କରୋନା ଯୋଗୁଁ ଚାକିରି ହରାଇବା ପରେ ତିନି ଜଣ ଇଞ୍ଜିନିୟର ଆରମ୍ଭ କଲେ ଚା ଷ୍ଟଲ, ନାଁ ଶୁଣି ଟାଣି ହୋଇଚାଲିଯାନ୍ତି ଗ୍ରାହକ

କୋଲ୍ଲମ: କରୋନା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଅନେକଙ୍କ ଜୀବନରେ ପ୍ରଭାବ ପକାଇଛି | କରୋନାକୁ ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନ ଯଦି ବା ଅନେକଙ୍କ ଜୀବନ ବଞ୍ଚାଇଦେଇଛି, ତଥାପି ବି ଅନେକଙ୍କ ଜୀବିକା ଉପରେ ଏକ ବଡ ପ୍ରଭାବ ପକାଇଛି | କରୋନା ଓ ଲକଡାଉନ ତିନି ଜଣ ଇଞ୍ଜିନିୟରଙ୍କ ଜୀବିକା ଉପରେ ବି ପ୍ରଭାବ ପକାଇଥିଲା, ସେମାନେ ଚାକିରି ହରାଇଥିଲେ ବି ମନରେ କିଛି କରିବାର ଜୋସ ଥିଲା | ଆଉ ଠିକ ସେଥିପାଇଁ ତ ଏବେ ଏହି ତିନି ଜଣ ଏକ ଚା ଦୋକାନ କରିଛନ୍ତି | ବିଭିନ୍ନ ଫ୍ଲେଭରର ଚା ପ୍ରସ୍ତୁତ କରି ଲୋକଙ୍କୁ ପରସି ଦେଉଛନ୍ତି | ଆପଣ କେବେ କେରଳର କୋଲାମ ଜିଲ୍ଲାର ପଲ୍ଲିମୁକ୍କୁ ଦେଇ ଯାଆନ୍ତି, ତେବେ ଆପଣ ଜାତୀୟ ରାଜପଥ ୬୬ ପାର୍ଶ୍ୱରେ ଏକ ନିଆରା ଚା ଷ୍ଟଲ୍ ଦେଖିପାରିବେ | ଏହି ଚା ଷ୍ଟଲର ନାମ ହେଉଛି ‘BTech Chai ‘ବା ‘ବି.ଟେକ ଚା’ |

ଆନନ୍ଦୁ ଅଜୟ, ମହମ୍ମଦ ଶାଫି ଏବଂ ତାଙ୍କ ଭାଇ ମହମ୍ମଦ ଶାନାଭାସ, ତିନି ଇଞ୍ଜିନିୟରିଂ ସ୍ନାତକ ଏକତ୍ରିତ ହୋଇ ବି.ଟେକ ଚା ଆରମ୍ଭ କରିଥିଲେ | ନିଜ ଚା ଷ୍ଟଲକୁ ନେଇ ଆନନ୍ଦୁ କହିଛନ୍ତି ଯେ ଯେତେବେଳେ ଆମେ ଲକଡାଉନ୍ ସମୟରେ ଚାକିରି ହରାଇଥିଲୁ ଆମେ ନିଜର କିଛି ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କରିଥିଲୁ ଏବଂ ଖାଦ୍ୟ ବ୍ୟବସାୟ କରିବା ଆମ ମନରେ ଥିଲା | କିନ୍ତୁ ଆର୍ଥିକ ସଙ୍କଟ ହେତୁ, ଆମେ ଖାଦ୍ୟ ବ୍ୟବସାୟ ଆରମ୍ଭ କରିପାରିଲୁ ନାହିଁ | ତେଣୁ, ଆମେ ‘ବି.ଟେକ ଚା’ ଆରମ୍ଭ କରିଛୁ |

photo-better india

‘ବି.ଟେକ ଚା’ର ସଦସ୍ୟ ମାନେ କହିଛନ୍ତି ଯେ ଆମ ପାଖରେ ୫ ଟଙ୍କା ମୂଲ୍ୟର ଚା ରୁ ଆରମ୍ଭ କରି କେଶର ଚା(୪୫ ଟଙ୍କା) ମଧ୍ୟ ମିଳୁଛି | ବର୍ତ୍ତମାନ ଆମ ମେନୁରେ ୫୦ଟି ଚା ଥିବାବେଳେ ବାଦାମ ପିସ୍ତା ଚା, ଭାନିଲା ଚା, ଧନିଆ ପତ୍ର ପଡିଥିବା ଚା, ଷ୍ଟ୍ରବେରୀ ଚା, ଚକୋଲେଟ୍ ଚାର ଡିମାଣ୍ଡ ରହିଛି | ‘ବି.ଟେକ ଚା’ ପ୍ରତିଦିନ ଅପରାହ୍ନ ୩ଟାରୁ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିଥାଏ ଏବଂ ଦିନକୁ ଦିନ ଗ୍ରାହକ ବଢ଼ୁଥିବାର ଆନନ୍ଦୁ କହିଛନ୍ତି |

ସମ୍ବନ୍ଧିତ ଖବର