ଭୁବନେଶ୍ବର: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟ ଦେଶର ଚାଷୀ, ଯୁବକ, ମହିଳା, ଗରିବ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ। ଏଥରକ ବଜେଟ ନୂଆ ଭାରତ ଓ ନୂଆ ଓଡ଼ିଶାର ମୂଳଦୁଆ ପକାଇବ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ ଆଗତ କରିବା ପରେ ଏପରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ଏହି ବଜେଟରେ ଓଡ଼ିଶା ଭଳି ରାଜ୍ୟ ଅଧିକ ଲାଭବାନ ହେବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ୨୫ ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଓଡ଼ିଶା ଏହାର ସିଂହଭାଗ ପାଇବ। ସେହିପରି ପାଖାପାଖି ୨ କୋଟି ବାସଗୃହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ। ସାଗରମାଳା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଓଡ଼ିଶାର ଭିତ୍ତିଭୂମିରେ ଅଧିକ ନିବେଶ ହେବା ସହ ସ୍ପେସାଲ ଇନଭେଷ୍ଟମେଣ୍ଟ କରିଡର ନିର୍ମାଣ କରାଯିବ। ୪୫୦ କିଲୋମିଟର ଉପକୂଳ ଓଡ଼ିଶା ଏହାର ଫାଇଦା ପାଇବ ବୋଲି ସେ କହିଥିଲେ। ସେହିପରି ପିଏମଜିଏସଵାଇ ଯୋଜନାରେ ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳର ସବୁ ଗାଁରେ ରାସ୍ତା ତିଆରି ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।