ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୪-୨୫ର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ତାଙ୍କର ଏହି ବଜେଟ୍ରୁ କୃଷି କ୍ଷେତ୍ର ବହୁତ କିଛି ଆଶା ରଖିଛି। ଚର୍ଚ୍ଚା ହେଉଛି ଯେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି ଏଥର କୃଷି କ୍ଷେତ୍ରକୁ ଅଧିକ ଅର୍ଥ ବ୍ୟୟବରାଦ କରାଯିବ। ସରକାରଙ୍କ ପ୍ରମୁଖ କୃଷିଭତ୍ତିକ ଯୋଜନା ପିଏମ୍-କିସାନର ବ୍ୟୟବରାଦ ପୂର୍ବ ବଜେଟ୍ ତୁଳନାରେ ୩୦ ପ୍ରତିଶତ ବୃଦ୍ଧି ପାଇ ୮୦ ହଜାର କୋଟି ଟଙ୍କା ହେବ। ଚଳିତ ବର୍ଷର ଅନ୍ତରୀଣ ବଜେଟ୍ରେ ପିଏମ୍-କିସାନ ଲାଗି ୬୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଏହି ସ୍କିମ୍ରେ ବର୍ଷକୁ ଚାଷୀମାନଙ୍କୁ ୬ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉଛି। ଚାଷୀମାନଙ୍କୁ ବାର୍ଷିକ ୮୦୦୦ ଟଙ୍କା ଦେବା ଲାଗି କୃଷି ସଂଗଠନଗୁଡ଼ିକ ପ୍ରାକ୍ ବଜେଟ୍ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦାବି କରିଥିଲେ।
ମୋଦୀ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ରେ ଯୁବବର୍ଗ, ମହିଳା, ଗ୍ରାମାଞ୍ଚଳ ଓ ଚାଷୀଙ୍କୁ ଗୁରୁତ୍ବ ଦିଆଯିବ। ଭାରତୀୟ କିଷାନ ସଂଘର ବଦ୍ରି ନାରାୟଣ ଚୌଧୁରୀ କହିଛନ୍ତି ଯେ ପିଏମ୍ କିସାନ ଯୋଜନାରେ ବାର୍ଷିକ ଦେୟକୁ ୬୦୦୦ ଟଙ୍କାରୁ ବଢ଼ାଇ ୮୦୦୦ ଟଙ୍କା କରିବାକୁ ଆମେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣଙ୍କୁ ନିବେଦନ କରିଛୁ। ୨୦୨୪ ଫେବ୍ରୁଆରି ୧ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଉପସ୍ଥାପନ କରିଥିବା ଅନ୍ତରୀଣ ବଜେଟ୍ରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବାବଦରେ ଅଧିକ ସଂଗ୍ରହ ହେବ ବୋଲି ଆକଳନ କରିଥିଲେ। ୨୦୨୪-୨୫ ଆର୍ଥିକ ବର୍ଷରେ ୨୧.୯୯ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ଏବଂ ୧୬.୩୧ ଲକ୍ଷ କୋଟି ଟଙ୍କାର ପରୋକ୍ଷ ଟିକସ ସଂଗ୍ରହ ହେବାର ସମ୍ଭାବନା ରହିଛି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କଠାରୁ କେନ୍ଦ୍ର ସରକାର ୨.୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ସରକାର ରିଜର୍ଭ ବ୍ୟାଙ୍କଠାରୁ ୧.୦୨ ଲକ୍ଷ କୋଟି ଟଙ୍କା ପାଇବାକୁ ଆଶା ରଖିଥିଲେ। ମାତ୍ର ବାସ୍ତବରେ ତା’ଠାରୁ ୧୪୧ ପ୍ରତିଶତ ଅଧିକ ଟଙ୍କା ମିଳିଛି। ୨୦୨୨-୨୩ରେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ୮୭,୪୧୬ କୋଟି ଟଙ୍କା ପ୍ରଦାନ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/gdjgdgjdgjgjd.jpg)