ବଜେଟ୍ରେ ବେତନଭୋଗୀଙ୍କୁ ଟିକସ ରିହାତି ଦେବାକୁ ଯାଇ ୪୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଘୋଷଣା କରାଯାଇଛି। କିନ୍ତୁ ସେମାନେ ପାଉଥିବା ଦୁଇଟି ସୁବିଧା ପରିବହନ ଭତ୍ତା ଓ ମେଡିକାଲ ରିମ୍ବର୍ସମେଣ୍ଟକୁ ପ୍ରତ୍ୟାହାର କରି ନିଆଯାଇଛି। ଏବେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ମେଡିକାଲ୍ ବିଲ୍ ଓ ୧୯,୨୦୦ ଟଙ୍କା ପର୍ଯ୍ୟନ୍ତ ପରିବହନ ଭତ୍ତାରେ ଟିକସ ରିହାତି ମିଳୁଛି। ଏତଦ୍ବ୍ୟତୀତ ଶିକ୍ଷା ଓ ସ୍ୱାସ୍ଥ୍ୟ ବାବଦରେ ଆଦାୟ କରୁଥିବା ସେସ୍କୁ ୩%ରୁ ୪%କୁ ବଢ଼ାଇ ଟିକସଦାତାଙ୍କ ଉପରେ ବୋଝ ଲଦି ଦିଆଯାଇଛି।
ଆୟକର ସ୍ଲାବ୍ ଅପରିବର୍ତିତ
ଆୟକର ସ୍ଲାବ ଅପରିବର୍ତିତ ରହିଛି। ଅଢ଼େଲ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ଆୟବର୍ଗକୁ ଗୋଟିଏ ସ୍ଲାବ୍ରେ ରଖାଯାଇଥିବାବେଳେ ୫ ଲକ୍ଷରୁ ଅଧିକ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଅନ୍ୟ ଏକ ସ୍ଲାବ୍ରେ ରଖାଯାଇଛି। ଏମାନଙ୍କ ବ୍ୟତୀତ ୧୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ ଅନ୍ୟ ଏକ ଟିକସ ସ୍ଲାବ୍ରେ ରଖାଯାଇଛି। ଏହି ଟିକସ ସ୍ଲାବ୍ ଉପରୁ ଯଥାକ୍ରମେ ୫%, ୧୦% ଏବଂ ୨୦% ହାରରେ ଆୟକର ଆଦାୟ କରାଯାଉଛି।
ଆୟକର ଉପରେ ସେସ୍ ୪%କୁ ବଢ଼ିଲା
ଉଭୟ ଆୟକର ଓ କର୍ପୋରେଟ୍ ଟିକସ ଦାତାଙ୍କଠାରୁ ଆଦାୟ କରୁଥିବା ସେସ୍କୁ ୪%କୁ ବଢ଼ାଇ ଦିଆଯାଇଛି। ସରକାର ଏବେ ଯେଉଁ ୩% ସେସ୍ ଆଦାୟ କରୁଛନ୍ତି ସେଥିରେ ୨% ସେସ୍ ପ୍ରାଥମିକ ଶିକ୍ଷା ଓ ୧% ସେସ୍ ଉଚ୍ଚ ଶିକ୍ଷା ପାଇଁ ବ୍ୟୟ କରାଯାଉଛି। କିନ୍ତୁ ଏହି ୩% ସେସ୍ ବଦଳରେ ୪%ର ଶିକ୍ଷା ଓ ସ୍ୱାସ୍ଥ୍ୟ ସେସ୍ ଲାଗୁ କରିବାକୁ ବଜେଟ୍ରେ ପ୍ରସ୍ତାବ ରଖାଯାଇଛି। ଏହି ଅର୍ଥକୁ ଉଭୟ ଗରିବ ଲୋକଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ବ୍ୟୟ କରାଯିବ। ସରକାର ଏ ବାବଦରେ ୧୧ ହଜାର କୋଟି ଟଙ୍କା ଆଦାୟ କରିବେ।
ଷ୍ଟାଣ୍ଡାର୍ଡ ଡିଡକ୍ସନ୍ର ପୁନଃ ପ୍ରଚଳନ
