ମହିଳା
ମହିଳାମାନଙ୍କୁ ଖୁସି କରିବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ବହୁତ ପ୍ରୟାସ କରିଛନ୍ତି। ମୁଦ୍ରା ଯୋଜନାରେ ୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ଦ୍ୱାରା ମହିଳାମାନେ ଲାଭବାନ ହେବେ। କାରଣ ଏଭଳି ଋଣ ଖାତାରେ ମହିଳାଙ୍କ ସଂଖ୍ୟା ୭୬% ରହିଛି। ଉଜ୍ଜ୍ୱଳା ଯୋଜନାରେ ୮ କୋଟି ଗରିବ ମହିଳାଙ୍କ ପାଖରେ ମାଗଣାରେ ଏଲ୍ପିଜି ସଂଯୋଗ ପହଞ୍ଚିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ନିମନ୍ତେ ଋଣ ପରିମାଣରେ ୩୭%ର ବୃଦ୍ଧି ଘୋଷଣା କରାଯାଇଛି। ବେତନଭୋଗୀ ମହିଳାମାନଙ୍କୁ ଖୁସି କରିବା ପାଇଁ ସରକାର ଘୋଷଣା କରିଛନ୍ତି ଯେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ସବୁ କ୍ଷେତ୍ର ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍)ରେ ପାଉଣାର ୧୨% ଅବଦାନ ସରକାର ପ୍ରଦାନ କରିବେ। ଏହି ସମୟ ଭିତରେ ମହିଳାମାନଙ୍କ ଅବଦାନ ପରିମାଣ ୧୨%ରୁ କମ ହୋଇ ୮% ହେବ। ମହିଳାଙ୍କ ନିମନ୍ତେ ଇପିଏଫ୍ ଅବଦାନ ବୋଝ କଂପାନିଗୁଡ଼ିକ ଉପରେ କମିଯିବ। ଫଳରେ ସେମାନେ ଅଧିକରୁ ଅଧିକ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଆଗେଇ ଆସିବେ।
ବରିଷ୍ଠ ନାଗରିକ
ବଜେଟ୍ରେ ବରିଷ୍ଠ ନାଗରିକଙ୍କ ପାଇଁ ଅନେକ ଟିକସ ସୁବିଧା ଘୋଷଣା କରାଯାଇଛି। ସେମାନେ ବ୍ୟାଙ୍କ ଜମା ଏବଂ ଡାକ ଘର ଜମାରୁ ଯେଉଁ ସୁଧ ହାସଲ କରୁଛନ୍ତି ତା’ ଉପରେ ଟିକସ ଛାଡ଼ ସୀମାକୁ ୧୦ ହଜାର ଟଙ୍କାରୁ ବଢ଼ାଇ ୫୦ ହଜାର ଟଙ୍କା କରାଯାଇଛି। ଆୟକର ଧାରାର ୮୦ଡି ଏବଂ ୮୦ଡିଡିବିରେ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ଏବଂ ମେଡିକାଲ୍ ଖର୍ଚ ଉପରେ ଟିକସ ରିହାତି ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ଏବଂ ମେଡିକାଲ୍ ଖର୍ଚ ଉପରେ ଡିଡ୍କ୍ସନ ପରିମାଣ ୩୦ ହଜାର ଟଙ୍କାରୁ ବଢ଼ାଇ ୫୦ ହଜାର ଟଙ୍କା କରାଯାଇଛି। କେତେକ ପ୍ରକାର ଜଟିଳ ଅସୁସ୍ଥତାର ମେଡିକାଲ୍ ଖର୍ଚ ଉପରେ ଡିଡକ୍ସନ ପରିମାଣ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନାକୁ ୨୦୨୦ ମାର୍ଚ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ବରିଷ୍ଠ ନାଗରିକଙ୍କ ପାଇଁ ଏଥିରେ ନିବେଶ ସୀମାକୁ ସାଢ଼େ ସାତ ଲକ୍ଷ ଟଙ୍କାରୁ ବଢ଼ାଇ ୧୫ ଲକ୍ଷ ଟଙ୍କା କରାଯାଇଛି। ପେନ୍ସନ୍ଭୋଗୀଙ୍କ ପାଇଁ ୪୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ଘୋଷଣା କରାଯାଇଛି।
.......................................................................
