଚ ହ୍ରାସ ହୋଇପାରିବ। ସେ କହିଛନ୍ତି ଯେ ନୂତନ ବିଟି ଗ୍ରୁପ ଛୋଟ ହେବ ଏବଂ ଏହାର ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ ହେବ। ଏହାପୂର୍ବରୁ ବ୍ରିଟେନର ଟେଲିକମ୍ କମ୍ପାନୀ ଭୋଡାଫୋନ୍ ମଧ୍ୟ ୧୧୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି। ଭୋଡାଫୋନ୍ ୟୁରୋପ ଏବଂ ଆଫ୍ରିକାରେ କାର୍ଯ୍ୟ କରେ | ବିଟି ଗ୍ରୁପ୍ କହିଛି ଯେ ସେମାନଙ୍କର ଫାଇବର-ଅପ୍ଟିକ୍ ବ୍ରଡବ୍ୟାଣ୍ଡ ଏବଂ ୫ଜି ସେବାର ସମ୍ପୂର୍ଣ୍ଣ ରୋଲ ଆଉଟ୍ ପରେ ଏହା ଏତେ ସଂଖ୍ୟକ କର୍ମଚାରୀଙ୍କୁ ଆବଶ୍ୟକ କରିବ ନାହିଁ |