ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଆସନ୍ତା ମାସ ୧ ତାରିଖରେ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବେଜଟ୍ ଉପସ୍ଥାପନ କରିବେ। ଏଥିରେ ସେ ପ୍ରତ୍ୟକ୍ଷକର ପ୍ରଦାନକାରୀଙ୍କୁ କିଛିଟା ରିହାତି ଦେବା ସହିତ କୃଷି, ଗ୍ରାମୀଣ ଅର୍ଥନୀତି, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଭିତ୍ତିଭୂମି ବିକାଶ ଉପରେ ଅଧିକ ପ୍ରାଧାନ୍ୟ ଦେବେ ବୋଲି ଅନୁମାନ କରାଯାଉଛି। ୨୦୧୯ର ପ୍ରଥମାର୍ଦ୍ଧରେ ଦେଶରେ ସାଧାରଣ ନିର୍ବାଚନ ହେବ। ତେଣୁ ମୋଦି ସରକାରଙ୍କ ପାଇଁ ୨୦୧୯ ଫେବ୍ରୁଆରିରେ ଜେଟ୍ଲି କେବଳ ଅନ୍ତରୀଣ ବଜେଟ୍ ଆଗତ କରିବାର ସୁଯୋଗ ପାଇବେ। ଫଳରେ ଆସନ୍ତା ଫେବ୍ରୁଆରି ପହିଲାରେ ଜେଟ୍ଲି କେବଳ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବାର ସୁଯୋଗ ପାଇବେ। ଆସନ୍ତା ବଜେଟ୍ରେ ଜେଟ୍ଲି ଆୟକରଦାତାଙ୍କୁ ରିହାତି ସହିତ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ ଦେବେ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି। ବିମୁଦ୍ରାକରଣ ପରେ ଆୟକରଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ଆୟକରଦାତା ଓ କର୍ପୋରେଟ ଟିକସଦାତାଙ୍କୁ ଜେଟ୍ଲି କିଛିଟା ରିହାତି ଦେବେ । ଏଥିପାଇଁ ସେ ଟିକସ ସ୍ଲାବ୍ରେ ପରିବର୍ତନ ଆଣିବା ସହିତ ଅନ୍ୟ କିଛି ରିହାତି ମଧ୍ୟ ଦେବାର ସମ୍ଭାବନା ରହିଛି। ସେହିଭଳି ଦେଶର କୃଷି କ୍ଷେତ୍ର ଏବେ ଦୁଃସ୍ଥିତି ଦେଇ ଗତି କରୁଛି। ତେଣୁ ସେ କୃଷି ଓ କୃଷକଙ୍କର ଉନ୍ନତି ହେବା ଭଳି ପ୍ରୋତ୍ସାହନ ମଧ୍ୟ ବଜେଟ୍ରେ ରଖିପାରନ୍ତି। ନିର୍ବାଚନ ଯୋଗୁଁ ଗ୍ରାମୀଣ ଭୋଟରଙ୍କୁ ଆକୃଷ୍ଟ କରିବା ଏବଂ ଜିଏସ୍ଟି ଓ ବିମୁଦ୍ରାକରଣ ଯୋଗୁଁ କ୍ଷତି ସହିଥିବା ଛୋଟ ଛୋଟ ବ୍ୟବସାୟୀଙ୍କୁ ସନ୍ତୁଷ୍ଟ କରିବା ଲାଗି ବଜେଟ୍ରେ ପଦକ୍ଷେପ ନିଆଯାଇ ପାରେ। କେବଳ ସେତିକି ନୁହେଁ ଦେଶର ନିଯୁକ୍ତି ବଜାରକୁ ବହୁ ସଂଖ୍ୟାରେ ଯୁବବର୍ଗ ପ୍ରତିମାସରେ ପ୍ରବେଶ କରୁଛନ୍ତି। ମୋଦି ସରକାରଙ୍କର ଏକ ପ୍ରମୁଖ ନିର୍ବାଚନ ପ୍ରତିଶ୍ରୁତି ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ରହିଥିଲା। ଏହାକୁ ଦୃଷ୍ଟିରେ ରଖି ବଜେଟ୍ରେ କିଛିଟା ପଦକ୍ଷେପ ଅର୍ଥମନ୍ତ୍ରୀ ଗ୍ରହଣ କରିପାରନ୍ତି। ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ସହିତ ବିଭିନ୍ନ ଗ୍ରାମାଞ୍ଚଳ ଉନ୍ନତି ଯୋଜନାକୁ ଜେଟ୍ଲି ଅଧିକ ବ୍ୟୟବରାଦ କରିପାରନ୍ତି। ସେହିଭଳି ଦେଶର ଜିଡିପି ଅଭିବୃଦ୍ଧି ହାର ଗତ ୪ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଆସିଛି। ତେଣୁ ଅଭିବୃଦ୍ଧିରେ ଉନ୍ନତି ଆଣିବା ଲାଗି ମଧ୍ୟ ବଜେଟ୍ରେ ଜେଟ୍ଲି ପଦକ୍ଷେପ ନେଇପାରନ୍ତି।
ସରକାର ଗତବର୍ଷ ଜୁଲାଇରୁ ଦେଶରେ ନୂଆ ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସ୍ଟି କାର୍ଯ୍ୟକାରୀ କରିଛନ୍ତି। ପେଟ୍ରୋଲିୟମ ଓ ଅନ୍ୟ କିଛି ସାମଗ୍ରୀକୁ ବାଦ୍ ଦେଲେ ବହୁ ସାମଗ୍ରୀ ଓ ସେବାକୁ ଜିଏସ୍ଟି ପରିସରକୁ ଅଣାଯାଇଛି। ତେଣୁ ଜେଟ୍ଲି କେବଳ ଜିଏସ୍ଟି ପରିସର ବାହାରେ ଥିବା ସାମଗ୍ରୀର ଉତ୍ପାଦନ ଓ ସୀମା ଶୁଳ୍କ ପରିବର୍ତନ ପାଇଁ ଯାହା କିଛି ଘୋଷଣା କରିବେ। ଭାରତ ଏସିଆର ତୃତୀୟ ବୃହତ୍ ଅର୍ଥନୀତି ହୋଇଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ସୁବିଧା ନଥିବା ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଛି। ତେଣୁ ଜେଟ୍ଲି ଆସନ୍ତା ବଜେଟ୍ରେ ରେଳବାଇର ଆଧୁନିକୀକରଣ ଏବଂ ଜାତୀୟ ରାଜପଥର ବିକାଶ ଆଦି ପାଇଁ ଅଧିକ ବ୍ୟୟବରାଦ କରିପାରନ୍ତି।