ନୂଆଦିଲ୍ଲୀ : ଚଳିତ ବର୍ଷ ରେଳବାଇ ପାଇଁ ୧ ଲକ୍ଷ ୪୮ ହଜାର କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି। ଏହି ପାଣ୍ଠିର ଅଧିକାଂଶ ଖର୍ଚ ରେଳବାଇର ସମ୍ପ୍ରସାରଣ ଏବଂ ଉନ୍ନତୀକରଣ ବାବଦରେ ଖର୍ଚ କରାଯିବ।
ଯେଭଳି ଆଶା କରାଯାଉଥିଲା ତାହା ହୋଇଛି। ଚଳିତ ବର୍ଷ କୌଣସି ନୂଆ ଟ୍ରେନ୍ ବିଷୟରେ ଘୋଷଣା କରଯାଇନାହିଁ। କେବଳ ଆଧୁନିକୀକରଣ ଏବଂ ଯାତ୍ରୀ ସୁରକ୍ଷା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ୬୦୦ ପ୍ରମୁଖ ରେଳ ଷ୍ଟେସନର ପୁନଃ ବିକାଶ କରାଯିବ। ୨୫ ହଜାରରୁ ଅଧିକ ଯାତ୍ରୀ ପ୍ରବେଶ କରୁଥିବା ସବୁ ଷ୍ଟେସନରେ ଏସ୍କକାଲେଟର୍ ଏବଂ ସିସିଟିଭି ଲଗାଯିବ। ଏହା ବ୍ୟତୀତ ସେହି ଷ୍ଟେସନଗୁଡ଼ିକରେ ଓ୍ଵାଇ-ଫାଇ ସୁବିଧା ରହିବ। ଭଦୋଦରାରେ ଏକ ରେଳ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ଘୋଷଣା କରାଯାଇଛି।
ଟ୍ରେନ୍ ଦୁର୍ଘଟଣା ପରିମାଣ ହ୍ରାସ କରିବା ପାଇଁ ପ୍ରଯୁକ୍ତିର ବହୁଳ ବ୍ୟବହାର କରିବା ଏବଂ କୁହୁଡ଼ିରୁ ସୁରକ୍ଷା ପ୍ରଦାନ କରୁଥିବା ଉପକରଣ ବିକଶିତ କରିବା ପାଇଁ ଜେଟ୍ଲି କହିଛନ୍ତି।
ଚଳିତ ବର୍ଷ ୩୬୦୦୦ କିଲୋମିଟର ରେଳ ଲାଇନ୍ର ନବୀକରଣ କରାଯିବ। ଦୁଇ ବର୍ଷ ଭିତରେ ବ୍ରଡ୍ ଗଜ୍ ରୁଟ୍ରେ ଥିବା ୪୨୬୭ ଜଗୁଆଳି ବିହୀନ ଲେବଲ୍ କ୍ରସିଂ ଉଚ୍ଛେଦ କରାଯିବ। ନୂଆ ବିଶ୍ୱ ସ୍ତରୀୟ ମାନର ଟ୍ରେନ୍ ନିର୍ମାଣ କରାଯିବ। ଉତ୍ସର୍ଗୀକୃତ ଫ୍ରେଟ୍ କରିଡର୍ ସ୍ଥାପନ କରାଯିବ ଏବଂ ବିଦ୍ୟୁତକରଣକୁ ଅଗ୍ରାଧିକାର ପ୍ରଦାନ କରାଯିବ ବୋଲି ଜେଟ୍ଲି କହିଛନ୍ତି। ଚଳିତ ବର୍ଷ ୪୦୦୦ ରେଳ ଲାଇନ୍ର ବିଦ୍ୟୁତକରଣ କରାଯିବ। ୧୮,୦୦୦ କିଲୋମିଟର ଟ୍ରାକ୍ର ଦୋହରୀକରଣ ହେବ। ୫୦୦୦ କିଲୋମିଟର ରେଳ ଲାଇନ୍ର ଗଜ୍ ପରିବର୍ତନ କରାଯିବ। ବ୍ୟସ୍ତ ବହୁଳ ରୁଟ୍ଗୁଡ଼ିକରେ ତୃତୀୟ ଏବଂ ଚତୁର୍ଥ ଲାଇନ୍ ନିର୍ମାଣ କରାଯିବ।
