ବଜେଟ୍ ଓ ୬ ପ୍ରଧାନମନ୍ତ୍ରୀ

(ଉପର ବାମରୁ) ଜବାହାର ଲାଲ ନେହରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, (ତଳ ବାମରୁ) ମୋରାରଜୀ ଦେଶାଇ, ଭି ପି ସିଂହ, ଡକ୍ଟର ମନମୋହନ ସିଂହ

ନୂଆଦିଲ୍ଲୀ: ସାଧାରଣତଃ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିଥାନ୍ତି। କିନ୍ତୁ ସ୍ବାଧୀନ ଭାରତରେ କେତେଜଣ ପ୍ରଧାନମନ୍ତ୍ରୀ ମଧ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତିନି ଥର ଏଭଳି ଘଟଣା ଘଟିଥିଲା। ଏଥିସହିତ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିବା ତିନି ବ୍ୟକ୍ତି ପରର୍ବତୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ। ତେଣୁ ବଜେଟ୍‌ ସହ ୬ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ସମ୍ପର୍କ ଥିଲା। ପ୍ରଧାନମନ୍ତ୍ରୀ ଭାବେ ପ୍ରଥମେ ଜବାହାରଲାଲ ନେହରୁ ୧୯୫୮ରେ ବଜେଟ୍ ଉପସ୍ଥାପନ କରିଥିଲେ। ସେହି ସମୟରେ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ଟିଟି କ୍ରିଷ୍ଣମାଚାରି ଏକ ଦୁର୍ନୀତି ଅଭିଯୋଗ ଯୋଗୁଁ ଇସ୍ତଫା ଦେବାରୁ ନେହରୁଙ୍କୁ ବଜେଟ୍ ଉପସ୍ଥାପନ କରିବାକୁ ପଡ଼ିଥିଲା।

ଏହା ପରେ ୧୯୭୦ରେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା‌ ବେଳେ ଇନ୍ଦିରା ଗାନ୍ଧୀ ବଜେଟ୍ ଉପସ୍ଥାପନ କରିଥିଲେ। ଏହାର ବର୍ଷକ ପୂର୍ବରୁ ମୋରରଜୀ ଦେଶାଇ ଦେଶର ଉପ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଥିଲେ। ୧୯୬୯ରେ ତାଙ୍କୁ ଅର୍ଥମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା। ସେଥିରେ ଅସନ୍ତୁଷ୍ଟ ହୋଇ ସେ ଇସ୍ତଫା ଦେଇଥିଲେ। ଫଳରେ ଅର୍ଥ ମନ୍ତ୍ରଣାଳୟକୁ ଇନ୍ଦିରା ନିଜ ପାଖରେ ରଖିଥିଲେ। ବଜେଟ୍‌ ଉପସ୍ଥାପନ କରିଥିବା ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଜୀବ ଗାନ୍ଧୀ। ସେ ୧୯୮୭ରେ ବଜେଟ୍ ଉପସ୍ଥାପନ କରିଥିଲେ। ସେହି ସମୟରେ ଅର୍ଥମନ୍ତ୍ରୀ ଥିବା ଭି ପି ସିଂହ ଇସ୍ତଫା ଦେବାରୁ ରାଜୀବ ନିଜ ପାଖରେ ଅର୍ଥ ମନ୍ତ୍ରଣାଳୟ ରଖିଥିଲେ।

ସେହିପରି, ଅର୍ଥମନ୍ତ୍ରୀ ଦା‌ୟିତ୍ବ ତୁଲାଇଥିବା ତିନି ଜଣ ପରର୍ବତୀ ସମୟରେ ଦେଶର ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଥିଲେ। ସେମାନେ ହେଉଛନ୍ତି ମୋରାରଜୀ ଦେଶାଇ, ଭି ପି ସିଂହ ଓ ଡକ୍ଟର ମନମୋହନ ସିଂହ। ସର୍ବାଧିକ ୧୦ ଥର ବଜେଟ୍ ଉପସ୍ଥାପନ କରିଥିବା ମୋରାରଜୀ ଦୁଇ ଥର ଅନ୍ତରୀଣ ବଜେଟ୍ ମଧ୍ୟ ଉପସ୍ଥାପନ କରିଥିଲେ। ନେହେରୁ ଓ ଇନ୍ଦିରା ପ୍ରଧାନମନ୍ତ୍ରୀ ଥିବା ବେଳେ ସେ ଅର୍ଥମନ୍ତ୍ରୀ ଭା‌ବେ ବଜେଟ୍ ଆଗତ କରୁଥିଲେ। ମାତ୍ର ସେ ନିଜେ ପ୍ରଧାନମନ୍ତ୍ରୀ ହେବା ପରେ ଏଚ୍‌ ଏମ୍ ପଟେଲ୍‌ ଓ ଚରଣ ସିଂହଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ବ ଦେଇଥିଲେ। ରାଜୀବ ପ୍ରଧାନମନ୍ତ୍ରୀ ଥିବା ବେଳେ ଅର୍ଥ ମନ୍ତ୍ରୀ ଦାୟିତ୍ବ ତୁଲାଇଥିବା ଭି ପି ସିଂହ ପରବର୍ତୀ ସମୟରେ ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ମନ୍ତ୍ରିମଣ୍ଡଳରେ ମଧୁ ଦଣ୍ଡବତେ ଅର୍ଥମନ୍ତ୍ରୀ ଥିଲେ। ନରସିଂହ ରାଓ ସରକାରଙ୍କ ଅମଳରେ ଡକ୍ଟର ମନମୋହନ ସିଂହ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଉପା ସରକାରରେ ମ‌ନମୋହନ ପ୍ରଧାନମନ୍ତ୍ରୀ ହୋଇଥିଲେ।

ଦେଶ ସ୍ବାଧୀନ ହେବା ପରେ ଅନେକ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିଛନ୍ତି। କିଛି ଅର୍ଥମନ୍ତ୍ରୀ ନିଜ ଜନ୍ମଦିନରେ ବଜେଟ୍‌ ଆଗତ କରିଥିବା ବେଳେ ଅନ୍ୟ କେତେକଙ୍କ ପାଖରେ ସବୁଠୁ ଲମ୍ବା ଓ ସବୁଠୁ କମ୍ ବଜେଟ୍‌ ଅଭିଭ‌ାଷଣ ପଢ଼ିବାର ରେକର୍ଡ ରହିଛି। ଦେଶ ସ୍ବାଧୀନ ହେବା ପୂର୍ବରୁ ଜବାହାରଲାଲ ନେହେରୁଙ୍କ ନେତୃତ୍ବରେ ଯେଉଁ ଅନ୍ତରୀଣ ସରକାର ଗଠନ କରାଯାଇଥିଲା ସେଥିରେ ଲିୟାକତ ଅଲ୍ଲୀ ଖାନ ଅର୍ଥମନ୍ତ୍ରୀ ଭାବେ ୧୯୪୬ ଫେବ୍ରୁଆରି ୨ରେ ବଜେଟ୍‌ ଉପସ୍ଥାପନ କରିଥିଲେ। ଦେଶ ବିଭାଜନ ପରେ ସେ ପାକିସ୍ତାନ ଚାଲିଯାଇଥିଲେ ଏବଂ କିଛି ସମୟ ପରେ ‌ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର