କେବେ ଦେଖିନଥିବା ଭଳି ବଜେଟ୍‌ ଆସିବ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ନିଜର ତୃତୀୟ ବଜେଟ୍ ଉପସ୍ଥାପନ କରିବେ। ସେ ହେଉଛନ୍ତି ସ୍ବାଧୀନ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ। ଅର୍ଥନୀତିରେ ତାଙ୍କର ଭଲ ଜ୍ଞାନ ନଥିବା ଦାବି କରି ଅନେକ ସମୟରେ ତାଙ୍କୁ ତାଚ୍ଛଲ୍ୟ କରାଯାଏ। କିନ୍ତୁ ସେମାନେ ଜାଣିନାହାନ୍ତି ଯେ ବିଶ୍ବର ଏକ ପ୍ରମୁଖ ଆର୍ଥିକ ସଂସ୍ଥା ପିଡବ୍ଲୁସିରେ ‌କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ଏଥର ବଜେଟ୍‌ ୧୦୦ ବର୍ଷ ଭିତରେ ସମ୍ପୂର୍ଣ୍ଣ ନିଆରା ହେବ। କେବେ ଦେଖିନଥିବା ଭଳି ବଜେଟ୍‌ ଆସିବ ବୋଲି ନିର୍ମଳା କହିଛନ୍ତି।

ତାମିଲନାଡୁର ମଦୁରାଇରେ ୧୯୫୯ ଅଗଷ୍ଟ ୧୮ରେ ନିର୍ମଳାଙ୍କ ଜନ୍ମ ହୋଇଥିଲା। ତିରୁଚିରାପଲ୍ଲୀର ସୀତାଲକ୍ଷ୍ମୀ ରାମସ୍ବାମୀ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ସେ ନୂଆଦିଲ୍ଲୀରେ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍‌ରେ ଏମ୍‌.ଫିଲ୍‌ ଶିକ୍ଷା ଶେଷ କରିଥିଲେ। ଡକ୍ଟର ପି ପ୍ରଭାକରଙ୍କୁ ବିବାହ କରିବା ପରେ ସେ ଲଣ୍ଡନ ଚାଲିଯାଇଥିଲେ। ସେଠାରେ ପିଡବ୍ଲୁସି ଓ ବିବିସି ୱାର୍ଲଡ୍‌ ଭଳି ସଂସ୍ଥାରେ କାମ କରିଥିଲେ, ଯାହାକୁ ସେ ସଫଳତାର ସହ ନିର୍ବାହ କରିଛନ୍ତି।

୨୦୦୩ରେ ସେ ଜାତୀୟ ମହିଳା କମିସନର ସଦସ୍ୟା ଭାବେ କାମ କରିଥିଲେ। ୨୦୦୬ରେ ସେ ବିଜେପିରେ ଯୋଗ ଦେଇ ଜାତୀୟ ପ୍ରବକ୍ତା ଭାବେ କାର୍ଯ୍ୟ କରିଥି‌ଲେ। ୨୦୧୪ରେ ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭା‌ ସଦସ୍ୟ ‌ହେବା ସହ ଅର୍ଥ ଓ କର୍ପୋରେଟ୍ ବ୍ୟାପାରର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ। ୨୦୧୬ରେ କର୍ଣ୍ଣାଟକରୁ ପୁଣି ରାଜ୍ୟସଭା ଆସିିଥିଲେ। ୨୦୧୭ରେ ତାଙ୍କୁ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ଦିଆଯାଇଥିଲା। ୨୦୧୯ରେ ସେ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ ଦାୟିତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର