ଭୁବନେଶ୍ବର: ଶିଳ୍ପ ସଂଘ ଫିକିର ପୂର୍ବତନ ସଭାପତି ଶୁଭ୍ରକାନ୍ତ ପଣ୍ଡା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଲାଗି କେତେକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ଚାହିଦା ବଢ଼ାଇବା ଲାଗି ଭିତ୍ତିଭୂମି ଏବଂ ଗବେଷଣା ଓ ବିକାଶରେ ଅଧିକ ନିବେଶ କରିବା, ପୁଞ୍ଜି ବ୍ୟୟକୁ ୨୫% ପର୍ଯ୍ୟନ୍ତ ବୃଦ୍ଧି କରିବା ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ)ଙ୍କୁ ସହାୟତା ଲାଗି ଟିକସ ନିୟମ କୋହଳ କରିବାକୁ ସେ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Advertisment

ଶ୍ରୀ ପଣ୍ଡା କହିଛନ୍ତି ଯେ ଆମେ ଏଭଳି ଏକ ବଜେଟ୍ ଆଶା କରୁଛୁ ଯାହା ଭାରତୀୟ ଅର୍ଥନୀତିର ଦୃଢ଼ କ୍ଷେତ୍ରକୁ ନେଇ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବ ଓ ବିତ୍ତୀୟ ଶୃଙ୍ଖଳା ପ୍ରତି ପ୍ରତିବଦ୍ଧ ରହିବ। ଉଦୀୟମାନ କ୍ଷେତ୍ର ଲାଗି ଏକ ଲକ୍ଷ କୋଟି ଟଙ୍କାର କର୍ପସ୍‌ ଫଣ୍ଡ ଗଠନ କରିବାକୁ କାମଚଳା ବଜେଟ୍‌ରେ ଯେଉଁ ଘୋଷଣା ହୋଇଥିଲା, ପୂର୍ଣ୍ଣାଙ୍ଗ ବଜେଟ୍‌ରେ ତାହା ଉପରେ ଗୁରୁତ୍ବ ଦେବାକୁ ସେ ଅର୍ଥମନ୍ତ୍ରୀଙ୍କୁ କହିଛନ୍ତି। ଆୟ ଉତ୍ସରୁ ଟିକସ (ଟିଡିଏସ୍‌) ପୁଞ୍ଜି ଲାଭ ଟିକସର ସରଳୀକରଣ କରିବା, ଏକ ସ୍ବାଧୀନ ବିବାଦ ସମାଧାନ ଫୋରମ୍ ଗଠନ କରିବା, ରପ୍ତାନି ବଢ଼ାଇବା ଲାଗି ପଦକ୍ଷେପ ଗ୍ରହଣ କରିବା ଏବଂ ସବୁ ପ୍ରକାର ବ୍ୟବସାୟ ସମ୍ପର୍କିତ ନିୟମ ପାଳନ କରିବା ଲାଗି ବ୍ଲକ୍‌ଚେନ୍ ପ୍ରଯୁକ୍ତିକୁ ବ୍ୟବହାର କରି ଗୋଟିଏ ପୋର୍ଟାଲ ବିକାଶ କରିବାକୁ ସେ ଫିକି ତରଫରୁ ପ୍ରସ୍ତାବ ଦେଇଛନ୍ତି। କୃଷି, ପର୍ଯ୍ୟଟନ, ପରିବେଶ, ଇଲେକ୍ଟ୍ରିକ୍ ଯାନ ଆଦି କ୍ଷେତ୍ର ପ୍ରତି ଧ୍ୟାନ ଦେବା ଏବଂ ଦରଦାମ୍ ସ୍ଥିତି ଉପରେ ଲଗାମ କଷିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।