ଭୁବନେଶ୍ବର : ରାଜ୍ୟ ସରକାର କୋଭିଡ୍ ମହାମାରୀ ପରର ତୃତୀୟ ବଜେଟ ଗତ ୨ ତାରିଖରେ ଉପସ୍ଥାପିତ କରିବାପରେ ଏହାର ବିଭିନ୍ନ ଦିଗକୁ ନେଇ ସିୱାଇଏସ୍‌ଡି ଓଡ଼ିଶା ବଜେଟ ଆଣ୍ଡ ଆକାଉଣ୍ଟେବିଲିଟି ସେଣ୍ଟର(ଓବାକ)ପକ୍ଷରୁ ଏକ ଆଲୋଚନାଚକ୍ର ଗୁରୁବାର ଅପରାହ୍ନରେ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏଥିରେ ପୂର୍ବତନ ମୁଖ୍ୟଶାସନ ସଚିବ ଯୁଗଳକିଶୋର ମହାପାତ୍ର ଯୋଗଦେଇ ବଜେଟ ଆକଳନ ଓ ବ୍ୟୟବରାଦ ମଧ୍ୟରେ ବଡ ବ୍ୟବଧାନ ନ ରହିବା ଉଚିତ୍ ବୋଲି ପରାମର୍ଶ ଦେଇଛନ୍ତି।

Advertisment

ଶ୍ରୀ ମହାପାତ୍ର କହିଛନ୍ତି, ବଜେଟ ଆକଳନର ୯୫ ପ୍ରତିଶତ ଅର୍ଥ ବ୍ୟୟ ହେବା ଉଚିତ। ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ମେଗା ପ୍ରକଳ୍ପ ଶେଷ ହେବା ସହିତ ଏହାର ସମସ୍ତ ସୂଚନା ପବ୍ଲିକ ପୋର୍ଟାଲରେ ଉପଲବ୍ଧ ହେବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି । ୪୮ ପ୍ରତିଶତ ଅନୁସୂଚିତ ଅଞ୍ଚଳରେ ଯେଭଳି ଆଞ୍ଚଳିକ ବୈଷମ୍ୟ ନରହିବ ସେ ଦିଗରେ ଧ୍ୟାନ ଦେବାକୁ ଖାଦ୍ୟ ଓ ପୁଷ୍ଟି ସୁରକ୍ଷା ସାମ୍ମୁଖ୍ୟ ପକ୍ଷରୁ ବସନ୍ତ କୁମାର କର ପରାମର୍ଶ ଦେଉଥିଲେ। ସ୍ତମ୍ଭକାର ତଥା ଅକ୍ସଫାମ୍ ଇଣ୍ଡିଆର ପ୍ରଭାସ ମିଶ୍ର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଜିଲ୍ଲାୱାରୀ ବଜେଟ ପ୍ରସ୍ତୁତ କରିବାର ଆବଶ୍ୟକତା ଦର୍ଶାଇ ଥିଲେ। ଅର୍ଥନୀତି ପ୍ରଫେସର ଅପରାଜିତା ବିଶ୍ବାଳ ମିସନ ଶକ୍ତି ଜରିଆରେ ସଂଗଠିତ ୭୦ ଲକ୍ଷ ସ୍ବୟଂ ସହାୟିକାଙ୍କ ଦକ୍ଷତା ବିକାଶ ଦିଗରେ ବଜେଟରେ ଅଧିକ ବ୍ୟୟ ବ୍ୟବସ୍ଥା ହେବା ଉଚିତ ବୋଲି କହିଥିଲେ।

ଅର୍ଥ ବିଭାଗର ଅତିରିକ୍ତ ସଚିବ ଡକ୍ଟର ସତ୍ୟପ୍ରିୟ ରଥ ବଜେଟରେ ଲୋକଙ୍କ ସହଭାଗିତା ଦିଗରେ ରାଜ୍ୟ ସରକାର ଧ୍ୟାନ ଦେଉଛନ୍ତି ଓ ଏ ଦିଗରେ ବିଭିନ୍ନ ସ୍ତରରେ ନିରନ୍ତର ଆଲୋଚନାପାଇଁ ପ୍ରେତ୍ସାହିତ କରୁଥିବା କହିଛନ୍ତି । ଏହି କାର୍ଯ୍ୟକ୍ରମର ସଂଚାଳକ ତଥା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଭାଗବତ ପ୍ରସାଦ ପାତ୍ର ସାମାଜିକ ସୁରକ୍ଷା ଯୋଜନାଗୁଡିକୁ ସମୀକ୍ଷା ସହିତ ପାଣ୍ଠି ବୃଦ୍ଧି ପାଇଁ ପରାମର୍ଶ ଦେଇଥିଲେ। ବଜେଟ୍ ଆଲୋଚନାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ, ସାମାଜିକ ସଂଗଠନର କର୍ମକର୍ତ୍ତା, ଶିକ୍ଷାବିତ୍ ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇ ମତାମତ ଓ ପରାମର୍ଶ ରଖିଥିଲେ। ସିୱାଇଏସ୍‌ଡି, ଓବାକ ପକ୍ଷରୁ ବସନ୍ତ କୁମାର ନାୟକ ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେ। ନବନୀତା ଦାସ ରାଜ୍ୟ ବଜେଟର ସମ୍ପର୍କରେ ସୂଚନା ଦେଇଥିଲେ ଓ ଉପାଲି ମହାନ୍ତି ଧନ୍ୟବାଦ ଦେଇଥିଲେ।