ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଚଳିତବର୍ଷ ବଜେଟ୍ ପ୍ରସ୍ତୁତିରେ ଅନେକ ପରିବର୍ତ୍ତନ ଅଣାଯାଇଛି। ବଜେଟ୍ ବହି ଛାପି ଏମ୍ପିମାନଙ୍କୁ ପ୍ରଦାନ କରିବା ପରିବର୍ତ୍ତେ ସେମାନଙ୍କୁ ସଫ୍ଟ କପିରେ ଏହାକୁ ଉପଲବ୍ଧ କରାଯିବ। ବଜେଟ୍ ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଜି ଅପରାହ୍ଣରେ ପାରମ୍ପରିକ ହାଲୱା ଉତ୍ସବ ନର୍ଥ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ଆପ୍ ଉନ୍ମୋଚନ କରିଛନ୍ତି। ଉକ୍ତ ଆପ୍ର ନାମ ‘ୟୁନିୟନ ବଜେଟ୍ ମୋବାଇଲ ଆପ୍’ ରଖାଯାଇଛି। ଏହି ଆପ୍ ମାଧ୍ୟମରେ ଏମପି ଓ ସାଧାରଣ ଜନତା କେନ୍ଦ୍ରୀୟ ବଜେଟ୍ ସଂପର୍କିତ ସମସ୍ତ ତଥ୍ୟ ପାଇପାରିବେ। କେନ୍ଦ୍ର ବଜେଟ୍ର ୧୪ ପ୍ରକାର ଦସ୍ତାବିଜ୍ ଏଥିରେ ଉପଲବ୍ଧ ହେବ।
ଏଥିରେ ବାର୍ଷିକ ଆୟବ୍ୟୟ ହିସାବ (ସାଧାରଣରେ ବଜେଟ ଭାବେ ପରିଚିତ) ଠାରୁ ଆରମ୍ଭ କରି ଖର୍ଚ୍ଚ ଦାବି, ଫାଇନାନ୍ସ ବିଲ୍ ଆଦି ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ମିଳିବ। ଲୋକମାନେ ଯେଭଳି ସହଜରେ ଏହି ଆପ୍କୁ ବ୍ୟବହାର କରିପାରିବେ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ବିଶେଷକରି ଡାଉନଲୋଡ, ପ୍ରିଣ୍ଟିଂ, ସର୍ଚ୍ଚ, ଜୁମ୍ ଇନ୍ ଓ ଜୁମ୍ ଆଉଟ, ବାଇଡିରେକ୍ସନାଲ ସ୍କ୍ରୋଲିଂ, ଟେବୁଲ ଏବଂ ଏକ୍ସଟରନାଲ୍ ଲିଙ୍କ୍ ଆଦି ରହିଛି। ଆର୍ଥିକ ବ୍ୟାପାର ବିଭାଗ ସହଯୋଗରେ ଏନଆଇସି ଦ୍ବାରା ଏହି ଆପ୍ର ବିକାଶ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ଆସନ୍ତା ମାସ ୧ ତାରିଖରେ ତାଙ୍କ ବଜେଟ୍ ଭାଷଣ ଶେଷ କରିବା ପରେ ଉକ୍ତ ଆପ୍ରେ ବଜେଟ୍ ଦସ୍ତାବିଜ୍ ଉପଲବ୍ଧ ହେବ। ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପ୍ଲାଟଫର୍ମରେ ଏହି ଆପ୍ ରହିଛି।
ଏଥିସହିତ କେନ୍ଦ୍ର ବଜେଟ୍ ୱେବ୍ ପୋର୍ଟାଲ www.indiabudget.gov.in ରୁ ମଧ୍ୟ ଏହି ଆପ୍କୁ ଡାଉନଲୋଡ୍ କରାଯାଇ ପାରିବ। ଆଜିର ହାଲୱା ଉତ୍ସବରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବ ଡ ଏ ବି ପାଣ୍ଡେ, ବ୍ୟୟ ସଚିବ ଟି ଭି ସୋମନାଥନ, ଆର୍ଥିକ ବ୍ୟାପାର ସଚିବ ତରୁଣ ବଜାଜ, ଦିପମ୍ ସଚିବ ତୁହିନ କାନ୍ତ ପାଣ୍ଡେ, ଆର୍ଥିକ ସେବା ସଚିବ ଦେବାଶିଷ ପଣ୍ଡା, ଆର୍ଥିକ ଉପଦେଷ୍ଟା ଡ କେ ଭି ସୁବ୍ରମଣ୍ୟମ, ଅତିରିକ୍ତ ସଚିବ(ବଜେଟ୍) ରଜତ କୁମାର ମିଶ୍ର, ସିବିଡିଟି ଅଧ୍ୟକ୍ଷ ପି ସି ମୋଦୀ, ସିବିଆଇସି ଅଧ୍ୟକ୍ଷ ଅଜିତ କୁମାର ପ୍ରମୁଖ ଯୋଗଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/54fh54fh56fs4h56fs4h56fs4f56h.jpg)