ନୂଆଦିଲ୍ଳୀ: ଦେଶରେ ବେକାରି ସମସ୍ୟା ଭୟଙ୍କର ରୂପ ଧାରଣ କରିଥିବା ବେଳେ ମାହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍ (ମନରେଗା) ପାଇଁ ବଜେଟରେ ଅର୍ଥକାଟ୍ କରାଯାଇଛି। ବିଶେଷ କରି ମହଙ୍ଗା ଦରକୁ ନେଇ ଗ୍ରାମାଞ୍ଚଳରେ ଲୋକମାନେ ଦୁର୍ଦିନ ଦେଇ ଗତି କରୁଥିବା ବେଳେ ସେମାନଙ୍କ ପାଇଁ ରୋଜଗାର ଓ ଆୟର ପ୍ରମୁଖ ସୂତ୍ର ସାଜିଥିବା ମନରେଗାକୁ ଅର୍ଥ ବଣ୍ଟନରେ ୯୫୦୦ କୋଟି ଟଙ୍କା କମ୍ କରାଯାଇଛି। ଗତ ଆଥିକ ବର୍ଷରେ ଏହି ସ୍କିମ ପାଇଁ ୭୧ ହଜାର ଶହେ କୋଟି ଟଙ୍କାର ରେକର୍ଡ ପରିମାଣର ଅର୍ଥ ବରାଦ କରାଯାଇଥିଲା। କିନ୍ତୁ ଏଥର ଏହି ପରିମାଣ ୬୧ ହଜାର ୬୦୦ କୋଟିକୁ ହ୍ରାସ କରାଯାଇଛି।
ଅର୍ଥ ମନ୍ତ୍ରୀଙ୍କ ଏହି ଆଭିମୁଖ୍ୟ ଦର୍ଶାଉଛି ଯେ ଆମ ଦେଶର ଆର୍ଥିକ ଅବସ୍ଥା କେତେ ଖରାପ। ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଗ୍ରାମାଞ୍ଚଳ ଅର୍ଥନୀତିକୁ ମଜବୁତ କରିବାକୁ ହେଲେ ନିଯୁକ୍ତି କାର୍ଯ୍ୟକ୍ରମରେ ସରକାରଙ୍କୁ ଅଧିକ ଖର୍ଚ କରିବାକୁ ପଡ଼ିବ। ଦରଦାମ ବୃଦ୍ଧି ଯୋଗୁଁ ଗ୍ରାମାଞ୍ଚଳରେ ଲୋେକ ଖାଇବା ଉପରେ ଖର୍ଚ କମାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଗ୍ରାମୀଣ ଗରିବଙ୍କ ହାତରେ ଅଧିକ ପଇସା ଦେବାକୁ ପଡ଼ିବ। ଏହା ନହେଲେ ଗ୍ରାମୀଣ ଅଥନୀତି ସୁଧୁରିପାରିବ ନାହିଁ। ଏହି ସ୍କିମରେ ଏବେ ୧୨ କୋଟି ୫୦ ଲକ୍ଷ ଶ୍ରମିକ ନିୟୋଜିତ ଅଛନ୍ତି। ଗତ ୮ ମାସ ହେଲା ଗ୍ରାମୀଣ ଅର୍ଥନୀତି ଅତି ଖରାପ ଅବସ୍ଥାରେ ରହିଛି। ଖର୍ଚ ପାଇଁ ଲୋକମାନଙ୍କ ହାତରେ ପଇସା ନାହିଁ। ଗତ ଡିସେମ୍ବର ମାସରେ ମୁଦ୍ରାସ୍ଫୀତି ୧୪ ପ୍ରତିଶତରେ ପହଂଚିବା ପରେ ଅବସ୍ଥା ଆହୁରି ବିଗିଡ଼ିଯାଇଛି। ତେବେ କିଛି ମାତ୍ରାରେ ଆଶ୍ବାସନାର ବିଷୟ ହେଲା ଏଥର ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ ପାଇଁ ଅଧିକ ୫ ହଜାର କୋଟି ଟଙ୍କାର ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗତବର୍ଷ ବଜେଟରେ ୧୪ ହଜାର ୭୦ କୋଟି ଟଙ୍କାର ବ୍ୟବସ୍ଥା ଥିବା ବେଳେ ଏଥର ୧୯ ହଜାର ୫୦୦ କୋଟି ଟଙ୍କାର ଅର୍ଥ ବରାଦ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ସଡ଼କ ବ୍ୟବସ୍ଥାର ଉନ୍ନତୀକରଣ। ଗ୍ରାମକୁ ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ିବା। ଏହାଦ୍ବାରା କେବଳ ଲୋକମାନଙ୍କ ଯାତାୟତରେ ସୁବିଧା ହେବ ତାହା ନୁହେଁ ଜଣେ ଚାଷୀ ଏହାର ଉତ୍ପାଦକୁ ସହଜରେ ବଜାରକୁ ଆଣିପାରିବ। ସେହିଭଳି ମୋଦୀ ସରକାରର ସବୁଠାରୁ ଲୋକପ୍ରିୟ ଗ୍ରାମାଞ୍ଚଳ ଗୃହ ନିର୍ମାଣ ସ୍କିମ ପାଇଁ ଅଧିକ ଅର୍ଥ ଦିଆଯାଇଛି। ଗତବର୍ଷ ୧୮ ହଜାର ୪୭୫ କୋଟି ଟଙ୍କା ଦିଆଯାଇଥିବା ବେଳେ ଏଥର ୧୯ ହଜାର ୫୦୦ କୋଟି ଟଙ୍କାର ଅର୍ଥ ବରାଦ କରାଯାଇଛି। ଜାତୀୟ ଜୀବିକା ମିସନ ପାଇଁ ୯ ହଜାର ୨୧୦ କୋଟି ଟଙ୍କା ଦିଆଯାଇଛି। ଗତବର୍ଷ ୯ ହଜାର ୨୪ କୋଟି ଟଙ୍କା ବରାଦ କରାଯାଇଥିଲା । କିନ୍ତୁ ଏହା ଗ୍ରାମାଞ୍ଚଳ ଅଥର୍ନୀତିକୁ ସୁଧାରିବାରେ ଯଥେଷ୍ଟ ନୁହେଁ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/dg56jh4dg6jh7d98gh798h74f6s4hs65fh4s65fh65sf4h65sfh.jpg)