ଚଳିତ ବର୍ଷ ବଜେଟ୍ରେ ରେଳବାଇର କାର୍ଯ୍ୟଦକ୍ଷତା ବଢ଼ାଇବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି।
ମୁମ୍ବାଇ ଲୋକାଲ୍ ଟ୍ରେନ୍ର ୯୦ କିମି ଲାଇନ୍ର ଦୋହରୀକରଣ ହେବ। ଏ ବାବଦରେ ୧୧,୦୦୦ କୋଟି ଟଙ୍କା ଖର୍ଚ ହେବ।
ପ୍ରଥମ ଥର ପାଇଁ ଚଳିତ ବଜେଟ୍ରେ ରେଳବାଇକୁ ନିଜ ଆଡୁ ଅର୍ଥ ସଂଗ୍ରହ କରିବାକୁ କୁହାଯାଇଛି। ପୂର୍ବ ସମସ୍ତ ବଜେଟ୍୍ଗୁଡ଼ିକରେ ରେଳବାଇ ସମ୍ପୂର୍ଣ୍ଣ ରୂପେ କେନ୍ଦ୍ର ସରକାରଙ୍କ ସହାୟତା ଉପରେ ନିର୍ଭର କରୁଥିଲା। ସେହି ପୁରୁଣା ପ୍ରଥାରେ ଏଥର ବ୍ରେକ୍ ଲାଗିଛି। ରେଳବାଇର ମୋଟ ରାଜସ୍ୱ ପ୍ରାପ୍ତି ପରିମାଣ ୭% ବୃଦ୍ଧି ପାଇ ୨,୦୧,୦୯୦ କୋଟି ଟଙ୍କା ହେବ ବୋଲି ବଜେଟ୍ରେ ଘୋଷଣା କରାଯାଇଥିବା ବେଳେ ମୋଟ ରାଜସ୍ୱ ଖର୍ଚ ପରିମାଣ ୧,୮୮,୧୦୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ପରିଚାଳନା ଅନୁପାତ ପରିମାଣ ୯୨.୮% ରହିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଘୋଷଣା କରିଛନ୍ତି ଯେ ରେଳ ବଜେଟ୍ ବାବଦରେ ମୋଟ ୧,୪୮,୫୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରେଳବାଇ ପାଇଁ ଏହା ସର୍ବକାଳୀନ ସର୍ବାଧିକ ବ୍ୟୟବରାଦ। ମୋଟ ବ୍ୟୟବରାଦର ଏକ ତୃତୀୟାଂଶ ଭାଗ କେନ୍ଦ୍ର ରାଜକୋଷରୁ ପ୍ରଦାନ କରାଯିବ। ବଳକା ଅର୍ଥକୁ ରେଳବାଇ ପକ୍ଷରୁ ଋଣ ଏବଂ ବିଭିନ୍ନ ସମ୍ପତିରୁ ରାଜସ୍ୱ ସଂଗ୍ରହ କରି ଯୋଗାଡ଼ କରିବାକୁ ପଡ଼ିବ। ସରକାରଙ୍କଠାରୁ ୫୩,୦୬୦ କୋଟି ଟଙ୍କାର ବଜେଟ୍ ସହାୟତା ମିଳିବ। ରେଳବାଇ ନିଜସ୍ୱ ଉତ୍ସରୁ ୧୧,୫୦୦ କୋଟି ଟଙ୍କା ଯୋଗାଡ଼ କରିବ। ଆଇଆର୍ଏଫ୍ସିରୁ ୨୮,୫୦୦ କୋଟି ଟଙ୍କା ଉଠାଇବ। ଏଲ୍ଆଇସି ୨୬,୪୪୦ କୋଟି ଟଙ୍କାର ସହାୟତା ପ୍ରଦାନ କରିବ। ଘରୋଇ ସରକାରୀ ସହଭାଗିତା (ପିପିପି)ରୁ ୨୭,୦୦୦ କୋଟି ଟଙ୍କା ହାସଲ କରାଯିବ।