ଘଣ୍ଟେ ପଚାଶ ମିନିଟ ଭାଷଣ ପଢ଼ିଲେ, ଉତ୍ସାହିତ କଲେ ମୋଦି
ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଆଜି ପାଖାପାଖି ୧ ଘଣ୍ଟା ୫୦ ମିନିଟ୍ ପର୍ଯ୍ୟନ୍ତ ବଜେଟ୍ ଭାଷଣ ପଢ଼ିଥିଲେ। ସେଥି ମଧ୍ୟରୁ ସେ ୨୫ ମିନିଟ୍ ଠିଆ ହୋଇ କହିଥିଲେ ଏବଂ ବଳକା ସମୟ ସିଟ୍ରେ ବସି କହିଥିଲେ। ଭାଷଣ ଶେଷ କରିବା ପୂର୍ବରୁ ଜେଟ୍ଲି ଠିଆ ହୋଇଥିଲେ। ଜେଟ୍ଲି ସୁବିଧା ପାଇଁ ତାଙ୍କୁ ଲାପେଲ୍ ମାଇକ୍ରୋଫୋନ୍ ଯୋଗାଇ ଦିଆଯାଇଥିଲା। ସେ ବଜେଟ୍ ଭାଷଣ ପଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ନିୟମିତ ଭାବେ ଉତ୍ସାହିତ କରୁଥିଲେ। ଆଜି ପ୍ରଧାନମନ୍ତ୍ରୀ ଅନେକ ଥର ଡେସ୍କ ବାଡ଼େଇ ଜେଟ୍ଲିଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ଡେସ୍କ ବାଡ଼େଇବା ମାତ୍ରେ ଏନ୍ଡିଏ ସରକାରଙ୍କ ଅନ୍ୟ ସବୁ ଉପସ୍ଥିତ ସାଂସଦମାନେ ମଧ୍ୟ ସେଭଳି କରୁଥିଲେ। ଭାଷଣ ଶେଷ କରିବା ପରେ ଜେଟ୍ଲିଙ୍କୁ ଗୃହ ଅନେକ ସଦସ୍ୟ ବଧେଇ ଜଣାଇଥିଲେ।
୧୧ ଜଣିଆ ଟିମ୍
ଅର୍ଥମନ୍ତ୍ରୀ ଅରୁଣ ଜେଟ୍୍ଲି ଏକ ୧୧ ଜଣିଆ ଟିମ୍ ନେଇ ଚଳିତ ବର୍ଷର ବଜେଟ୍ ପ୍ରସ୍ତୁତ କରିଛନ୍ତି। ତାଙ୍କ ଟିମ୍ର ସଦସ୍ୟମାନେ ହେଉଛନ୍ତି ଅର୍ଥନୈତିକ ବ୍ୟାପାର ସଚିବ ଏସ୍ ସି ଗର୍ଗ, ଖର୍ଚ ସଚିବ ଏ ଏନ୍ ଝା, ଦୀପମ ସଚିବ ନୀରଜ ଗୁପ୍ତା, ଅର୍ଥ ସଚିବ ହସମୁଖ ଆଧିଆ, ଆର୍ଥିକ ସେବା ସଚିବ ରାଜୀବ କୁମାର, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣିଅନ୍, ସିବିଇସି ଅଧ୍ୟକ୍ଷା ବନଜା ସର୍ଣା, ସିବିଡିଟି ଅଧ୍ୟକ୍ଷ ସୁଶିଲ ଚନ୍ଦ୍ରା ଓ ଅର୍ଥ ବିଭାଗର ଦୁଇ ପ୍ରମୁଖ ରାଷ୍ଟ୍ରମନ୍ତ୍ରୀ ଏସ୍ ପି ଶୁକ୍ଳା ଏବଂ ପି ରାଧାକ୍ରିଷ୍ଣନ୍।
ଇଂରାଜି-ହିନ୍ଦୀ ମିଶାମିଶି ଭାଷଣ