ବଜେଟ୍ରେ ଆୟକରଦାତାଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନର ପୁନଃ ପ୍ରଚଳନ କରାଯାଇଛିି। ଆୟକରଦାତାଙ୍କୁ ଅର୍ଥମନ୍ତ୍ରୀ ୪୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ପ୍ରଦାନ କରାଯାଇଛି। ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମ୍ ଷ୍ଟାଣ୍ଡାର୍ଡ ଡିଡକ୍ସନ୍କୁ ୨୦୦୫-୦୬ ଆର୍ଥିକ ବର୍ଷ ବଜେଟ୍ରେ ଉଚ୍ଛେଦ କରିଦେଇଥିଲେ।
ଦୀର୍ଘମିଆଦୀ ପୁଞ୍ଜିଲାଭ ଟିକସ ପୁଣି ଲାଗିଲା
ଦୀର୍ଘମିଆଦୀ ପୁଞ୍ଜି ଲାଭ ଉପରେ ପୁଣି ଟିକସ ଲାଗୁ କରିବାକୁ ଘୋଷଣା କରାଯାଇଛିି। ୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଇକ୍ୱିଟି ତାଲିକା ହସ୍ତାନ୍ତର ହେଲେ ୧୦ ପ୍ରତିଶତ ହାରରେ ଏହି ଟିକସ ଲାଗୁ ହେବ। ତେବେ ୨୦୧୮ ମାର୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଲାଭକୁ ଏଥିରୁ ବାଦ୍ ଦିଆଯିବ।
ମ୍ୟୁଚୁଆଲ ଫଣ୍ଡ୍ ଉପରେ ଲାଭାଂଶ ବଣ୍ଟନ ଟିକସ
ଇକ୍ୱିଟି ଭିତ୍ତିକ ମ୍ୟୁଚୁଆଲ ଫଣ୍ଡ ଉପରେ ଲାଭାଂଶ ବଣ୍ଟନ ଟିକସ ଲାଗୁ କରିବାକୁ ଅର୍ଥମନ୍ତ୍ରୀ ଜେଟ୍ଲି ବଜେଟ୍ରେ ପ୍ରସ୍ତାବ ରଖିଛନ୍ତି। ୧୦ ପ୍ରତିଶତ ହାରରେ ଏହି ଟିକସ ଆଦାୟ ହେବ। ଏଥିଯୋଗୁଁ ନିବେଶଙ୍କ ରିଟର୍ଣ୍ଣ ହ୍ରାସ ପାଇବ।
କର୍ପୋରେଟ୍ ଟିକସ ୨୫%କୁ କମିଲା
ବାର୍ଷିକ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନିଙ୍କ ପାଇଁ କର୍ପୋରେଟ୍ ଟିକସକୁ ୩୦%ରୁ ୨୫%କୁ ହ୍ରାସ କରାଯାଇଛି। ଏଥିପାଇଁ ୨୦୧୬-୧୭ ଆର୍ଥିକ ବର୍ଷର କାରବାରକୁ ବିଚାରକୁ ନିଆଯିବ। ତେବେ ୨୫୦ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା କମ୍ପାନିଗୁଡ଼ିକଠାରୁ ପୂର୍ବଭଳି ୩୦ % ଟିକସ ଆଦାୟ ହେବ। ରିଟର୍ଣ୍ଣ ଫାଇଲ କରୁଥିବା ଦେଶର ୭ ଲକ୍ଷ କମ୍ପାନି ମଧ୍ୟରୁ ୭ ହଜାର କମ୍ପାନି ପୂର୍ବପରି ୩୦% ଟିକସ ଦେବେ।
ନିବେଶକ ନିରାଶ, ସେନ୍ସେକ୍ସ ଖସିଲା
ବଜେଟ୍ରେ ଷ୍ଟକ ମାର୍କେଟ ନିବେଶକମାନେ ଖୁସି ନାହାନ୍ତି। ବଜେଟ୍ ଦିନ ସେନ୍ସେକ୍ସ ୫୮ ପଏଣ୍ଟ ତଳକୁ ଖସି ୩୫,୯୦୭ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୧୧ ପଏଣ୍ଟ ତଳକୁ ଖସି ୧୧୦୧୭ ପଏଣ୍ଟରେ ବନ୍ଦ ହୋଇଛି। ଗ୍ରାମୀଣ ଭାରତ ଓ କୃଷିକୁ ବଜେଟ୍ରେ ପ୍ରାଧାନ୍ୟ ଦିଆଯିବା ଦ୍ୱାରା କର୍ପୋରେଟ୍ ଜଗତ ସେତେଟା ଖୁସି ହୋଇନାହିଁ।