ଚଳିତ ବର୍ଷର ବଜେଟ୍କୁ ରେଳମନ୍ତ୍ରୀ ପୀୟୂଷ ଗୋୟଲ୍ ଏକ ସନ୍ତୁଳିତ ବଜେଟ୍ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷଠାରୁ ସାଧାରଣ ବଜେଟ୍ ସହିତ ରେଳ ବଜେଟ୍କୁ ମିଶାଇ ଦିଆଯାଇଛି।
ନୂଆ ଟ୍ରେନ୍ ଘୋଷଣା ହେଲାନି
୧ ଲକ୍ଷ ୪୮ ହଜାର କୋଟି ଟଙ୍କାର ବ୍ୟୟବରାଦ
ଭଦୋଦରାରେ ହେବ ରେଳ ବିଶ୍ୱବିଦ୍ୟାଳୟ
୫୨୬୭ ଜଗୁଆଳି ବିହୀନ ଲେବଲ୍ କ୍ରସିଂ ଉଚ୍ଛେଦ ହେବ
୧୮୦୦୦ କିମି ଟ୍ରାକ୍ର ଦୋହରୀକରଣ
୫୦୦୦ କିମି ଗଜ୍ ପରିବର୍ତନ
୪୦୦୦ କିମି ଲାଇନ୍ର ବିଦ୍ୟୁତ୍କରଣ ହେବ
୨୦୧୭-୧୮ର ହିସାବ
ମାଲ ପରିବହନରୁ ଆୟ ୧,୧୭,୫୦୦ କୋଟି ଟଙ୍କା
ଯାତ୍ରୀ ଭଡ଼ାରୁ ଆୟ ଲକ୍ଷ୍ୟ ୫୦,୧୨୫ କୋଟି ଟଙ୍କା
ମୋଟ ଟ୍ରାଫିକ୍ ଆୟ ୧,୮୭,୨୨୫ କୋଟି ଟଙ୍କା
ସାଧାରଣ କାର୍ଯ୍ୟକାରୀ ଖର୍ଚ ୧,୩୦,୨୦୦ କୋଟି ଟଙ୍କା
ପେନ୍୍ସନ୍ ଫଣ୍ଡ୍ ବାବଦ ଖର୍ଚ ୪୪,୧୦୦ କୋଟି ଟଙ୍କା
ରାଷ୍ଟ୍ରୀୟ ରେଳ ସମରକ୍ଷା କୋଷ ଖର୍ଚ ୫୦୦୦ କୋଟି
ଅନ୍ୟାନ୍ୟ ଖର୍ଚ ୧୭୦୦ କୋଟି ଟଙ୍କା
ପରିଚାଳନା ଅନୁପାତ ୯୬%
ପୁଞ୍ଜି ଖର୍ଚ ୧ ଲକ୍ଷ ୨୦ ହଜାର କୋଟି
୨୦୧୮-୧୯ର ଲକ୍ଷ୍ୟ
ମାଲ ପରିବହନରୁ ଆୟ ହେବ ୧,୨୧,୯୫୦ କୋଟି ଟଙ୍କା
ଯାତ୍ରୀ ଭଡ଼ାରୁ ଆୟ ହେବ ୫୨,୦୦୦ କୋଟି ଟଙ୍କା
ଅନ୍ୟାନ୍ୟ କୋଚିଂ ଆୟ ୬୦୦୦ କୋଟି
ସଣ୍ଡ୍ରି ଅନ୍ୟାନ୍ୟ ଆୟ ୨୦,୭୯୦ କୋଟି
ମୋଟ ଟ୍ରାଫିକ୍ ରାଜସ୍ୱ ପରିମାଣ ୨,୦୦,୮୪୦ କୋଟି ହେବ
ଅନ୍ୟାନ୍ୟ ପ୍ରାପ୍ତି ୨୫୦ କୋଟି ଟଙ୍କା
ମୋଟ ପ୍ରାପ୍ତି ୨ ଲକ୍ଷ ୧ ହଜାର ୯୦ କୋଟି
ସାଧାରଣ କାର୍ଯ୍ୟକାରୀ ଖର୍ଚ ପରିମାଣ ୧,୩୮,୦୦୦ କୋଟି ଟଙ୍କା
ଡିଆର୍ଏଫ୍ ପାଇଁ ରଖାଯାଇଛି ୫୦୦ କୋଟି
ପେନ୍ସନ୍ ପାଣ୍ଠି ପାଇଁ ରଖାଯାଇଛି ୪୭,୫୦୦ କୋଟି
ଅନ୍ୟାନ୍ୟ ଖର୍ଚ ପରିମାଣ ୧,୮୮,୧୦୦ କୋଟି
ପରିଚାଳନା ଅନୁପାତ ୯୨.୮%
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/budget-team.jpg)
/sambad/media/post_attachments/wp-content/uploads/2018/02/Train-final-300x218.jpg)