ଚଳିତ ବର୍ଷ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ନିଜ ବଜେଟ୍ ଅଭିଭାଷଣରେ ଉଭୟ ଇଂରାଜି ଓ ହିନ୍ଦୀ ଭାଷାର ବ୍ୟବହାର କରିଛନ୍ତି। ଉଭୟ ଭାଷା ମଧ୍ୟରେ ସେ ଚମତ୍କାର ସନ୍ତୁଳନ ରକ୍ଷା କରିଛନ୍ତି। ପୂର୍ବରୁ ପ୍ରାୟ ସବୁ ଅର୍ଥମନ୍ତ୍ରୀ ନିଜ ବଜେଟ୍ ଅଭିଭାଷଣରୁ ଇଂରାଜିରେ ପ୍ରଦାନ କରୁଥିଲେ। ଗତବର୍ଷଠାରୁ ଜେଟ୍୍ଲି ସେଥିରେ ପରିବର୍ତନ ଆଣିଥିଲେ। ଗତବର୍ଷ ହିନ୍ଦୀ ବ୍ୟବହାର ସୀମିତ ଥିଲା। ଚଳିତ ବର୍ଷ କିନ୍ତୁ ସେ ହିନ୍ଦୀର ଭରପୁର ବ୍ୟବହାର କରିଛନ୍ତି।
ବିତ୍ତୀୟ ସ୍ଥିତି ଓ ଟିକସ
ସମବାୟ ସମିତି ଗୁଡ଼ିକୁ ୧୦୦ ପ୍ରତିଶତ ଟିକସ ରିହାତି
ସ୍ୱଳ୍ପ ମିଆଦୀ ପୁଞ୍ଜି ଲାଭ ଟିକସ ୧୫%ରେ ଅପରିବର୍ତିତ
୭.୪୩ ଲକ୍ଷ କୋଟିର ଜିଏସ୍ଟି ରାଶି ଆଦାୟ ଲକ୍ଷ୍ୟ
ଅଢ଼େଲ ଲକ୍ଷରୁ ଅଧିକ କାରବାର କରୁଥିବା ସଂସ୍ଥା ପାଇଁ ପାନ୍ ବାଧ୍ୟତାମୂଳକ
ସାମାଜିକ ସୁରକ୍ଷା
ବୃଦ୍ଧବୃଦ୍ଧା, ବିଧବା ମହିଳା, ଅନାଥ ଶିଶୁ, ଦିବ୍ୟାଙ୍ଗ ଏବଂ ଅବହେଳିତ ବର୍ଗର ଲୋକଙ୍କ ପାଇଁ ଜାତୀୟ ସାମାଜିକ ସହାୟତା ପାଣ୍ଠି ବାବଦରେ ୯୯୭୫ କୋଟି
ପ୍ରଧାନମନ୍ତ୍ରୀ ଜୀବନ ବୀମା ଯୋଜନାରେ ୫.୨୨ କୋଟି ଲୋକ ଉପକୃତ
ମାଇକ୍ରୋ ଇନ୍ସ୍ୟୁରାନ୍ସ ଓ ପେନ୍ସନ୍ ସ୍କିମ୍ରେ ୧୬ କୋଟି ଆକାଉଣ୍ଟ ସାମିଲ ହେବ।
ସୁକନ୍ୟା ସମୃଦ୍ଧି ସ୍କିମ୍ରେ ୧.୨୬ କୋଟି ଆକାଉଣ୍ଟ ଖୋଲାଯାଇଛି।
ତଫସିଲଭୁକ୍ତ ଜାତିର ଲୋକଙ୍କ ସାମାଜିକ ସୁରକ୍ଷା ପାଇଁ ବ୍ୟୟବରାଦ ୫୬୬୧୯କୋଟି ଟଙ୍କାକୁ ବୃଦ୍ଧି
ତଫସିଲଭୁକ୍ତ ଜନଜାତିର ଲୋକଙ୍କୁ ସାମାଜିକ ସୁରକ୍ଷା ପାଇଁ ବ୍ୟୟବରାଦ ୩୯,୧୩୯ କୋଟି ଟଙ୍କାକୁ ବୃଦ୍ଧି
ଏମ୍ଏସ୍ଏମ୍ଇ ଓ ଶିଳ୍ପ
ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)କୁ ଋଣ, ପୁଞ୍ଜି ଓ ସୁଧ ରିହାତି ଆଦି ସୁବିଧା ଯୋଗାଇ ଦେବା ପାଇଁ ୩୭୯୪ କୋଟି ଟଙ୍କାର ବ୍ୟୟବରାଦ
‘ମୁଦ୍ରା’ ଋଣ ପ୍ରଦାନ ଲକ୍ଷ୍ୟ ୩ ଲକ୍ଷ କୋଟିକୁ ବୃଦ୍ଧି
ବୟନ ଶିଳ୍ପ କ୍ଷେତ୍ରକୁ ୭୧୪୮ କୋଟି ବ୍ୟୟବରାଦ
ଭିତ୍ତିଭୂମି
ଭିତ୍ତିଭୂମି ବିକାଶ ପାଇଁ ୫୦ ଲକ୍ଷ କୋଟି ଆବଶ୍ୟକ
ପର୍ଯ୍ୟଟକଙ୍କ ପାଇଁ ସେରା ପାସ୍ ନିକଟରେ ନୂଆ ସୁଡ଼ଙ୍ଗ ନିର୍ମାଣ
୧୦୦ରୁ ୯୯ଟି ସ୍ମାର୍ଟ ସିଟି ଚୟନ, ବ୍ୟୟବରାଦ ୨.୦୪ ଲକ୍ଷ କୋଟି
