ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆସନ୍ତାକାଲି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍ ଆଗତ କରିବେ। ଏହା ଅନ୍ତରୀଣ ବଜେଟ ହୋଇଥିଲେ ମଧ୍ୟ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେତେକ ଲୋଭନୀୟ ଘୋଷଣାମାନ କରିପାରନ୍ତି। ବିଶେଷକରି ଆୟକରଦାତାଙ୍କୁ ରିହାତି ଦେବା ସହିତ କୃଷକମାନଙ୍କ ପାଇଁ କିଛି ଆଖିଦୃଶିଆ ଘୋଷଣା କରିପାରନ୍ତି। ସରକାର ବିଗତ ଦିନରେ ଲୋକଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତିକୁ ପୂରଣ କରିବା ଲାଗି ବଜେଟରେ ପ୍ରସ୍ତାବମାନ ରଖିପାରନ୍ତି। ଆୟକରଦାତାମାନଙ୍କୁ ୮୦ ସି ଧାରାରେ ଟିକସ ଛାଡ଼ ସୀମା ବର୍ତମାନର ଦେଢ଼ ଲକ୍ଷ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି। ସେହିଭଳି କମ୍ପାନି ଟିକସରେ ମଧ୍ୟ କିଛିଟା ରିହାତି ଦେଇପାରନ୍ତି। ଗତ ବଜେଟରେ ସରକାର ବାର୍ଷିକ ୨୫୦ କୋଟି ଟଙ୍କା କାରବାର କରୁଥିବା କମ୍ପାନି ଗୁଡ଼ିକ ପାଇଁ ଟିକସ ହାର ୨୫%କୁ ହ୍ରାସ କରିଥିଲେ। ଚଳିତ ବଜେଟରେ ଏହି ସୀମାକୁ ଆହୁରି ବୃଦ୍ଧି କରାଯାଇପାରେ ବୋଲି ଆଶା କରାଯାଉଛି। ଗ୍ରାମୀଣ ଭାରତର ବିକାଶ ପାଇଁ ସରକାର ବଜେଟରେ ବ୍ୟୟବରାଦ ବଢ଼ାଇ ପାରନ୍ତି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପାଇଁ ସରକାର ବଜେଟରେ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାର ବ୍ୟୟବରାଦ ରଖିବେ। ଚଳିତ ଆର୍ଥିକ ବର୍ଷ ପାଇଁ ଏହି ବ୍ୟୟ ବରାଦ ୧ ଲକ୍ଷ ୧୨ ହଜାର କୋଟି ଟଙ୍କା ରହିଛି। ଦେଶର ମୋଟ ଜନସଂଖ୍ୟାରୁ ଦୁଇ ତୃତୀୟାଂଶ ଲୋକ ଗ୍ରାମୀଣ ଭାରତରେ ରହୁଥିବାରୁ ଗ୍ରାମାଞ୍ଚଳ ପାଇଁ ବଜେଟରେ ଅର୍ଥମନ୍ତ୍ରୀ ଅଧିକ ବ୍ୟୟବରାଦ ରଖିବେ ବୋଲି ଆଶା ରହିଛି। ସରକାର ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସର ଖର୍ଚ ତୁଲାଇବା ପାଇଁ ଲେଖାନୁଦାନ ଆଗତ କରିବେ। ନିର୍ବାଚନ ପରେ ନୂଆ ସରକାର ଗଠନ ହେଲେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ। ସାଧାରଣ ବଜେଟ୍ ସହିତ ରେଳ ବଜେଟକୁ ମିଶାଇ ଦିଆଯାଇଥିବାରୁ ରେଳ ବିଭାଗର ବ୍ୟୟବରାଦ ନେଇ ଅନ୍ତରୀଣ ବଜେଟରେ ଘୋଷଣା କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ସଂସଦର ଅଧିବେଶନ ଆଜି ଆରମ୍ଭ ହୋଇଛି। ବଜେଟ୍ ଆଗତ ଆସନ୍ତାକାଲି ହେବାକୁ ଥିବାରୁ ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଆଜି ଉପସ୍ଥାପନ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ତାହା ଆଜି ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/budget2012.jpg)