୧୦ଟି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀକୁ ବିଶେଷ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ
ଭାରତମାଳା ପ୍ରକଳ୍ପ: ପ୍ରଥମ ପର୍ଯ୍ୟାୟରେ ୫.୩୫ ଲକ୍ଷ କୋଟି ଟଙ୍କା ବ୍ୟୟବରାଦରେ ୩୫ ହଜାର କିମି ରାସ୍ତା ନିର୍ମାଣ
ଟୋଲ୍ ପ୍ରଦାନ କ୍ଷେତ୍ରରେ ଆରମ୍ଭ ହେବ ‘ପେ-ଆଜ୍-ୟୁ-ୟୁଜ୍’ ବ୍ୟବସ୍ଥା
ବିମାନସେବା
ଭାରତୀୟ ବିମାନ ବନ୍ଦର କର୍ତୃପକ୍ଷ ଅଧୀନରେ ଏବେ ୧୨୪ଟି ବିମାନ ବନ୍ଦର ଥିବାବେଳେ ଏହି ସଂଖ୍ୟାକୁ ଅତିକମ୍ରେ ୫ ଗୁଣ ବୃଦ୍ଧି କରାଯିବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୬୦ କୋଟି ଟଙ୍କା ପ୍ରଦାନ
ଉଡାନ୍ ସ୍କିମ୍ରେ ୬୪ଟି ବିମାନ ବନ୍ଦରକୁ ସଂଯୋଗ କରାଯିବ
ପ୍ରଯୁକ୍ତି
ଡିଜିଟାଲ ଇଣ୍ଡିଆ ସ୍କିମ୍ର ବ୍ୟୟବରାଦ ଦୁଇଗୁଣ କରାଯାଇ ୩୦୭୩ କୋଟି ଟଙ୍କାକୁ ବୃଦ୍ଧି
୫ କୋଟି ଗ୍ରାମୀଣ ନାଗରିକଙ୍କୁ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇ ଦେବା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟରେ ୫ ଲକ୍ଷ ଓ୍ଵାଇ-ଫାଇ ହଟ୍ସ୍ପଟ ସ୍ଥାପନ
କ୍ରିପ୍ଟୋକରେନ୍ସି ବେଆଇନ ହୋଇଥିବାରୁ ଏହାକୁ ରୋକିବା ଲାଗି ନିଆଯିବ ପଦକ୍ଷେପ
କମ୍ପାନି ଗୁଡ଼ିକୁ ପ୍ରଦାନ କରାଯିବ ଆଧାର ନମ୍ବର
ପୁଞ୍ଜି ପ୍ରତ୍ୟାହାର ଓ ଅନ୍ୟାନ୍ୟ
ଭାରତ ହେବ ପଞ୍ଚମ ବୃହତ ଅର୍ଥନୀତି
୨୦୧୮-୧୯ରେ ୮୦ ହଜାର କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ
ନ୍ୟାସନାଲ ଇନ୍ସ୍ୟୁରାନ୍ସ, ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସ ଓ ୟୁନାଇଟେଡ ଇନ୍ସ୍ୟୁରାନ୍ସକୁ ମିଶାଇ ଗୋଟିଏ ସଂସ୍ଥାରେ ପରିଣତ କରାଯିବ। ପରବର୍ତୀ ପର୍ଯ୍ୟାୟରେ ଏହାକୁ ତାଲିକାଭୁକ୍ତ କରାଯିବ
ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟବରାଦ
କ୍ରିପ୍ଟୋକରେନ୍ସି ବେଆଇନ ହୋଇଥିବାରୁ ଏହାକୁ ରୋକିବା ଲାଗି ନିଆଯିବ ପଦକ୍ଷେପ।